www.samajalive.in
Sunday, December 14, 2025
19.1 C
Bhubaneswar

ଗାନ୍ଧୀ ଶାନ୍ତି ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ୨୦୧୫, ୨୦୧୬, ୨୦୧୭ ଓ ୨୦୧୮ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ୨୦୧୫ ମସିହା ପାଇଁ କନ୍ୟାକୁମାରୀସ୍ଥିତ ବିବେକାନନ୍ଦ କେନ୍ଦ୍ରକୁ ଏହି ପୁରସ୍କାର ମିଳିଛି। ଗ୍ରାମୀଣ ବିକାଶ, ଶିକ୍ଷା ଏବଂ ପ୍ରାକୃତିକ ସମ୍ବଳର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ୨୦୧୬ ପାଇଁ ଉଭୟ ଅକ୍ଷୟ ପାତ୍ର ଫାଉଣ୍ଡେସନ ଓ ସୁଲଭ ଇଣ୍ଟରନେଶନାଲକୁ ସାମାଜିକ କ୍ଷେତ୍ରରେ ଅବଦାନ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଅକ୍ଷୟ ପାତ୍ର ଫାଉଣ୍ଡେସନ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବାରେ ସଫଳତା ହାସଲ କରିଥିବା ବେଳେ ସୁଲଭ ଇଣ୍ଟରନେଶନାଲ ଭାରତରେ ସ୍ୱଚ୍ଛତା ସ୍ଥିତିରେ ଅଗ୍ରଗତି ଆଣିବା ସହିତ ହାତରେ ମଇଳା ଉଠାଇବା କାର୍ଯ୍ୟ ଦୂର କରିବାରେ ମଧ୍ୟ ସଫଳତା ଲାଭ କରିଛନ୍ତି। ଏକଲ ଅଭିଯାନ ଟ୍ରଷ୍ଟକୁ ୨୦୧୭ ମସିହା ପାଇଁ ଏହି ପୁରସ୍କାର ମିଳିଛି। ଏକଲ ଅଭିଯାନ ଟ୍ରଷ୍ଟ ଦେଶରେ ସାମାଜିକ ସମାନତା ଆଣିବା ସହ ଆଦିବାସୀ ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ପିଲାଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେହିପରି ଭାରତ ସମେତ ବିଶ୍ୱରେ କୁଷ୍ଠ ରୋଗ ନିରାକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାପାନର ୟୋହି ସାସାକାବାଙ୍କୁ ୨୦୧୮ ମସିହା ପାଇଁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ବାବଦକୁ ନଗଦ ୧ କୋଟି ଟଙ୍କା, ମାନପତ୍ର ଓ ପାରମ୍ପରିକ ହସ୍ତଶିଳ୍ପ ଉପଢୌକନ ଆକାରରେ ପ୍ରଦାନ କରାଯାଇଛି। ମହାତ୍ମାଗାନ୍ଧିଙ୍କ ୧୨୫ତମ ଜନ୍ମଦିନ ଉପଲକ୍ଷେ ୧୯୯୫ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଅହିଂସା ଓ ଗାନ୍ଧିବାଦ ନୀତି ଅନୁସରଣ କରି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପରିବର୍ତ୍ତନ କ୍ଷେତ୍ରରେ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଥାଏ।

ପୁରସ୍କାର ପ୍ରଦାନ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଗାନ୍ଧିଜୀଙ୍କ ଚିନ୍ତାଧାରା ଏବଂ ଦର୍ଶନ ସମସ୍ତ ପିଢ଼ିର ଜନସାଧାରଣଙ୍କୁ ଆକୃଷ୍ଟ ପ୍ରଭାବିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories