www.samajalive.in
Friday, December 5, 2025
20.1 C
Bhubaneswar

ଆଜି ଗାଁରେ ପହଞ୍ଚିବ ୬ ଓଡିଆଙ୍କ ମୃତଦେହ

ଦିଗପହଣ୍ଡି: ଆନ୍ଧ୍ରପ୍ରଦେଶର ଏକ ପଥର ଖାଦାନରେ ରବିବାର ଦୁର୍ଘଟଣା ଘଟି ୬ ଓଡ଼ିଆ ଶ୍ରମିକଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆଜି ଗାଁରେ ପହଞ୍ଚିବ ମୃତ ଶ୍ରମିକଙ୍କ ମର ଶରୀର।  ଆନ୍ଧ୍ରପ୍ରଦେଶର ବାପଟଲା ଜିଲା ବାଲିକୁରାଭା ନିକଟ ଏକ ପଥର ଖାଦାନରୁ ପଥର କାଟିବା ବେଳେ ଏହା ଧସିଯିବାରୁ ସେଠାରେ କାମ କରୁଥିବା ଗଞ୍ଜାମ ଓ ଗଜପତି ଜିଲାର ୬ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲା ଦିଗପହଣ୍ଡିର ୨ଜଣ, ଧରାକୋଟ ବ୍ଲକର ୨ଜଣ ଏବଂ ଗଜପତି ଜିଲା ମୋହନାର ୨ଜଣ ଅଛନ୍ତି। ଆଜି ଦିନ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ପଥର ଖାଦାନ ଭିତରେ କାମ କରୁଥିବା ବେଳେ ଉପରପଟୁ ଖଣି ଧସିବାରୁ ପଥର ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦଣ୍ଡ ବାଡ୍ୟା, ବନମାଳି ଛେରା, ଭାସ୍କର ବିଷୋୟୀ, ସନ୍ତୋଷ ଗୌଡ, ଟୁକୁନା ଦଳେଇ ଓ ମୂଷା ଜେନା ଆଦି ରହିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ଘଟଣା ସଂପର୍କରେ ସୂଚନା ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ମୃତକଙ୍କ ନିକଟତମ ଆତ୍ମୀୟ ତଥା ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି। ଉକ୍ତ ପଥର ଖାଦାନରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସୂଚନା ମୁତାବକ, ଘଟଣାର ତିନିଦିନ ପୂର୍ବରୁ ପଥର କ୍ବାରୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। କ୍ବାରୀ ମଧ୍ୟରେ ପଥରକୁ ବର୍ଗାକାର କ୍ଷେତ୍ରରେ କଟା ଯାଇଥିବାରୁ ସେଥିରେ ବର୍ଷାପାଣି ଜମି ରହିବା ଫଳରେ ବୃହତ୍ତ ପଥରଖଣ୍ଡ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ସେହି ପଥର କଟା ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ଓଡିଆ ଶ୍ରମିକ ଜଣକ ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ଆଉ ୧୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାକାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ପରିବାରବର୍ଗଙ୍କୁ ସୂଚନା ଦେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଦିଗପହଣ୍ଡି ବ୍ଳକ୍‍ ତଥା କେ.ନୂଆଗାଁ ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମର ଭଗବାନ ବେହେରାଙ୍କ ପୁଅ ବନମାଳୀ ବେହେରା, ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡି ଗାଁର ଅଭିମନ୍ୟୁ ବାଡତ୍ୟାଙ୍କ ପୁଅ ଦଣ୍ଡପାଣି ବାଡତ୍ୟା, ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁର ମୂଷା ଜେନା, ମୋହନା ଥାନା ଅନ୍ତର୍ଗତ ଢେପାଗୁଡା ପଞ୍ଚାୟତର ଅଲରା ଗାଁର ଭାସ୍କର ବିଷୋୟୀ ଓ ଟୁକୁନା ଦଳେଇ ବୋଲି ଜଣାପଡିଛି। ତେବେ ମୃତକଙ୍କୁ ନେଇ ଭିନ୍ନ ଭିନ୍ନ ସୂଚନା ମିଳୁଥିବାରୁ ବାସ୍ତବରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ଓ ମୃତକମାନେ କେଉଁ ଅଞ୍ଚଳର ସେମାନଙ୍କ ନାମ ଓ ଠିକଣା ସମ୍ପର୍କରେ ରାତି ସୁଦ୍ଧା ସବିଶେଷ ସୂଚନା ମିଳିପାରିନି। ଏନେଇ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ସେମାନେ ଅବଗତ ଥିଲେ ହେଁ ମୃତକଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ସେମାନଙ୍କ ପାଖରେ ନଥିବା କହିଛନ୍ତି। ଏହି ଘଟଣାରେ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା ଗଭୀର ଦୁଃଖପ୍ରକାଶ କରିବା ସହ ଏକ ୩ ଜଣିଆ ଦଳ ଘଟଣାସ୍ଥଳକୁ ପଠାଇଛନ୍ତି। ଖବର ମୁତାବକ ଗଞ୍ଜାମ ଜିଲାପାଳଙ୍କ ନିର୍ଦେଶରେ ଗଞ୍ଜାମର ଜଣେ ଅତିରିକ୍ତ ଜିଲାପାଳ, ଅତିରିକ୍ତ ଶ୍ରମ ଅଧିକାରୀ ଓ ଜଣେ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି।
ଅଘଟଣ ପରେ ମୃତକମାନଙ୍କୁ ପଥର ତଳୁ ବାହାର କରାଯାଇଥିଲା। ଆନ୍ଧ୍ର ଗଣମାଧ୍ୟମ ସୂଚନା ପ୍ରକାରେ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇ ନଥିବା ବେଳେ ଏହି ଗ୍ରାନାଇଟ୍ ପଥର ଖାଦାନର ଆବଶ୍ୟକ ଅନୁମତି ରହିଛି । ଘଟଣା ବିଷୟରେ ଗଣମାଧ୍ୟମରୁ ଖବର ପାଇଛୁ, ଏକ ସ୍ବତନ୍ତ୍ର ଦଳ ଏହି ଘଟଣାର ଅନୁସନ୍ଧାନ କରିବା ସହ ସରକାରଙ୍କ ନିୟମ ଅନୁସାରେ ସହଯୋଗ କରାଯିବ। କିନ୍ତୁ ମୃତ୍ୟୁବରଣ କରିଥିବା ଗଜପତିର ଦୁଇ ଶ୍ରମିକ ଶ୍ରମ କାର୍ଯ୍ୟାଳୟରେ ଅନ୍ୟତ୍ର ଶ୍ରମଦାନ ପାଇଁ ପଞ୍ଜୀକୃତ କରିନାହାନ୍ତି ବୋଲି କହିଛନ୍ତି ଗଜପତି ଜିଲା ଶ୍ରମ ଅଧିକାରୀ ଭାରତୀ ବେହେରା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories