www.samajalive.in
Friday, December 5, 2025
20.1 C
Bhubaneswar

ଚାଷୀର ସାର ସମସ୍ୟା ଓ ସମାଧାନ

ଭୁବନେଶ୍ଵର: ରାଜ୍ୟରେ ସାର ସମସ୍ୟା ପ୍ରତ୍ୟେକ ବର୍ଷ ଖରିଫ ଫସଲ ପାଇଁ ଆସିଥାଏ। ଖରିଫରେ ଧାନ ଚାଷ ମୋଟ୍‌‌ ଚାଷ ଜମିରୁ ୭୦% ହୋଇଥାଏ। ଧାନ ଚାଷ ମେ ମାସରୁ ଆରମ୍ଭ ହୁଏ ଏବଂ ଧାନ କିସମ ଅନୁଯାୟୀ ରୁଆ, ବେଉଷଣ କାମ ଜୁଲାଇ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥାଏ। ବୁଣା ଧାନ ଚାଷରେ କମ୍‌‌ ପାଣି ସାର ଦରକାର ହୁଏ। ରୁଆ ଧାନ ଚାଷରେ ସାର, ପାଣି, କୀଟନାଶକ ବିଷ ଅଧିକ ଆବଶ୍ୟକ ପଡ଼ିଥାଏ। ପ୍ରଥମ ସବୁଜ ବିପ୍ଳବ ୧୯୬୫ରେ ଆରମ୍ଭ ହେବା ଠାରୁ ଦେଶୀ ବିହନ ପାରମ୍ପରିକ କ୍ଷେତ ପରିଚାଳନା ପରିବର୍ତ୍ତେ ଉନ୍ନତ ଅଧିକ ଅମଳକ୍ଷମ ବିହନ, ସଙ୍କର ଜାତୀୟ ବିହନ, ବୈଜ୍ଞାନିକ ପଦ୍ଧତିରେ ଚାଷ ପାଇଁ ଚାଷୀର ଆଗ୍ରହ ବଢ଼଼ିଛି। ମୂଳ ଲକ୍ଷ୍ୟ ଅମଳ ବୃଦ୍ଧି ସାଙ୍ଗକୁ ଚାଷୀର ଆର୍ଥିକ ଲାଭକୁ ଦେଖାଯାଏ। ସେହି ଅନୁଯାୟୀ ରାସାୟନିକ ସାର ହିସାବରେ ୟୁରିଆ, ପଟାସ୍‌‌, ସୁପର, ଡ଼ି.ଏ. ପି. ଏବଂ ଆବଶ୍ୟକ ଅନୁଯାୟୀ କୀଟନାଶକ ବିଷ ପ୍ରୟୋଗ କରାଯାଇଥାଏ। ଏଥିପାଇଁ ଚାଷୀ ମଧ୍ୟ ଅଧିକ ଖର୍ଚ୍ଚ କରିଥାଏ।
ରାଜ୍ୟରେ ସମୁଦାୟ ୭୯ଲକ୍ଷ ୬୬ ହଜାର ହେକ୍ଟର ଚାଷ ଜମିରୁ ୪୯.୩୨ ପ୍ରତିଶତ ଧାନ ଚାଷ କରାଯାଏ। ଅଣ ଧାନ ଚାଷରେ ଫସଲ ବିବିଧୀକରଣ ଯୋଜନାରେ ଚାଷୀମାନଙ୍କୁ ଇନ୍‌ପୁଟ ସହାୟତା ଅଧିକ ମିଳିଥାଏ। କୃଷି ବିଭାଗ ସୂଚନା ଅନୁଯାୟୀ ଧାନ ଚାଷ ଅପେକ୍ଷା ଅଣ ଧାନ ଚାଷରେ ଏକକ ସାର କମ୍‌‌ ବ୍ୟବହାର ହୁଏ। ସେଥିପାଇଁ ସାର ସଙ୍କଟ ମୁଖ୍ୟତଃ ରବି ଫସଲରେ ଦେଖାଯାଏ ନାହିଁ। ରାଜ୍ୟରେ ୫୦ରୁ ଅଧିକ ପ୍ରକାର ବିଭିନ୍ନ ଫସଲ କରାଯାଏ। ସବୁ ଫସଲ ଅପେକ୍ଷା ଧାନ ଫସଲରେ ଏକର ପ୍ରତି ଅଧିକ ଖର୍ଚ୍ଚ ହୋଇଥାଏ। ଖର୍ଚ୍ଚ ମଧ୍ୟରେ ସାର, ବିଷ ବିଭିନ୍ନ ରୋଗ ପାଇଁ ଔଷଧ ଏବଂ ବେଉଷଣରେ ବିଶେଷ ଖର୍ଚ୍ଚ ହୋଇଥାଏ।
ରାଜ୍ୟରେ ସାର ସଙ୍କଟ, କଳାବଜାର, ଅପମିଶ୍ରଣକୁ ରୋକିବା ପାଇଁ ସରକାରଙ୍କ କୃଷି ବିଭାଗ ସହିତ ଯୋଗାଣ ଏବଂ ସାର ବିଷ ନମୁନା ପରୀକ୍ଷା ଏବଂ ପରିଚାଳନା ବିଭାଗ କାର୍ଯ୍ୟ କରୁଛନ୍ତି। ତଥାପି ଚାଷୀମାନେ ଅପମିଶ୍ରିତ ସାର, କୀଟନାଶକ, ବିହନ ଦ୍ୱାରା ଠକାମିର ଶିକାର ହେଉଛନ୍ତି। ନିଜେ ଚାଷୀମାନେ ଖୋଲାଖୋଲି ଭାବେ ଅପମିଶ୍ରଣ ସାର କଳାବଜାରକୁ ମୋବାଇଲରେ ଭିଡ଼ିଓ ଉଠାଇ ଭାଇରାଲ୍‌‌ କରୁଛନ୍ତି। ଆମ ଦେଶ କେତେକ ରାସାୟନିକ ସାର ପାଇଁ ବାହାର ଦେଶ ଉପରେ ନିର୍ଭରଶୀଳ। କୃଷିର ବିକାଶ ଘଟିଲେ ବି ପ୍ରଥମ ସବୁଜ ବିପ୍ଳବ ପରଠାରୁ ରାସାୟନିକ ସାରର ଚାହିଦା ଅଧିକ ଥିଲେ ମଧ୍ୟ ସାର ଉତ୍ପାଦନରେ ଆମ ଦେଶ ସ୍ୱାବଲମ୍ବୀ ହୋଇପାରିନାହିଁ। ଦେଶରେ ଚାଷ ପାଇଁ ଆବଶ୍ୟକ ହେଉଥିବା ୟୁରିଆ ଏକ ମୁଖ୍ୟ ସାର। ୟୁରିଆ ଆମର ମୋଟ୍‌‌ ଚାହିଦାର ୨୦ ପ୍ରତିଶତ ଆମଦାନୀ ହୁଏ। ରୁଷିଆ, ଚାଇନା, ଇରାନ, ସାଉଦି ଆରବରୁ ମୁଖ୍ୟତଃ ୟୁରିଆ ଆମଦାନୀ ହୋଇଥାଏ। ରୁଷିଆ ବିଶ୍ୱର ସର୍ବାଧିକ ୟୁରିଆ ସାର (ନାଇଟ୍ରୋଜେନ) ଉତ୍ପାଦନକାରୀ ରାଷ୍ଟ୍ର। ସେହିପରି ଡ଼ି.ଏ.ପି. ସାର ପାଇଁ ମୁଖ୍ୟତଃ ଭାରତ ଚୀନ୍‌‌ ଉପରେ ନିର୍ଭର କରିଥାଏ। ଚୀନରୁ ଭାରତ ବାର୍ଷିକ ହାରାହାରି ୨୨ ଲକ୍ଷ ୯୦ ହଜାର ଟନ୍‌‌ ଡ଼ି.ଏ.ପି. ଆମଦାନୀ କରିଥାଏ। ଡ଼ି.ଏ.