www.samajalive.in
Sunday, December 14, 2025
19.1 C
Bhubaneswar

ଜନଜାତି ବିକାଶ ଆମ ପ୍ରାଥମିକତା

ଆଜି ଜନ ଜାତୀୟ ଗୌରବ ଦିବସ। ଭଗବାନ ବିର୍ସା ମୁଣ୍ଡାଙ୍କର ଜୟନ୍ତୀ। ବିର୍ସା ମୁଣ୍ଡା ଥିଲେ ଆଦିବାସୀମାନଙ୍କ ସ୍ୱାର୍ଥ, ସ୍ୱାଭିମାନ ଓ ଆତ୍ମ ପରିଚୟର ସୁରକ୍ଷା ପାଇଁ ସଂଘର୍ଷର ମୂର୍ତ୍ତିମନ୍ତ ପ୍ରତୀକ। ସେଥିପାଇଁ ସେ ଭଗବାନ ଓ ଧରତୀଆବା ଭାବରେ ଆଦିବାସୀ ସମାଜର ଚିର ପୂଜ୍ୟ ଓ ନମସ୍ୟ । ଏହି ମହାନ୍ ବିଭୂତିଙ୍କର ୧୫୦ ତମ ଜୟନ୍ତୀ ବର୍ଷରେ କେବଳ ରାଜ୍ୟର ୨୨ ପ୍ରତିଶତରୁ ଊର୍ଦ୍ଧ୍ବ ଜନଜାତି ବର୍ଗଙ୍କ ତରଫରୁ ନୁହେଁ, ପୂରା ଓଡ଼ିଶାର ସାଢ଼େ ଚାରି କୋଟି ଜନତାଙ୍କ ପକ୍ଷରୁ ଏହି ମହାନ ବ୍ୟକ୍ତିତ୍ୱଙ୍କୁ କୋଟି କୋଟି ପ୍ରଣାମ କରୁଛି।

ଭଗବାନ ବିର୍ସା ମୁଣ୍ଡା ଏହି ଇହଧାମରେ ମାତ୍ର ୨୫ ବର୍ଷ ଅତିବାହିତ କରିଥିଲେ। ଭାରତର ଇତିହାସର ସବୁଠାରୁ ଶକ୍ତିଶାଳୀ ଆଦିବାସୀ ମେଳି ଓ ଜନ ଆନ୍ଦୋଳନର ମହାନାୟକ ଭଗବାନ ବିର୍ସା ମୁଣ୍ଡା। ମହାନ ବିପ୍ଲବୀ ବିର୍ସା ମୁଣ୍ଡା ରାଞ୍ଚି ଜେଲର ଏକ କୋଠରିରେ ୧୯୦୦ ମସିହା ଜୁନ ୯ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

- Advertisement -

ଆଜି ତାଙ୍କର ଜନ୍ମଦିନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରିବାର ପରମ୍ପରା ସୃଷ୍ଟି କରି ଦେଶର ଆଦିବାସୀ ସମାଜକୁ ଏହାର ଇତିହାସ, ସଭ୍ୟତା, ସଂସ୍କୃତି ଓ ଆତ୍ମ ପରିଚୟକୁ ପୁଣି ଥରେ ସିଂହାବଲୋକନ କରିବାର ସୁଯୋଗ ସୃଷ୍ଟି କରିଛନ୍ତି। ଓଡ଼ିଶାରେ ଆଦିବାସୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ତଥା ସେମାନଙ୍କର ସାଂସ୍କୃତିକ ପରିଚୟ ଓ ଅସ୍ମିତାକୁ ମନେ ପକାଇବାର ସମୟ ଆସିଛି।

୨୦୪୭ ମସିହାରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ଏବଂ ୨୦୩୬ରେ ଆମ ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ହେବାର ୧୦୦ ବର୍ଷ ପୂର୍ତ୍ତି ପାଳିତ ହେବ। ଓଡ଼ିଶା ସମେତ ସମ୍ପୂର୍ଣ୍ଣ ଦେଶ ପାଇଁ ଆଗାମୀ ୨୨ ବର୍ଷ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ୨୨ ବର୍ଷ ଆମ ଓଡ଼ିଶାବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ। ଓଡ଼ିଶାର ଏହି ବିଶାଳ ଲକ୍ଷ୍ୟ ହାସଲର ସ୍ୱପ୍ନ ସେ ପର୍ଯ୍ୟନ୍ତ ପୂରଣ ହୋଇ ପାରିବ ନାହିଁ, ଯେ ପର୍ଯ୍ୟନ୍ତ ରାଜ୍ୟର ୨୨ ପ୍ରତିଶତ ଆଦିବାସୀ ଜନ ସଂଖ୍ୟା ତଥା ଏହି ସମୁଦାୟ ଅଧ୍ୟୁଷିତ ଜିଲା ଓ ଅଞ୍ଚଳଗୁଡ଼ିକର ବିକାଶ ଆଗାମୀ କିଛି ବର୍ଷରେ ଖୁବ୍ ଦ୍ରୁତ ଗତିରେ ଆଗେଇବ ନାହିଁ।

