ଭୁବନେଶ୍ଵର: ଘୋର ଜଙ୍ଗଲ ମଧ୍ୟରେ ତପସ୍ୟା କରୁଥିବା ଋଷି ଶାକଲ୍ୟ ଅଧିକାଂଶ ସମୟ ସମାଧିସ୍ଥ ଅବସ୍ଥାରେ ରହୁଥିଲେ। ଜଣେ ବନବାସୀ ତାଙ୍କ ସମ୍ମୁଖରେ ପ୍ରତ୍ୟହ କିଛି ସମିଧ, ଜଙ୍ଗଲୀ ଫଳମୂଳ, ଫୁଲ ଆଦି ସଂଗ୍ରହ କରି ରଖିଦେଇ ଯାଉଥାନ୍ତି ପ୍ରତ୍ୟୁଷରୁ। ଋଷି ପୂଜାର୍ଚ୍ଚନା,ଖାଦ୍ୟ ସଂଗ୍ରହରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ- ଏହା ଦୃଷ୍ଟିରେ ରଖି ବନବାସୀ ସେବାଭାବାପନ୍ନ ହୋଇ ଏହା କରୁଥିଲେ। ଋଷି ଅନୁମାନ କରିନେଲେ କେହି ଜଣେ ସଦୟ ହୋଇ ତାଙ୍କର ସେବା କରୁଛନ୍ତି। ଦିନେ ବିବିଧ ସାମଗ୍ରୀ ରଖି ବନବାସୀ ନୀରବରେ ଚାଲିଯାଉଥିଲାବେଳେ ଋଷିଙ୍କ ନଜରରେ ପଡ଼ିଥିଲେ। ପାଖକୁ ଡାକି କହିଥିଲେ- ‘ବତ୍ସ! ମୁଁ ତୁମର ସେବାରେ ପ୍ରୀତ। ଯଦି କିଛି ଇଚ୍ଛା ଅଛି ପ୍ରାର୍ଥନା କରିପାର। ମୁଁ ତାହା ପୂରଣ କରିବି।’ ବନବାସୀ ନମ୍ର ଭାବରେ କହିଥିଲେ- ‘ଭଗବନ୍! ମୋର ଏକମାତ୍ର ଇଚ୍ଛା ହେଲା ସମଗ୍ର ସଂସାରର ପାଳନକର୍ତ୍ତା ହୋଇଥିବାରୁ ଈଶ୍ବର ଥକି ପଡ଼ିବେଣି। କେତେ ଦାୟିତ୍ବ ମୁଣ୍ଡେଇଛନ୍ତି। ଯଦି ସେ ସର୍ବଦା ପ୍ରସନ୍ନ ରହନ୍ତେ, ତେବେ ଥକି ପଡ଼ିବେ ନାହିଁ କି କ୍ଳାନ୍ତିବୋଧ କରିବେନି। ମୁଁ ଚାହୁଁଛି ସେ ସର୍ବଦା ପ୍ରସନ୍ନ ରୁହନ୍ତୁ, ଏହା ମୋ ପକ୍ଷରୁ ତାଙ୍କୁ କହିବେ।’ ଗୋଟିଏ ବନବାସୀର ଏଭଳି ଅଦ୍ଭୁତ ଭକ୍ତିଭାବ ଦେଖି ଋଷି ଅବାକ୍ ହୋଇଯାଇଥିଲେ। ଆଶ୍ବାସନା ଦେଇ କହିଥିଲେ ମୁଁ ତୁମ ମନକଥା ପ୍ରଭୁଙ୍କୁ କହିବି। ଦିନେ ବନବାସୀ ଋଷିଙ୍କୁ କହିଥିଲେ- ‘ମୁଁ ଶୁଣିବାକୁ ପାଉଛି ଭଗବାନ ଶ୍ରୀକୃଷ୍ଣ ଏହି ଜଙ୍ଗଲକୁ ଆସୁଛନ୍ତି। ଯଦି ସେ ସାକ୍ଷାତ କରିବାକୁ ଆପଣଙ୍କ ଦ୍ବାରକୁ ଆସନ୍ତି, ତେବେ ତାଙ୍କୁ ମୋର କୁଟୀରକୁ ଯିବା ପାଇଁ କହିବେ।’ ସ୍ଥୂଳବୁଦ୍ଧିରେ ନିରୀହ ବନବାସୀ ଏ କଥା ଋଷିଙ୍କୁ କହିଦେଲା ସିନା, ପରମୁହୂର୍ତ୍ତରେ ମନକୁ ଆସିଲା ଭଗବାନ ମୋର କୁଟୀରକୁ କାହିଁକି ଆସିବେ, ତାଙ୍କର ବା ମୋଠାରେ କ’ଣ କାମ? ସେ ତ ଦୁନିଆଯାକର ଜଞ୍ଜାଳ ମୁଣ୍ଡାଇଛନ୍ତି, ତାଙ୍କୁ କୋଉଠୁ ତର ହେବ ଯେ ଆସିବେ। ହେଲେ ବନବାସୀର ଆଶ୍ଚର୍ଯ୍ୟର ସୀମା ନଥିଲା ଯେତେବେଳେ ସେ ଦେଖିଲା ପରବର୍ତ୍ତୀ ଦିନ ଭଗବାନ ସ୍ବୟଂ ତା’ର କୁଟୀରର ଦ୍ବାର ଦେଶରେ ଉଭା ହୋଇ ମୃଦୁମନ୍ଦ ହସୁଛନ୍ତି। ଭାବବିଭୋର ହୋଇ ବନବାସୀ ତାଙ୍କର ଦୁଇ ପାଦକୁ ଧରି ସାଷ୍ଟାଙ୍ଗ ପ୍ରଣିପାତ କରିଥିଲା। ଭଗବାନ ବନବାସୀ ଉଦ୍ଦେଶ୍ୟରେ କହିଥିଲେ- ‘ଋଷି ଶାକଲ୍ୟ ମୋତେ କହିଲେ ଯେ ମୋର କଷ୍ଟ ଅନୁଭବ କରି ତୁମେ ବହୁତ ଚିନ୍ତିତ। ଏହି କାରଣରୁ ତୁମର ସାନ୍ନିଧ୍ୟ ପାଇବା ନିମନ୍ତେ ମୁଁ ତୁମ ନିକଟକୁ ଆସିଛି। ତୁମର ଧାରଣା ଭୁଲ। ପ୍ରକୃତରେ ମୁଁ ସଂସାରର ପାଳନକର୍ତ୍ତା ଭାବରେ ମୋ ଦାୟିତ୍ବ ନିର୍ବାହ କରୁଛି ମାତ୍ର।’ ପ୍ରକୃତପକ୍ଷେ ଯିଏ ବନବାସୀ ସଦୃଶ ଭଗବାନଙ୍କ ଧ୍ୟାନ ନିଷ୍କାମ ଭାବରେ କରିଥାଆନ୍ତି ଭଗବାନ ପ୍ରତି କ୍ଷେତ୍ରରେ ତାଙ୍କର ସହଯୋଗୀ ହୋଇଯାଇଥାନ୍ତି, ତାଙ୍କ ପ୍ରତି ନିଘା ରଖିଥାନ୍ତି।
Popular Categories