ପି. ସାର ଆମ ଚାହିଦା ଅନୁସାରେ ୬୦ ପ୍ରତିଶତ ଆମଦାନୀ ହୋଇଥାଏ। ଅନ୍ୟ ଏକ ସାର ପଟାସ(ମ୍ୟୁରେଟ୍‌‌ ଅଫ ପଟାସ) ଆମ ଚାହିଦା ଅନୁଯାୟୀ ୧୦୦ ପ୍ରତିଶତ ବାହାର ଦେଶରୁ ଆମଦାନୀ ହୁଏ। ଏହିସବୁ ବ୍ୟବସ୍ଥାର ସାମାନ୍ୟ ବ୍ୟତିକ୍ରମ ଘଟିଲେ ଦେଶର ଚାଷ ଉପରେ ପ୍ରଭାବ ପଡ଼ିଥାଏ। ଏପରି କି ଧାର୍ଯ୍ୟ ଅମଳ କମିଯାଏ। ଯାହା କୃଷକ ପରିବାରକୁ ଆର୍ଥିକ କ୍ଷତି ସହିବାକୁ ପଡ଼େ।
ଚଳିତବର୍ଷ ଜୁଲାଇ ମାସରୁ ସାରା ରାଜ୍ୟରେ ସାର ଯୋଗାଣକୁ ନେଇ ସମସ୍ୟା ଦେଖା ଦେଇଛି। କେତେକ ଜିଲାରେ ଚାଷୀ ନିଜ ନିଜ ଚାହିଦାକୁ ଲକ୍ଷ୍ୟ କରି ସାର ପାଇପାରୁନାହାନ୍ତି। ଅନେକ ସ୍ଥାନରେ ଚାଷୀମାନେ କୃଷି ସମବାୟ, ସାର ଦୋକାନ ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି। ତେବେ ଅଗଷ୍ଟ ମାସ ଶେଷ ସୁଦ୍ଧା କୃଷି ବିଭାଗ ତଥ୍ୟ କହୁଛି ରାଜ୍ୟର ୭.୯୪ ଲକ୍ଷ ଟନ୍‌‌ ସାର ମହଜୁଦ ଅଛି। ଏଥିରୁ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି; କିନ୍ତୁ ଚାଷୀ ଆବଶ୍ୟକତା ବା ଚାହିଦା ଅନୁସାରେ ସାର ପାଇ ପାରୁନାହାନ୍ତି ବୋଲି ଆନ୍ଦୋଳନ କରୁଛନ୍ତି। ବିଭାଗ ତଥ୍ୟ ଯଦି ଠିକ୍‌‌ ସାର ସଙ୍କଟ ପରିସ୍ଥିତି ଦେଖାଦେଉଛି କିପରି? ରାଜ୍ୟ କୃଷି ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟ ହେଲା ରାଜ୍ୟରେ ୨୦୨୫ ଖରିଫ ଚାଷ ପାଇଁ ମୋଟ୍‌‌ ୫୮.୫୦ ଲକ୍ଷ ହେକ୍ଟର ଫସଲ ଯୋଜନା ଧାର୍ଯ୍ୟ କରାଯାଇଛି। ସେହି ଅନୁଯାୟୀ ରାଜ୍ୟକୁ ଆବଣ୍ଟନ ପାଇଁ ୧୦ ଲକ୍ଷ ମେଟ୍ରିକ ଟନ୍‌‌ ସାର ଯୋଗାଣ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାର ଖରିଫ ସାର ଦାବିରୁ ୯.୫୫ ଲକ୍ଷ ମେଟ୍ରିକ ଟନ୍‌‌ ସାର ଅଦ୍ୟାବଧି ଆବଣ୍ଟନ କରିଛନ୍ତି। ତେବେ ମୋଟ୍‌‌ ଚାହିଦାର ୯୯ ପ୍ରତିଶତ ସାର ରାଜ୍ୟ ପାଇସାରିଛି। ତଥାପି ସାର ସଙ୍କଟ ଦେଖାଦେଉଛି। ଅଧିକାଂଶ ଦୋକାନୀମାନେ ଅପମିଶ୍ରଣ ସାର ବିକ୍ରି କରୁଥିବା ବେଳେ କେତେକ ସ୍ଥାନରେ ସରକାରୀ ମୂଲ୍ୟ ଠାରୁ ଅଧିକ ଦାମରେ କଳାବଜାର ହେଉଛି।