ଆମ ବିକାଶର ମାପଦଣ୍ଡର ପରିସଂଖ୍ୟାନ ଆମ ସାମ୍‌ନାରେ ଆଇନା ଭଳି ଆମକୁ ଆମର ସ୍ଥିତି ଦେଖାଉଛି। ବିକାଶର ସବୁ ମାନଦଣ୍ଡରେ ଆମର ଆଦିବାସୀ ଭାଇ ଭଉଣୀମାନେ ସବୁଠାରୁ ପଛୁଆ। ଏବେ ସମୟ ଆସିଛି ଐତିହାସିକ ଭୁଲକୁ ସଂଶୋଧନ କରିବା ପାଇଁ। ମୋ ପାଇଁ ଆଜି ଦିନଟି ଆହୁରି ଗୁରୁତ୍ୱପୂର୍ଣ୍ଣ ଓ ମୋ ଦାୟିତ୍ୱକୁ ମୁଁ ମର୍ମେ ମର୍ମେ ଅନୁଭବ କରୁଛି। ଆର୍ଥିକ ଅନଟନ, ସଂଘର୍ଷ ଓ ସମର୍ପଣର ରାସ୍ତା ଦେଇ, ପଡ଼ି ଉଠି ସମ୍ପୂର୍ଣ୍ଣ ସମାଜ ସହ ତାଳ ଦେଇ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ, ଓଡ଼ିଶାର ସେବା କରିବା ପାଇଁ ମୋତେ ସୁଯୋଗ ମିଳିଛି। ରାଜ୍ୟର ସମ୍ପୂର୍ଣ୍ଣ ଆଦିବାସୀ ସମାଜର ସମସ୍ୟା ଓ ସଂଘର୍ଷର କାହାଣୀ ମୋ ଜୀବନର ଅଙ୍ଗେନିଭା ଅନୁଭୂତି। ରାଜ୍ୟର ଜନସଂଖ୍ୟାର ୨୨ ପ୍ରତିଶତରୁ ଊର୍ଦ୍ଧ୍ବ୍ୱ ଆଦିବାସୀ ସମାଜର ଦ୍ରୁତ ବିକାଶର ଶପଥକୁ ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ଦୋହରାଉଛି।

ଆଦିବାସୀ ଜମି ଓ ଜଙ୍ଗଲ ହଡ଼ପର ନାୟକ ବ୍ରିଟିଶ ସାମ୍ରାଜ୍ୟ ମୁଣ୍ଡ ନୁଆଁଇ ଛୋଟନାଗପୁର ଟେନାନ୍ସୀ ଆକ୍ଟ ୧୯୦୮ ଗୃହୀତ କରିବାକୁ ବାଧ୍ୟ ହୋଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହାସିକ ୧ ଅକ୍ଟୋବର ୧୮୯୪ ପ୍ରତିବାଦ ଜନ ଶୋଭାଯାତ୍ରା ଆଜି ଇତିହାସର ମୂକ ସାକ୍ଷୀ। କେବଳ ଜଙ୍ଗଲ ଓ ଜମି ଅଧିକାର ହାସଲରେ ସୀମିତ ଲକ୍ଷ୍ୟର ପୂଜାରୀ ନ ଥିଲେ ବିର୍ସା ମୁଣ୍ଡା। ତାଙ୍କର ନାରା ଥିଲା: ବ୍ରିଟିଶ ରାଜ ଶେଷ କରି ନିଜ ଶାସନ ଲାଗୁ କରିବା। କେବଳ ଆଧୁନିକ ଝାଡ଼ଖଣ୍ଡ-ଓଡ଼ିଶାର ଆଦିବାସୀ ସ୍ୱାର୍ଥ ନୁହେଁ ବରଂ ସାରା ଦେଶର ସ୍ୱାଧୀନତା ପାଇଁ ବିର୍ସାଙ୍କ ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ। ଆଜି ଜନଜାତୀୟ ଗୌରବ ଦିବସରେ ଓଡ଼ିଶାର ଆଦିବାସୀ ବର୍ଗଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ମୁଁ ପୁଣି ଥରେ ଆମର ପ୍ରତିଶ୍ରୁତିକୁ ଦୋହରାଉଛି।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories