ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଏସିଆ କପ୍ ପାଇଁ ଭାରତୀୟ ଦଳର ଘୋଷଣା ଚଳିତମାସ ୩ୟ ସପ୍ତାହରେ ହେବ। ଏହି ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ଶୁଭମନ ଗିଲ୍, ଯଶସ୍ବୀ ଜୟସୱାଲ ଓ ସାଇ ସୁଦର୍ଶନଙ୍କ ପରି ଯୁବ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ମିଳିପାରେ ବୋଲି ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ। ଭାରତୀୟ ଦଳର ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ଏକ ବର୍ଷରୁ ଅଧିକ ସମୟ ହେଲା ଯଶସ୍ବୀ ଓ ଗିଲ୍ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ଖେଳିନାହାନ୍ତି। ଗତବର୍ଷ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଦୁହେଁ ଭାରତ ପାଇଁ ସେମାନଙ୍କ ଶେଷ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଥିଲେ। ଏସିଆ କପ୍ ସେପ୍ଟେମ୍ବର ୮ରୁ ୟୁଏଇର ଦୁଇ ସହର ଦୁବାଇ ଓ ଆବୁଧାବିରେ ଖେଳାଯିବ। ଏହାର ଖେଳସୂଚୀ ଘୋଷଣା ହୋଇସାରିଛି।
ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପରେ ଉଭୟ ଶୁଭମନ ଗିଲ୍, ଯଶସ୍ବୀ ଜୟସୱାଲ ମାସାଧିକ ସମୟ ବିଶ୍ରାମ ପାଇଥିବାରୁ ଉଭୟଙ୍କୁ ଏସିଆ କପ୍ ଦଳରେ ସ୍ଥାନ ଦେବାକୁ ମନୋନୟନ କମିଟି ନିଷ୍ପତ୍ତି ନେଇଛି ବୋଲି ଉକ୍ତ ସୂତ୍ରରୁ ପ୍ରକାଶ। ଏସିଆ କପ୍ର ଫାଇନାଲ ମ୍ୟାଚ୍ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏହାର ୪ ଦିନ ପରେ ୱେଷ୍ଟଇଣ୍ଡିଜ ବିପକ୍ଷେର ଭାରତ ଘରୋଇ ଟେଷ୍ଟ ଶୃଙ୍ଖଳା ଖେଳିବ। ଏହାର ପ୍ରଥମ ଟେଷ୍ଟ ଅକ୍ଟୋବର ୨ରୁ ଅହମ୍ମଦାବାଦରେ ଆରମ୍ଭ ହେବ। ତେଣୁ ଭାରତୀୟ ଟେଷ୍ଟ ଦଳର ବିଶେଷଜ୍ଞଙ୍କୁ ଏସିଆ କପ୍ରେ ଖେଳାଯିବ କି ନାହିଁ; ତାହାକୁ ନେଇ ଅଜିତ ଆଗରକର ନେତୃତ୍ବାଧୀନ ମନୋନୟନ କମିଟି ବିଚାର କରୁଛି। ତେବେ ଏସିଆ କପ୍ରେ ଶୁଭମନ ଗିଲ୍, ଯଶସ୍ବୀ ଜୟସୱାଲ ଓ ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିବା ନିଶ୍ଚିତ ବୋଲି ଜଣାପଡ଼ିଛି।
ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ୫ ସପ୍ତାହର ବିଶ୍ରାମ ପରେ ଏସିଆ କପ୍ର ଫାଇନାଲକୁ ମିଶାଇ ୬ଟି ମ୍ୟାଚ୍ ଖେଳିଲେ କୌଣସି କ୍ରିକେଟରଙ୍କ ଶରୀର ଭାରାକ୍ରାନ୍ତ ହେବନାହିଁ। ଯଶସ୍ବୀ ଗତ ଆଇପିଏଲ୍ରେ ୧୬୦ ଷ୍ଟ୍ରାଇକ୍ରେଟରେ ୫୫୯ ଏବଂ ଗିଲ୍ ୧୫୫ ଷ୍ଟ୍ରାଇକ୍ରେଟରେ ୬୫୦ ରନ୍ କରିଥିଲେ। ଗୁଜରାଟ ଟାଇଟାନ୍ସ ଦଳରେ ଗିଲ୍ଙ୍କ ଓପ୍ନିଂ ଯୋଡ଼ି ସାଇ ସୁଦର୍ଶନ ୧୫୬ ଷ୍ଟ୍ରାଇକ୍ଟେଟରେ ୭୫୯ ରନ୍କରି ଅରେଞ୍ଜ୍ କ୍ୟାପ୍ ଜିତିଥିଲେ। ସୂଚନାଯୋଗ୍ୟ; ଗତ ବର୍ଷେ ହେଲା ଅଭିଷେକ ଶର୍ମା ଓ ସଞ୍ଜୁ ସାମ୍ସନ ଟ୍ବେଣ୍ଟି୨୦ରେ ଭାରତ ପାଇଁ ଓପନ୍ କରି ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଗିଲ୍, ଯଶସ୍ବୀ ଓ ସୁଦର୍ଶନଙ୍କୁ ଦଳରେ ସୁଯୋଗ ଦେଇ ଟ୍ବେଣ୍ଟି୨୦ ବିଶ୍ବକପ୍ ପାଇଁ ଦଳ ଗଠନ କରିବା ଲକ୍ଷ୍ୟ ମନୋନୟନକାରୀ ରଖିଛନ୍ତି। କାରଣ ମାତ୍ର ୬ ମାସ ପରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଭାରତ-ଶ୍ରୀଲଙ୍କାରେ ଖେଳାଯିବ। ତେଣୁ ଏଥିପାଇଁ ଅଧିକ ଦକ୍ଷ, ଅଭିଜ୍ଞ ଓ ପ୍ରତିଷ୍ଠିତ ଖେଳାଳିଙ୍କୁ ଟ୍ବେଣ୍ଟି୨୦ ଖେଳାଇବା ଲକ୍ଷ୍ୟ ମନୋନୟନ କମିଟି ରଖିଛି। ତେବେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ୍ଙ୍କୁ ଏସିଆ କପ୍ରୁ ବିଶ୍ରାମ ମିଳିପାରେ। ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ବ ନେବା ନିଶ୍ଚିତ। ବରିଷ୍ଠ ଅଲ୍ରାଉଣ୍ଡର ହାଦିକ ପାଣ୍ଡ୍ୟା ମଧ୍ୟ ଏସିଆ କପ୍ରେ ଖେଳିବା ନିଶ୍ଚିତ।



