www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ଓଡିଶା ଆସିବ ବଳଙ୍ଗା ପୀଡିତାଙ୍କ ମରଶରୀର: ଘର ଆଗରେ ବଢ଼ିଲା ସୁରକ୍ଷା

ବଳଙ୍ଗା: ବହୁଚର୍ଚ୍ଚିତ ପୁରୀ ଜିଲା ବଳଙ୍ଗା ପୀଡ଼ିତା ଶନିବାର ଆଖି ବୁଜିଛନ୍ତି। ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୧୫ ଦିନର ଜୀବନ ଯୁଦ୍ଧରେ ପୀଡ଼ିତା ହାରିଯାଇଛନ୍ତି। ଏମ୍ସ ଡାକ୍ତରୀ ଦଳଙ୍କ ଆପ୍ରାଣ ଚେଷ୍ଟା ପରେ ମଧ୍ୟ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଆଜି ମୃତଦେହ ସେଠାରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ପରେ ମରଶରୀର ଗାଁକୁ ଅଣାଯିବା ପାଇଁ ଯୋଜନା ରହିଛି। ପୀଡ଼ିତାଙ୍କ ମୃତ୍ୟୁ ଖବର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୀଡ଼ିତାଙ୍କ ପରିବାର ମଧ୍ୟ ମାନସିକ ଭାରସାମ୍ୟ ହରାଇଛନ୍ତି। ତାଙ୍କୁ ବଞ୍ଚାଇବା ଲାଗି ସରକାରଙ୍କ ସବୁ ଉଦ୍ୟମ ମୃତ୍ୟୁ ଆଗରେ ହାର୍‌ ମାନିଛି। ପୁଲିସ ଓ କ୍ରାଇମବ୍ରାଞ୍ଚର ଅଧାପନ୍ତରିଆ ତଦନ୍ତ ପୀଡ଼ିତାଙ୍କ ମୃତ୍ୟୁ ପଛର କାରଣ ରହସ୍ୟ ଘେରରେ ରହିଯାଇଛି। ଏହି ଦୁଃଖଦ ଘଟଣା ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବିବୃତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ରାଜ୍ୟ ସରକାର ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିଲେ। ଦିଲ୍ଲୀ ଏମ୍ସରେ ବିଶେଷଜ୍ଞ ଡାକ୍ତରମାନେ ଅହୋରାତ୍ର ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରିଲା ନାହିଁ। ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କୁ ଦୃଢ଼ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଗତ ଜୁଲାଇ ୧୯ ତାରିଖ ସକାଳ ପ୍ରାୟ ୮ଟାରେ ଭାର୍ଗବୀ ନଦୀ ତେରହଳ ନିକଟରେ ପୀଡ଼ିତାଙ୍କୁ କେହି ଦୁର୍ବୃତ୍ତ ପୋଡ଼ି ହତ୍ୟା ଉଦ୍ୟମ କରିଥିଲେ। ନୂଆଁଗୋପାଳ ବସ୍ତି ତଥା ନିଜ ଘର ନିକଟରେ ଦୁର୍ବୃତ୍ତ ଅପହରଣ କରି ନେଇ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ଶରୀରର ପ୍ରାୟ ୭୦ ଭାଗ ପୋଡ଼ିଯାଇଥିଲା। ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲା। ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଥିଲେ। ଘଟଣାକୁ ସରକାର ଗୁରୁତ୍ବର ସହ ଗ୍ରହଣ କରିଥିଲେ। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦେଶ ଦେଇଥିଲେ। ପୁଲିସ ୫ଟି ସ୍ବତନ୍ତ୍ର ଦଳ ଗଠନ କରି ତଦନ୍ତ କରିଥିଲା। ପୁଲିସ ମହାନିର୍ଦେଶକ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ତଦନ୍ତକାରୀ ଦଳ ଭୁବନେଶ୍ବର ଏମ୍ସରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା। ଅଧିକ ଚିକିତ୍ସା ଲାଗି ୨୦ ତାରିଖ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ମଧ୍ୟ ଡାକ୍ତରୀ ଦଳ ଗଠନ କରାଯାଇ ପୀଡ଼ିତାଙ୍କୁ ସ୍ବତନ୍ତ୍ର ଚିକିତ୍ସା କରାଯାଉଥିଲା। ଦିଲ୍ଲୀ ଏମ୍ସରେ ପୁରୀ ପୁଲିସ ଓ କ୍ରାଇମବ୍ରାଞ୍ଚ ଦଳ ପହଞ୍ଚି ୩ ଥର ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ। ଏପରିକି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଙ୍କ ବୟାନ ନିଆଯାଇଥିଲା।
ପୀଡ଼ିତାଙ୍କ ବୟାନକୁ ଆଧାର କରି ପୁଲିସ ଏକ୍ସ ଜରିଆରେ ଘଟଣା ସମ୍ପର୍କରେ ସୂଚନା ଦେଇଛି ଯେ, ବଳଙ୍ଗା ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନଦିଅନ୍ତୁ।
ପୀଡ଼ିତାଙ୍କୁ ପୋଡ଼ି ଘଟଣା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ଘରଠାରୁ ଘଟଣାସ୍ଥଳ ପର୍ଯ୍ୟନ୍ତ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଥିଲା। ୨୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋବାଇଲ ଟ୍ରାକ୍‌ କରିଥିଲା ତଦନ୍ତକାରୀ ଦଳ। ଘଟଣାସ୍ଥଳରୁ ଜବତ ହୋଇଥିବା କିରାସିନି ବୋତଲ, ପୋଡ଼ା କପଡ଼ା ଓ ରୁପା ମୁଦିକୁ ନେଇ ମଧ୍ୟ ପୁଲିସ ତଦନ୍ତ କରିଥିଲା। ପୀଡ଼ିତାଙ୍କ ବୟାନରେ ତାଳମେଳ ନରହିବା ପୁଲିସ ଓ କ୍ରାଇମବ୍ରାଞ୍ଚ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ପୀଡ଼ିତାଙ୍କ ଚତୁର୍ଥ ବୟାନ ପୁଲିସର ତଦନ୍ତକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଥିଲା। ପୀଡ଼ିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ବିରୋଧୀ ଘେରିଛନ୍ତି। ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଓ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପାଇଁ ବିରୋଧୀ ସରକାରଙ୍କୁ ଦାୟୀ କରିଛନ୍ତି। ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଛି। ଶନିବାର ରାତିରେ ତାଙ୍କ ଘର ସମ୍ମୁଖରେ ପୁଲିସ ମୁତୟନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories