ବାଲିଆପାଳ: ବାଲିଆପାଳ ଏନଏସିରୁ ବାଦ ପଡ଼ିବା, ସୁବର୍ଣ୍ଣରେଖା ନଦୀରେ ଆସୁଥିବା ପ୍ରଳୟଙ୍କରୀ ବନ୍ୟାରୁ ବାଲିଆପାଳ ବ୍ଲକର ୧୦ଟି ପଞ୍ଚାୟତର ୬୦ହଜାର ଲୋକଙ୍କ ଜୀବନ ଜୀବିକାକୁ ରକ୍ଷା କରିବା ପାଇଁ ଯଥାଶୀଘ୍ର ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା ଏବଂ ବାଲିଆପାଳରେ ଥିବା ଦୁଇଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଲିଆପାଳ ଓ ପ୍ରତାପପୁରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପ୍ରଭୃତି ପ୍ରମୁଖ ଦାବି ନେଇ ବାଲିଆପାଳ ବ୍ଲକ ଯୁବ କଂଗ୍ରେସ ଡାକରାରେ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇଛି।
କଂଗ୍ରେସ ନେତା ବିଜନ ନାୟକଙ୍କ ନେତୃତ୍ବରେ ଆଜି ବାଲିଆପାଳ ପୁରୁଣା ବସଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ବାଲିଆପାଳ ବ୍ଲକ କଂଗ୍ରେସର ବରିଷ୍ଠ ନେତା ମୁରଲୀ ମୋହନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ, ମଧୁସୂଦନ ବାରିକ, ଜଗନ୍ନାଥ ବିଶ୍ବାଳ, ଅରୁଣ ଜେନା, ନରହରି ଜେନା, ଯୁବ କଂଗ୍ରେସ ଜିଲ୍ଲା ସଭାପତି ରଞ୍ଜନ ଦାସ, ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ ପ୍ରମୁଖ ନେତୃବୃନ୍ଦ ନଡ଼ିଆ ବାଡ଼େଇ ଓ ପତକା ହଲାଇ ଶୁଭାରମ୍ଭ କରିଥିଲେ।
ପଦଯାତ୍ରା ଆରମ୍ଭ ସମୟରେ ପ୍ରଥମେ ବସଷ୍ଟାଣ୍ଡ ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପଦଯାତ୍ରା ଆରମ୍ଭ କରାଯାଇଥିଲା। ପରେ ବ୍ଲକ ଛକ ନିକଟରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ନୂତନ ବାଲିଆପାଳର ବିଶ୍ଵକର୍ମା ପୂର୍ବତନ ବିଧାୟକ ସ୍ବର୍ଗତ ଜୟନାରାୟଣ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଯୁବ କଂଗ୍ରେସର ଶତାଧିକ କର୍ମୀ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରି ଯାଇଥିଲେ। ପଦଯାତ୍ରାରେ ଯାଇଥିବା ଯୁବ କଂଗ୍ରେସର କର୍ମୀମାନେ ଆଜି ସଂଧ୍ୟାରେ ସଦର ବ୍ଲକ ହଳଦିପଦା ଠାରେ ରାତ୍ରୀ ଯାପନ କରି ଆସନ୍ତାକାଲି ମଙ୍ଗଳବାର ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବେ ବୋଲି ଜଣାପଡିଛି।
ଆଜିର ଏହି ପଦଯାତ୍ରାରେ ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତୀର୍ଥ କୁମାର ନାଗ, ବ୍ଲକ ଯୁବ କଂଗ୍ରେସ ସଭାପତି ସୁବାଷ ନାୟକ, ସମ୍ପାଦକ ବିକାଶ ବାରିକ,ସରୋଜ ପିଳା, ହୃଷୀକେଶ ପଣ୍ଡା, ଶାନ୍ତନୁ ମହାପାତ୍ର, ରଞ୍ଜନ ଦେ, ଅବନୀ ପାତ୍ର,ଅଶ୍ବୀନୀ ଦାସଙ୍କ ସମେତ ଶତାଧିକ ଯୁବ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।



