ନିର୍ବାଚନ ପାଇଁ ବିଜେଡିର ନୂଆ ରଣନୀତି : ଜନମତ ଆଧାରରେ ଇସ୍ତାହାର
ଭୁବନେଶ୍ବର : ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ସମସ୍ୟାର ସମାଧାନ ଖୋଜିବା ଏବଂ ଆବଶ୍ୟକ ସ୍ଥଳେ ଏହାକୁ ଯୋଜନା ମାଧ୍ୟମରେ ରୂପାୟନ କରିବା ପ୍ରକ୍ରିୟା ହିଁ ଗଣତନ୍ତ୍ରର ପ୍ରକୃତ ମୂଲ୍ୟବୋଧ। ଏହା ରାଜନୀତିର ଏକ ନିରନ୍ତର ପ୍ରକ୍ରିୟା। ଅତୀତର ଏହି ଅଭିଜ୍ଞତାକୁ ପାଥେୟ କରି ଆଗାମୀ ଦିନରେ ସଫଳତା ହାସଲ ପାଇଁ ବିଜେଡି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବାକୁ ପ୍ରାଥମିକତା ଦେଇଛି। ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ କେବଳ ଘୋଷଣା ସର୍ବସ୍ବ ନ ହୋଇ ଲୋକଙ୍କ ସହ ଯୋଡ଼ି ହେବାର ବାର୍ତ୍ତା ଦେଇ ଦଳ ଭିନ୍ନ ଏକ ରଣନୀତି ଆପଣେଇଛି। ଏହାର ଅଂଶ ସ୍ବରୂପ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଏହି ପ୍ରକ୍ରିୟାରେ ମହିଳାଙ୍କ ନେତୃତ୍ବର ବିକାଶ ସହ ସେମାନଙ୍କୁ ସାମାଜିକ ସ୍ତରରେ ଅଧିକ ସଶକ୍ତ କରିବାକୁ ଦଳ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ବିଜେପିର ‘ଜବାବ ମାଗୁଛି ଓଡ଼ିଶା’ ଉତ୍ତରରେ ବିଜେଡି ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ ଆରମ୍ଭ କରିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ଦଳ ରାଜ୍ୟବାସୀଙ୍କ ମତାମତ ଲୋଡ଼ିବା ପାଇଁ ନିଷ୍ପତ୍ତି ନେଇଛି।
ଆଗାମୀ ନିର୍ବାଚନ ପାଇଁ ରାଜ୍ୟବାସୀଙ୍କ ମତାମତ ଆଧାରରେ ବିଜୁ ଜନତା ଦଳ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବ। ଏଥିପାଇଁ ଦଳ ପକ୍ଷରୁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି। ମଙ୍ଗଳବାର ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀରୁ ମହିଳାଙ୍କ ନେତୃତ୍ବରେ ଏହି ଅଭିଯାନ ଆରମ୍ଭ ହେବ। ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ମହିଳାମାନେ ରାଜ୍ୟର ୮୬ଲକ୍ଷ ପରିବାରକୁ ଭେଟି ସେମାନଙ୍କ ନିକଟରୁ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କିତ ମତାମତ ସଂଗ୍ରହ କରିବେ। ଏଥିପାଇଁ ଦଳ ପକ୍ଷରୁ ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ ଲେଖାଥିବା ଏକ ସ୍ବତନ୍ତ୍ର ଫର୍ମ ପ୍ରସ୍ତୁତ କରାଯାଇଛି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଭୁବନେଶ୍ବରର ଏକ ପରିବାର ନିକଟକୁ ଯାଇ ଏହି ପ୍ରକ୍ରିୟାର ଶୁଭାରମ୍ଭ କରିବେ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ମତାମତ ସଂଗ୍ରହ କରାଯିବ। ଏହାପରେ ସେଗୁଡ଼ିକ ଅନୁଧ୍ୟାନ କରି ଦଳ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ବୋଲି ଦଳର ସାଧାରଣ ସମ୍ପାଦକ ଡକ୍ଟର ଅରୁଣ କୁମାର ସାହୁ କହିଛନ୍ତି।