ଏପ୍ରିଲ ମାସ ସୁଦ୍ଧା ପ୍ରତ୍ୟେକ ଜିଲାକୁ ତା’ର ଚାହିଦା ଅନୁସାରେ ସମସ୍ତ ମାର୍କଫେଡ଼୍‌‌କୁ ଯୋଗାଇ ଦିଆଯାଇଛି। ଡିଲର, କୃଷି ସମବାୟ, ଲ୍ୟାମ୍ପ ଅନ୍ୟାନ୍ୟ ଖୁଚୁରା ଦୋକାନୀମାନେ କେତେ ସାର ଉଠାଇ ବିକ୍ରି କରିଛନ୍ତି ତାହାର ଯାଞ୍ଚ ପ୍ରକ୍ରିୟା ଠିକ୍‌‌ ଭାବେ ହେଉନାହିଁ। ପ୍ରତ୍ୟେକ ଲାଇସେନ୍ସ ଦୋକାନୀମାନେ ଠିକ୍‌‌ ତଥ୍ୟ ଦେଉନାହାନ୍ତି। ବର୍ତ୍ତମାନ ଚାଷୀମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ନିକଟସ୍ଥ ସାର ଦୋକାନ କିମ୍ବା କୃଷି ସମବାୟମାନଙ୍କ ସାର ବିକ୍ରି ମୂଲ୍ୟ ଗଚ୍ଛିତ ସାର ଉପରେ ବିବରଣୀ ଦେବାର ବ୍ୟବସ୍ଥା କରାଯାଉ। ଚାଷୀ ସାର ଷ୍ଟକ ଏବଂ ମୂଲ୍ୟ ଉପରେ ସୂଚନା ପାଇବା ଦ୍ୱାରା କଳାବଜାରକୁ ରୋକା ଯାଇପାରିବ। ଚଳିତ ମାସ ପ୍ରଥମ ସପ୍ତାହରେ କୃଷି ବିଭାଗ ୪୫୪୬ଟି ଖୁଚୁରା ଦୋକାନ ଚଢ଼ଉ କରି ସେଥିରୁ ୧୨୦୨ଟିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୧୫୦ରୁ ଊର୍ଦ୍ଧ୍ବ ଦୋକାନୀଙ୍କ ବିକ୍ରୟ ବନ୍ଦ ସହ ଲାଇସେନ୍ସ ରଦ୍ଦ କରାଯାଇଛି। ସେହିସବୁ ସ୍ଥାନମାନଙ୍କରେ ନୂତନ ଲାଇସେନ୍ସ ଦିଆଯାଇ ସାର ବ୍ୟବସ୍ଥାକୁ ସୁବଣ୍ଟନ ବ୍ୟବସ୍ଥା କରାଯାଉ। ଯାହାଦ୍ୱାରା ଚାଷୀମାନେ ସମସ୍ୟାରେ ପଡ଼ିବେ ନାହିଁ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାର ନିୟନ୍ତ୍ରଣ ଆଦେଶ ୧୯୮୫ ଅନୁଯାୟୀ ସମୁଦାୟ ସାର ବିକ୍ରୟ ଉଠାଣକୁ ପରିଚାଳନା