ବ୍ୟାଙ୍କ ଭିତରେ ଯବାନଙ୍କ ଉନ୍ମତ କାଣ୍ଡ, ସହଯୋଗୀ ସହିତ ଅଟକ
ଖୁଣ୍ଟା : ଭାରତର ବାୟୁସେନା ସୀମା ଆରପାରିରେ ମଙ୍ଗଳବାର କାର୍ଯ୍ୟାନୁଷ୍ଠାନ କରି ଆତଙ୍କବାଦୀ ନିପାତ କରିବା ଘଟଣାରେ ଲୋକେ ଗର୍ବ ଅନୁଭବ କରୁଥିବା ବେଳେ ଅପରାହ୍ଣ ବେଳକୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଖୁଣ୍ଟା ଶାଖାରେ ନିଜକୁ ସାମରିକ ବାହିନୀର ଯବାନ ପରିଚୟ ଦେଇ ଜନୈକ ଯୁବକ ବ୍ୟାଙ୍କ ମଧ୍ୟରେ ଚୌକି ଫୋପାଡି ଗଣ୍ଡଗୋଳ ଭିଆଇବା ଘଟଣା ଲୋକଙ୍କୁ ମର୍ମାହତ କରିଛି। ଏହି ଘଟଣାରେ ପୁଲିସ ଶିଳଘାଟି ଗ୍ରାମର ବିଶ୍ୱନାଥ ମୁର୍ମୁ୍ଙ୍କ ପୁଅ ସାମନ୍ତ ଓ ଅନ୍ୟ ଜଣେ ସହଯୋଗୀକୁ ଅଟକ ରଖିଛି। ଅଭିଯୋଗରୁ ପ୍ରକାଶଯେ ଅପରାହ୍ଣ ୪ଟାରେ ସାମନ୍ତ ଓ ଅନ୍ୟ ଜଣେ ଯୁବକ ବ୍ୟାଙ୍କ ସଂଲଗ୍ନ ଏଟିଏମ ଭିତରେ ଦୀର୍ଘ ସମୟ ଧରି ରହିଥିଲେ। ଜଣେ ସ୍ଥାନୀୟ ଯୁବକ ଦୟାନିଧି ନାଥ ଟଙ୍କା ଉଠାଇବାକୁ ଯାଇ ସେମାନଙ୍କୁ ଏଟିଏମ ଭିତରୁ ବାହାରିବାକୁ କହିଥିଲେ ମଧ୍ୟ ସେମାନେ ମାନି ନଥିଲେ। ଦୀର୍ଘ ସମୟ ଅପେକ୍ଷା କରି ଦୟାନିଧି ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଜଣାଇବା ବେଳେ ଉକ୍ତ ଦୁଇ ଯୁବକ ପଛେ ପଛେ ବ୍ୟାଙ୍କ ଭିତରେ ପଶିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ସେମାନେ ବ୍ୟାଙ୍କ ଭିତରେ ପାଟିତୁଣ୍ଡ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହେବା ସହ ମାଡମରାମରି ପର୍ଯ୍ୟନ୍ତ କଥା ଯାଇଥିଲା। ଦୟାନିଧି ସେମାନଙ୍କ କବଳରୁ ମୁକୁଳି ବ୍ୟାଙ୍କ ବାହାରକୁ ଚାଲିଯାଇଥିବା ବେଳେ ସାମନ୍ତ ବ୍ୟାଙ୍କ ଭିତରେ ଚେୟାର ଆଦି ଫୋପାଡିଥିଲା। ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କର ସାଇରନ ବଜାଇ ଦିଆଯିବା ସହିତ ଫାଟକ ବନ୍ଦ କରିଦିଅ।ଯିବାରୁ ସାମନ୍ତ ଓ ତାର ସହଯୋଗୀ ଖସିଯାଇ ପାରିନଥିଲେ। ଖବର ପାଇ ଖୁଣ୍ଟା ଥାନାରୁ ପୁଲିସ ପହଞ୍ଚି ଦୁଇ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରିଥିବା ବେଳେ ଘଟଣା ସମ୍ପର୍କରେ ଦୟାନିଧି ଓ ବ୍ୟାଙ୍କ ଶାଖା ପରିଚାଳକ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସାମନ୍ତ ନିଜକୁ ପଦାତିକ ବାହିନିର ଯବାନ ବୋଲି ପରିଚୟ ଦେଉଥିବାରୁ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।