ସମାଜ ଡିଜିଟାଲ ଡେସ୍କ: ୨୬ଟି ୟୁରୋପୀୟ ଦେଶ ୟୁକ୍ରେନ ପାଇଁ ସୁରକ୍ଷା ବାହିନୀ ଗଠନ କରିବାକୁ ଏବଂ ୟୁକ୍ରେନୀୟ ସେନାକୁ ସୁଦୃଢ କରିବାକୁ ଘୋଷଣା କରିଛନ୍ତି । ଯାହାକୁ ନେଇ ରୁଷ ନିଜର ଅସନ୍ତୋଷ ପ୍ରକାଶ କରିଛି । ରୁଷ ୟୁକ୍ରେନ ପାଇଁ ସୁରକ୍ଷା ଗ୍ୟାରେଣ୍ଟିକୁ କଡା ସମାଲୋଚନା କରିଛି ଏବଂ ଏହି ନିଷ୍ପତ୍ତିକୁ ୟୁରୋପୀୟ ମହାଦେଶ ପାଇଁ ବିପଦର ଗ୍ୟାରେଣ୍ଟି ବୋଲି କହିଛି । ରୁଷର ବୈଦେଶିକ ମନ୍ତ୍ରଣାଳୟ କହିଛି ୟେୁକ୍ରେନ ପାଇଁ ୟୁରୋପୀୟ ଦେଶମାନଙ୍କର ପ୍ରସ୍ତାବ ମସ୍କୋ ପାଇଁ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ।
ୟୁରୋପୀୟ ଦେଶକୁ ରୁଷର ଚେତାବନୀ
ରୁଷ ୟୁରୋପୀୟ ଦେଶମାନଙ୍କୁ କଡା ଚେତାବନୀ ଦେଇଛି । ୟୁରୋପୀୟ ଦେଶମାନଙ୍କୁ ୟୁକ୍ରେନରେ ଯେକୌଣସି ପ୍ରକାରର ବିଦେଶୀ ସୈନ୍ୟ ମୁତୟନକୁ ଉତ୍ତେଜନାମୂଳକ କାର୍ଯ୍ୟ ଭାବରେ ବିବେଚନା କରାଯିବ ଏବଂ ଏହାର କଡା ଜବାବ ଦିଆଯିବ । ସେପଟେ ଏହି ଧମକକୁ ଅଣଦେଖା କରି ସୁରକ୍ଷା ବାହିନୀ ଗଠନ ସହିତ ଜଡିତ ୟୁରୋପୀୟ ନେତାମାନେ ସୁରକ୍ଷା ଗ୍ୟାରେଣ୍ଟି ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ସେମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଏବଂ ରୁଷଠାରୁ ୟୁକ୍ରେନ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ଦାବି କରିଥିଲେ ।



