ଜଗତସିଂହପୁର : ଜଗତସିଂହପୁରର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗୁରୁତର ମହିଳା ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ଅକ୍ସିଜେନ ସରିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଆମ୍ବୁଲାନ୍ସ ମାଲିକଙ୍କ ଏପରି ଦାୟିତ୍ୱହୀନତାକୁ ଏଥିପାଇଁ ଦାୟୀ କରି କିଛି ଲୋକ ଆମ୍ବୁଲାନ୍ସ ଭଙ୍ଗାରୁଜା କରିଥିଲେ। ଆମ୍ବୁଲାନ୍ସକୁ ଜଗତସିଂହପୁର ଥାନାରେ ଅଟକ ରଖାଯାଇଛି। ଘଟଣାରୁ ପ୍ରକାଶ, ରବିବାର ବିଳମ୍ବିତ ରାତିରେ ଜଗତସିଂହପୁରର ବରିଷ୍ଠ ଆଇନଜୀବୀ ତଥା ଅଁଳା ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗ୍ରାମର ପୀତାମ୍ବର ପଣ୍ଡାଙ୍କ ପତ୍ନୀ କମଳା ପଣ୍ଡା ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ପରୀକ୍ଷା କରିବା ପରେ ତୁରନ୍ତ ଅକ୍ସିଜେନ ଲଗାଇ କଟକ ବଡ଼ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ସେହି ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ କିମ୍ବା ହାଇଟେକ ଆମ୍ବୁଲାନ୍ସ ନଥିଲା। ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବ ବୋଲି ଉତ୍ତର ମିଳିଲା। ତେଣୁ ପରିବାର ଲୋକ ଏକ ଘରୋଇ ଆମ୍ବୁଲାନ୍ସରେ କମଳାଙ୍କୁ କଟକ ନେଇଥିଲେ। ଦୁଇ କି.ମି. ଯିବାପରେ ଆମ୍ବୁଲାନ୍ସରେ ଥିବା ସିଲିଣ୍ଡରରୁ ଅକ୍ସିଜେନ ସରିଯାଇଥିଲା। ଫଳରେ କମଳା ସେହିଠାରେ ଛଟପଟ ହୋଇ ନିସ୍ତେଜ ହୋଇଯାଇଥିଲେ। ରବିବାର ରାତି ପ୍ରାୟ ୧ଟା ସମୟରେ ପୁଣି ତାଙ୍କୁ ଜଗତସିଂହପୁର ହସ୍ପିଟାଲକୁ ଫେରାଇ ଅଣାଯାଇଥିଲା। ସେଠାରେ ଡାକ୍ତର କମଳାଙ୍କୁ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସର ଅକ୍ସିଜେନ ସରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣି ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବାରୁ ଚାଳକ ଖସି ପଳାଇଥିଲା। ସେଠାରେ ଉପସ୍ଥିତ ପୁଲିସ ଉକ୍ତ ଆମ୍ବୁଲାନ୍ସକୁ ଜବତ କରିବା ସହ ତା’ର ମାଲିକଙ୍କୁ ଥାନାକୁ ଡାକି ପଚରାଉଚରା ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ଆମ୍ବୁଲାନ୍ସରେ ଅକ୍ସିଜେନ ସରିବାରୁ ରୋଗୀଙ୍କ ମୃତ୍ୟୁ ହେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ୩ରୁ ୪ଜଣଙ୍କ ସମାନ କାରଣରୁ ମୃତ୍ୟୁ ଘଟିଛି। ଭଡ଼ା ପାଇବା ଲୋଭରେ ଅକ୍ସିଜେନ ନଥିଲେ ମଧ୍ୟ ଅକ୍ସିଜେନ ଅଛି ବୋଲି ରୋଗୀଙ୍କ ସମ୍ପର୍କୀୟଙ୍କୁ ମିଛ କହି କିଛି ଘରୋଇ ଆମ୍ବୁଲାନ୍ସ ଚାଳକ ରୋଗୀଙ୍କୁ ନେଇ ଯାଉଥିବା ଅଭିଯୋଗ ହେଉଛି। ତେଣେ ଜିଲା ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ଏହି ବେସରକାରୀ ଆମ୍ବୁଲାନ୍ସ ଉପରେ କିଛି କଟକଣା ରହୁନି କିମ୍ବା ନିୟମିତ ଭାବେ ଯାଞ୍ଚ କରାଯାଉନାହିଁ। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ଜେନାଙ୍କୁ ପଚାରିବାରୁ, ଏହା ଏକ ଦୁଃଖଦ ଘଟଣା। ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ହେଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ତେବେ ମହିଳାଙ୍କ ସ୍ୱାମୀ ଓ ପରିବାର ଲୋକେ ତାଙ୍କ ସଂସ୍କାର ପାଇଁ ପୁରୀ ଯାଇଛନ୍ତି ଓ ଫେରିଲେ ସେମାନେ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି।
Popular Categories



