ଭୁବନେଶ୍ଵର: ନୂତନ ସଂସଦ ଭବନ ନିର୍ମାଣ ପରେ ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟାରେ ନିର୍ମାଣାଧୀନ କେନ୍ଦ୍ର ସରକାରଙ୍କ ନୂଆ ସଚିବାଳୟ ଓ ବିଭିନ୍ନ ମନ୍ତ୍ରଣାଳୟର ଦପ୍ତର ପାଇଁ ଯେଉଁ ଅଟ୍ଟାଳିକା ଓ ଭବନମାନ ନିର୍ମିତ ହେଉଛି ସେଥିରୁ ଗୋଟିଏକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ଏହା କର୍ତ୍ତବ୍ୟ ଭବନ-୩ ନାମରେ ନାମିତ ଏବଂ ଏଥିର ସ୍ବରାଷ୍ଟ୍ର ଓ ବୈଦେଶିକ ସମେତ ପାଞ୍ଚଟି ମନ୍ତ୍ରଣାଳୟର ଦପ୍ତର ରହିବ। ପାର୍ଲାମେଣ୍ଟ ଭବନର ଆଖପାଖକୁ ନେଇ ଯେଉଁ ଦାପ୍ତରିକ ଓ ସରକାରୀ କୋଠାବାଡ଼ିମାନ ନିର୍ମିତ ହେଉଛି ତାହା ସେଣ୍ଟ୍ରାଲ ଭିଷ୍ଟାର ଅଂଶ ବିଶେଷ। ସେହି ସ୍ଥାନରେ ଥିବା ମୁଖ୍ୟ ରାସ୍ତାର ନାମ ରଖାଯାଇଛି କର୍ତ୍ତବ୍ୟପଥ ଯାହା ପୂର୍ବରୁ ରାଜପଥ ନାମରେ ନାମିତ ଥିଲା। ୨୦୨୨ରୁ ଏହା କର୍ତ୍ତବ୍ୟପଥ ନାମରେ ପୁନଃ ନାମିତ ହୋଇଛି। ଏହାର ଉଭୟ ପାର୍ଶ୍ବରେ ଓ ନିକଟରେ ମୋଟ ୧୦ଟି କର୍ତ୍ତବ୍ୟ ଭବନ ନିର୍ମାଣ କରାଯାଉଛି। ଅବଶିଷ୍ଟ ଭବନଗୁଡ଼ିକର ନିର୍ମାଣ କାର୍ଯ୍ୟ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଶେଷ ହେବବୋଲି କେନ୍ଦ୍ର ଆବାସ ଓ ସହରାଞ୍ଚଳ ବିକାଶମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି।
ସ୍ବାଧୀନତା ପରେ ବ୍ରିଟିଶ ଶାସନକାଳର ଏକ ପୁରୁଣା ଭବନରେ ପାର୍ଲାମେଣ୍ଟ ଚାଲିବା ସହିତ କେନ୍ଦ୍ରୀୟ ସଚିବାଳୟ ସ୍ଥାନାଭାବରୁ ଦିଲ୍ଲୀରୁ ବିଭିନ୍ନ ସ୍ଥାନରେ ଚାଲିଥିଲା। ସେଥି ମଧ୍ୟରୁ ନର୍ଥ ବ୍ଲକ, ସାଉଥ ବ୍ଲକ ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ମନ୍ତ୍ରଣାଳୟର ଦପ୍ତର ରହିଥିଲା ଏବଂ ସ୍ଥାନାଭାବ ଯୋଗୁଁ ଗୁଞ୍ଜିହୋଇ ସଚିବ ଓ ମନ୍ତ୍ରୀମାନେ ବସୁଥିଲେ। ପ୍ରଶାସନିକ ଦପ୍ତରକୁ ସୁସଂହତ କରିବା ସହ ଏହାକୁ ସେଣ୍ଟ୍ରାଲ ଭିଷ୍ଟା ଆଖପାଖରେ ରଖିବାକୁ ଯେଉଁ ପରିକଳ୍ପନା ପ୍ରଧାନମନ୍ତ୍ରୀ କରିଥିଲେ ତାହା ଯଥାର୍ଥ ଥିଲା। ପରିବର୍ତ୍ତିତ ସମୟର ଆବଶ୍ୟକତା ପୂରଣ ପାଇଁ ୧୦୦ ବର୍ଷର ପୁରୁଣା ଢ଼ାଞ୍ଚାକୁ ଭାଙ୍ଗି ନୂଆ ତିଆରି କରିବା ଥିଲା ଜରୁରୀ। ଏବେ କର୍ତ୍ତବ୍ୟ ଭବନ ୧ ଓ ୨ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଆସନ୍ତା ମାସରେ ଏହା କାର୍ଯ୍ୟକ୍ଷମ ହେବ। ସେହିଭଳି ଭବନ ନମ୍ବର ୧୦ର ନିର୍ମାଣ ଆସନ୍ତା ବର୍ଷ ଏପ୍ରିଲରେ ଶେଷ ହେବାକୁ ଥିବାବେଳେ ବିଜ୍ଞାନଭବନ ପରିସରରେ ଚାଲିଥିବା ୬ ଓ ୭ ନମ୍ବର ଭବନ ୨୦୨୬ ଅକ୍ଟୋବରରେ ଶେଷ ହେବାର ଲକ୍ଷ୍ୟ ରହିଛି। ଆଗରୁ ଯେଉଁ ଶାସ୍ତ୍ରୀଭବନ, ନିର୍ମାଣଭବନ, କୃଷିଭବନ ଓ ଉଦ୍ୟୋଗଭବନ ଆଦି ଥିଲା ସେଠାରେ କର୍ତ୍ତବ୍ୟ ଭବନ ୪,୫,୮ ଓ ୯ ନିର୍ମାଣ କରାଯିବ। ଏଥିପାଇଁ ଖୁବ୍ ଶୀଘ୍ର ଟେଣ୍ଡର କରାଯିବ। ସେହି ପୁରୁଣା ଭବନଗୁଡ଼ିକ ଭଙ୍ଗାଯିବାକୁ ଥିବାରୁ ସେଠାରେ ଥିବା ସରକାରୀ ଦପ୍ତରଗୁଡ଼ିକୁ କସ୍ତୁରବା ଗାନ୍ଧୀ ମାର୍ଗ, ମିଣ୍ଟୋରୋଡ଼ ଓ ଜୋଧପୁର ହାଉସକୁ ସ୍ଥାନାନ୍ତର କରାଯିବ।
ଭାରତ ବିକଶିତ ହେଉଛି ଏବଂ ଭବିଷ୍ୟତର ଆବଶ୍ୟକତା ପାଇଁ ଦେଶର କ୍ଷମତାକେନ୍ଦ୍ର ନୂଆଦିଲ୍ଲୀର ସଂସଦଭବନ, କେନ୍ଦ୍ରୀୟ ସଚିବାଳୟ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦପ୍ତରଗୁଡ଼ିକ ସମୟ ଉପଯୋଗୀ ତଥା ଭବିଷ୍ୟତର ଆବଶ୍ୟକତା ପୂରଣ ଅନୁସାରୀ କରିବାକୁ ପଡ଼ିବ। ସେଥିପାଇଁ ଏହି ସେଣ୍ଟ୍ରାଲ ଭିଷ୍ଟାର ପରିକଳ୍ପନା କରାଯାଇଛି। କେନ୍ଦ୍ରୀୟ ସଚିବାଳୟ ଓ ମନ୍ତ୍ରଣାଳୟଗୁଡ଼ିକୁ ଉତ୍ତମ ସଡ଼କ ଓ ମେଟ୍ରୋ ସଂଯୋଗର ଆବଶ୍ୟକତା ମଧ୍ୟ ଅଛି। ସେଥିପାଇଁ କର୍ତ୍ତବ୍ୟପଥର ବିକାଶ ସହିତ ଇନ୍ଦ୍ରପ୍ରସ୍ଥ ମେଟ୍ରୋ ଷ୍ଟେସନରୁ ଏକ ନୂଆ ମେଟ୍ରୋଲାଇନ ସେଣ୍ଟ୍ରାଲଭିଷ୍ଟାକୁ ତିଆରି ହେଉଛି। ଶାସନରେ ସମନ୍ବୟ ଓ ଏହାକୁ ଲୋକାଭିମୁଖୀ କରିବାକୁ କେନ୍ଦ୍ରୀୟ ସଚିବାଳୟ ତଥା ମନ୍ତ୍ରାଳୟ ଭବନଗୁଡ଼ିକର ଗୁରୁଦାୟିତ୍ବ ରହିଛି। ଏହା ଆମ ଦେଶର ଆଗାମୀ ୧୦୦ ବର୍ଷର ଆବଶ୍ୟକତା ପୂରଣ କରିବ। ସରକାରଙ୍କ ଏହି ପ୍ରୟାସ ଅବଶ୍ୟ ସ୍ବାଗତଯୋଗ୍ୟ। ତେବେ ଏହା ଯେପରି ଲୋକଙ୍କ ପାଇଁ ସହଜ ପହଞ୍ଚ ହେବ ସେଥିପ୍ରତି ସ୍ବତନ୍ତ୍ର ନଜର ରହୁ ଓ ଆକର୍ଷଣୀୟ ପରିଦୃଶ୍ୟର ବୀଥି ବିତାନରେ ପରିଣତ ନ’ହେଉ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପୁରୁଣା ବିଧାନସଭା ଓ ସଚିବାଳୟର ନବନିର୍ମାଣ ମଧ୍ୟ ଆବଶ୍ୟକ ସ୍ଥଳେ କରାଯାଉ।
କର୍ତ୍ତବ୍ୟ ଭବନ
Popular Categories



