ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟ ଘଣ୍ଟା ମନା
ଭୁବନେଶ୍ବର : ଚଳିତ ବର୍ଷ +୨ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଏସ୍ପିଙ୍କୁ ପରିଷଦ ଅନୁରୋଧ କରିଛି। ପରୀକ୍ଷା ପରିଚାଳନାରେ ସହାୟତା ଓ ଅଭିଯୋଗ ପାଇଁ ଦୁଇଟି ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଏହି ଦୁଇଟ୍ ହେଲ୍ପ ଲାଇନ୍ ନମ୍ବର ହେଲା ୦୬୭୪-୨୩୦୩୮୦୩, ୨୩୦୦୦୯୯ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।
ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ରାଜ୍ୟର ମୋଟ ୨୦୨ଟି ପରୀକ୍ଷା ପରିଚାଳନା ହବ୍ (ଏକ୍ଜାମିନେସନ୍ ମ୍ୟାନେଜମେଣ୍ଟ ହବ୍)କୁ ପ୍ରଶ୍ନପତ୍ର ପଠାଯିବ। ହବ୍ରୁ ୧୦୯୧ଟି ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦିନ କଡ଼ା ସୁରକ୍ଷାରେ ପ୍ରଶ୍ନପତ୍ର ଯିବ। କୌଣସି ବିଦ୍ୟୁତ୍ ସରଞ୍ଜାମ ପରୀକ୍ଷା କେନ୍ଦ୍ରକୁ ବିଦ୍ୟାର୍ଥୀ ନେଇ ପାରିବେନି। ସ୍ମାର୍ଟ ଘଣ୍ଟା ଉପରେ ଚଳିତ ବର୍ଷ କଟକଣା ଜାରି କରାଯାଇଛି। ପ୍ରତ୍ୟେକ ଦିନ ୯.୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ୫ରୁ୧୦ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ଯିବ। କେନ୍ଦ୍ର ଅଧ୍ୟୀକ୍ଷକଙ୍କ ବ୍ୟତୀତ କୌଣସି କର୍ମଚାରୀ ଓ ଅଧ୍ୟାପକ ମୋବାଇଲ ପାଖରେ ରଖିପାରିବେନି। ପରୀକ୍ଷା କେନ୍ଦ୍ରରେ ଦୁଇଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ଯାଞ୍ଚ କରାଯିବ। ଏଯାବତ୍ ୯୩୬ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି। ଯେଉଁ କେନ୍ଦ୍ରରେ ସିସିଟିଭି ନ ଲାଗିବ ତାକୁ ସମ୍ବେଦନଶୀଳ ଭାବେ ଗଣନା କରି ସେଠାରେ ଅଧିକ ସ୍କ୍ବାଡ୍ ମୁତୟନ କରାଯିବ। ପରୀକ୍ଷାର୍ଥୀ ରୋଲ୍ ନମ୍ବର ବ୍ୟତୀତ ପ୍ରଶ୍ନପତ୍ରରେ ଆଉ କିଛି ଲେଖିପାରିବେନି। ପ୍ରଶ୍ନପତ୍ରରେ ଥିବା ନିର୍ଦିଷ୍ଟ ଜାଗାରେ କେବଳ ରୋଲ୍ ନମ୍ବର ଲେଖିବେ। ଅଧ୍ୟାପକଙ୍କୁ ନେଇ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ ଗଠନ କରାଯାଇଛି। ବଟ୍ନି ଓ ଜୁଲୋଜି ପରୀକ୍ଷା ମଧ୍ୟରେ ୨୦ ମିନିଟ୍ ବ୍ୟବଧାନ ରଖାଯିବ। ଚଳିତ ବର୍ଷ ଗୋଟିଏ ଦିନରେ ବଟ୍ନି ଓ ଜୁେଲାଜି ପରୀକ୍ଷା ପୃଥକ ଭାବେ ହେବ।
୨୦୧୭ କିମ୍ବା ପୂର୍ବର ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ହଳଦିଆ ରଙ୍ଗର ପ୍ରଶ୍ନପତ୍ର କରାଯାଇଛି। ୨୦୧୮ ଓ ୨୦୧୯ ଶିକ୍ଷାବର୍ଷର ଛାତଛାତ୍ରୀଙ୍କ ପାଇଁ ଧଳାରଙ୍ଗ କରାଯାଇଛି । ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ କୁମାର ସାହୁ, ଡେପୁଟି ପରୀକ୍ଷା ନିୟନ୍ତ୍ରକ ଡ.ପ୍ରବୋଧ କୁମାର ପଣ୍ଡା, ଡେପୁଟି ପରୀକ୍ଷା ନିୟନ୍ତ୍ରକ ଡ.ପ୍ରଶାନ୍ତ କୁମାର ଦାସ, ଆସିଷ୍ଟାଣ୍ଟ ପରୀକ୍ଷା ନିୟନ୍ତ୍ରକ ସଞ୍ଜୟ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।