କରାଯାଇଥାଏ। ଦୀର୍ଘ ୪୦ ବର୍ଷର ଏହି ପୁରୁଣା ଆଇନର ପରିବର୍ତ୍ତନ ହେବା ଜରୁରୀ ମନେ ହୁଏ। କାରଣ ୪୦ ବର୍ଷ ତଳର ରାସାୟନିକ ସାର, କୀଟନାଶକ ବିଷ ଆବଣ୍ଟନ ବ୍ୟବସ୍ଥା ଯାହା ଥିଲା ଏବଂ ଚାଷୀର ଚାହିଦା ଯାହା ବଢ଼଼ିଛି ସେହି ଅନୁସାରେ ନିୟମକୁ ଅଧିକ କ୍ରିୟାଶୀଳ କରିବା ଉଚିତ୍‌‌। ଯାହାଦ୍ୱାରା କଳାବଜାରୀ, ଅପମିଶ୍ରଣ ଏବଂ ନିୟମ ଉଲ୍ଲଙ୍ଘନକାରୀ ଦୋକାନୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। କୃଷି ବିଭାଗ ଅଧିକାରୀମାନଙ୍କର ଏନ୍‌‌ଫୋର୍ସମେଣ୍ଟ କ୍ଷମତା ବ୍ୟବହାର ନାହିଁ। ଅଧିକାଂଶ ବଡ଼ ବଡ଼ କଳାବଜାରୀ ଅପରାଧୀମାନେ ଖସି ଯାଉଛନ୍ତି।
ରାଜ୍ୟ ସରକାର ଜୈବିକ କୃଷି ଉପରେ ଗୁରୁତ୍ୱ ଦେବା ଉଚିତ୍‌‌। ରାସାୟନିକ ସାର, କୀଟନାଶକ ବିଷ ପ୍ରୟୋଗ ମାତ୍ରା ଏତେ ବଢ଼଼ିଯାଇଛି ଯେ ଦିନକୁ ଦିନ ପରିବେଶ ବିଷାକ୍ତ ହେବାକୁ ଯାଉଛି। ଉତ୍ପାଦିତ ଫସଲ ଖାଦ୍ୟ ଭାବେ ଗ୍ରହଣ କରିବାରୁ ମାନବ, ପଶୁ, ପକ୍ଷୀମାନେ ନାନାଦି ମାରାତ୍ମକ ରୋଗର ଶିକାର ହେଉଛନ୍ତି। ପୂର୍ବପରି ଚାଷୀ ପରିବାରମାନଙ୍କରେ ଗୁହାଳରୁ ଯେଉଁ ଗୋବର ଖତ ବାହାରୁଥିଲା ଏବଂ ବର୍ଷ ଶେଷରେ କ୍ଷେତରେ ପ୍ରୟୋଗ କରାଯାଉଥିଲା ତାହା ଆଉ ପ୍ରାୟ ହେଉନାହିଁ। ଦିନକୁ ଦିନ ମାଟିର ପ୍ରାକୃତିକ ଉର୍ବରତା କମିଯାଉଛି। ଏଣୁ ସରକାର ଜୈବିକ କୃଷିକୁ ଗୁରୁତ୍ୱ ଦେବା ସହ ଜୈବିକ ସାର, କୀଟନାଶକ, କୃଷି ଉଦ୍ୟୋଗ ଦ୍ୱାରା କରାଯାଇ ଚାଷୀମାନଙ୍କୁ ରିଆତି ଦରରେ ଯୋଗାଇ ଦିଅନ୍ତୁ ଏବଂ ବିଭିନ୍ନ ଯୋଜନାରେ ଜୈବିକ କୃଷିକୁ ସାମିଲ କରାଯାଇ ଚାଷୀମାନଙ୍କୁ ପ୍ରୋତ୍ସାହିତ କରନ୍ତୁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories