ଭୁବନେଶ୍ଵର: ଯଦିଓ କଥାବସ୍ତୁକୁ କିଏ ଉପସ୍ଥାପନ କରିଛନ୍ତି ତା’ର ସଠିକ୍ ପ୍ରାମାଣ ନାହିଁ ତଥାପି କେହି ଜଣେ ବିଚାରବନ୍ତ ବ୍ୟକ୍ତି ଏହା କହିଥିବାର ଦାବି ହୁଏ ଯେ – ‘କୌଣସି ଦେଶକୁ ଧ୍ୱଂସ କରିବା ପାଇଁ ପରମାଣୁ ବୋମା କିମ୍ବା ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର ଆବଶ୍ୟକ ନାହିଁ… ଏଥିପାଇଁ କେବଳ ଶିକ୍ଷାର ଗୁଣବତ୍ତା ହ୍ରାସ କରିବା ଏବଂ ଠକେଇକୁ ଅନୁମତି ଦେବା ଆବଶ୍ୟକ…’। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗରେ ଏସଏସବି ଅଧ୍ୟାପକ ବିଜ୍ଞପ୍ତି ରଦ୍ଦ ନେଇ ଚର୍ଚ୍ଚା ଜୋର ଧରିଛି। ମାମଲା ବର୍ତ୍ତମାନ ନ୍ୟାୟାଳୟରେ। ମାମଲାରେ ମୁଖ୍ୟ କେଁ ହେଲା ଉଚ୍ଚଶିକ୍ଷାର ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡ। ଉଚ୍ଚଶିକ୍ଷାର ମାନବୃଦ୍ଧି ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ଥିର କରିବ କିଏ? ୟୁଜିସି ନା ରାଜ୍ୟ ସରକାର? ଯଦିଓ ଉକ୍ତ ପ୍ରଶ୍ନକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନେକ ଥର ଏକା ଉତ୍ତର ଆସିଛି ତଥାପି ଓଡ଼ିଶା ପ୍ରସଙ୍ଗରେ ଏହା କେତେ ଗ୍ରହଣଯୋଗ୍ୟ ହେବ ତାହା ଉଚ୍ଚ ନ୍ୟାୟାଳୟଙ୍କ ରାୟରୁ ସ୍ପଷ୍ଟ ହୋଇଯିବ।
ଓଡ଼ିଶାରେ ଅବସ୍ଥାପିତ ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକର ଶ୍ରେଣୀ ଗୃହରେ, ସମାନ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଜଣେ ସହାୟକ ପ୍ରଫେସର ଏବଂ ଜଣେ ଅଧ୍ୟାପକ ସମାନ ଏନ୍.ଇ.ପି ମଡେଲ ପାଠ୍ୟକ୍ରମ ପଢ଼ାଉଛନ୍ତି। ସମାନ ପରୀକ୍ଷା ଉତ୍ତର ଖାତା ମୂଲ୍ୟାଙ୍କନ, ସମାନ ବିଶ୍ୱବିଦ୍ୟାଳୟ ବୈଠକରେ ଯୋଗ ଦାନ ଏବଂ ସମାନ ନାକ୍ ରିପୋର୍ଟ ପ୍ରସ୍ତୁତିରେ ଯୋଗଦାନ ଦେଉଛନ୍ତି, ତଥାପି ସେମାନେ ଦୀର୍ଘଦିନ ହେବ ଭିନ୍ନ ବୃତ୍ତିଗତ ବାସ୍ତବତାରେ ବଞ୍ଚିଆସୁଛନ୍ତି। ସହାୟକ ପ୍ରଫେସରଙ୍କୁ ସ୍ପଷ୍ଟଭାବେ ପ୍ରୋତ୍ସାହନମୂଳକ ଅର୍ଥରାଶି ଏବଂ ଗବେଷଣାର ଭରପୂର ଲାଭ ସହିତ ୟୁଜିସି ବେତନ ଦିଆଯାଉଥିବା ବେଳେ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକମାନେ ସେହି ସମାନ ଶିକ୍ଷାଗତ ଯୋଗ୍ୟତା ଥାଇ ଗବେଷଣାରେ ବହୁମୂଲ୍ୟ ସମୟ ବିତାଇ ସୁଦ୍ଧା ଉପରୋକ୍ତ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ଏହି ବିସଙ୍ଗତି କେବଳ ଏକ ପ୍ରଶାସନିକ ତ୍ରୁଟି ନୁହେଁ; ବରଂ ଏହା ସାମ୍ବିଧାନିକ ମାନଦଣ୍ଡ, ଜାତୀୟ ଶିକ୍ଷା ନୀତି ଏବଂ ନ୍ୟାୟିକ ଉଦାହରଣର ଉଲ୍ଲଙ୍ଘନ ମଧ୍ୟ।
ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସଦ୍ୟତମ ପ୍ରକାଶିତ ଏକ ରାୟ ଉପରେ ଅଳ୍ପ ନଜର ପକାଇବା। ମାମଲା ହେଉଛି ପଞ୍ଜାବର। ପଞ୍ଜାବରେ ଉଚ୍ଚଶିକ୍ଷା ବିଭାଗରେ ୧, ୦୯୧ ସହକାରୀ ପ୍ରଫେସର ନିଯୁକ୍ତିକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ରାୟରେ ନ୍ୟାୟାଳୟ ସ୍ପଷ୍ଟ କହିଛନ୍ତି ଯେ, ଯଦି ଏକ ରାଜ୍ୟ ୟୁଜିସି ନିୟମାବଳୀକୁ ଗ୍ରହଣ କରିସାରିଛି, ତେବେ ଉକ୍ତ ରାଜ୍ୟ ଉକ୍ତ ନିୟମାବଳୀକୁ ଯେ କୌଣସି ମତେ ମାନିବାକୁ ବାଧ୍ୟ। ରାଜ୍ୟଗୁଡ଼ିକ ଏହି ୟୁଜିସି ମାନଦଣ୍ଡକୁ ମନୋନୟନ କରି ଉକ୍ତ ମାନଦଣ୍ଡ ଠାରୁ ଶିକ୍ଷାଗତ ଯୋଗ୍ୟତା ହ୍ରାସ କିମ୍ବା ନିଯୁକ୍ତି ପ୍ରକ୍ରିୟାକୁ ଦୁର୍ବଳ କରିପାରିବେ ନାହିଁ। ପ୍ରକାଶିତ ତଥ୍ୟ ଅନୁଯାୟୀ ପଞ୍ଜାବ ସରକାର ସହାୟକ ପ୍ରଫେସରଙ୍କ ପାଇଁ ୟୁଜିସି ନିେର୍ଦଶିତ ଯୋଗ୍ୟତା ମାନଦଣ୍ଡକୁ କୋହଳ କରି ପ୍ରାର୍ଥୀ ମନୋନୟନ କରି ନିଯୁକ୍ତିପତ୍ର ବାଣ୍ଟିଥିଲେ। କୋର୍ଟ ଏଥିରେ ଆପତ୍ତି ଉଠାଇ କହିଥିଲେ ଯେ ୟୁଜିସି ଆଇନର ଧାରା ୨୬ ଅନୁଯାୟୀ ପ୍ରସ୍ତୁତ ୟୁଜିସି ନିୟମାବଳୀ ବୈଧାନିକ ଶକ୍ତି ବହନ କରେ। ରାଜ୍ୟ ଗୁଡ଼ିକ ଗ୍ରହଣ କରିବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ସେଗୁଡ଼ିକୁ ଆଦୌ ଅଣଦେଖା କରିପାରିବେ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଓଡ଼ିଶା ପାଇଁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯଥେଷ୍ଟ ଉପାଦେୟତା ରଖୁଛି। ଯଦିଓ ଓଡ଼ିଶାରେ ଓପିଏସସି ସହାୟକ ପ୍ରଫେସର ମନୋନୟନ ପ୍ରକ୍ରିୟାରେ ୟୁଜିସି ମାନଦଣ୍ଡକୁ ଅନୁସରଣ କରାଯାଉଛି, କିନ୍ତୁ ଏସଏସବି ଅଧ୍ୟାପକ ମନୋନୟନରେ ତାହା ଆଦୌ ଅନୁସରଣ କରାଯାଉନି। ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଯେଉଁ ମାମଲା ଚାଲିଛି, ତା’ର ମୁଖ୍ୟ କାରଣ ହେଉଛି ଉପରୋକ୍ତ ପ୍ରସଙ୍ଗ। ଓଡ଼ିଶା ସରକାର ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ୟୁଜିସି ମାନଦଣ୍ଡକୁ ଗୁରୁତ୍ବ ଦେଉଛନ୍ତି ନା ନାହିଁ? ସେ ୟୁଜିସି ମାନଦଣ୍ଡକୁ ପୂର୍ବରୁ ଗ୍ରହଣ କରିଛନ୍ତି ନା ନାହିଁ? ଏବେ ଦେଖିବା ଶିକ୍ଷାକୁ ନେଇ ସାମ୍ବିଧାନିକ ବିଧିବ୍ୟବସ୍ଥା କ’ଣ କହୁଛି? ଭାରତୀୟ ସମ୍ବିଧାନର ସପ୍ତମ ଅନୁସୂଚୀ କେନ୍ଦ୍ର ଏବଂ ରାଜ୍ୟସରକାର ବିଭିନ୍ନ ବିଷୟ ଉପରେ କେତେଦୂର ଆଇନ ତିଆରି କରିପାରିବେ ତା’ର ଏକ ସ୍ପଷ୍ଟ ରୂପରେଖ ଆଙ୍କିଛି। ଭାରତୀୟ ସମ୍ବିଧାନରେ କେନ୍ଦ୍ର ତାଲିକାର ପ୍ରବେଶ ୬୬ ଯାହାକୁ ନେଇ ନ୍ୟାୟାଳୟରେ ଚର୍ଚ୍ଚା ଚାଲିଥିଲା ତାହା ଉଚ୍ଚଶିକ୍ଷା କିମ୍ବା ଗବେଷଣା, ବୈଜ୍ଞାନିକ ଏବଂ ବୈଷୟିକ ପ୍ରତିଷ୍ଠାନ ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମାନଦଣ୍ଡର ସମନ୍ୱୟ ଏବଂ ନିର୍ଣ୍ଣୟ ସହିତ ଜଡିତ। ଯାହାକି ମୂଳତଃ କେନ୍ଦ୍ର ସରକାର ଅର୍ଥାତ୍ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ସାରା ଦେଶରେ ଏହି କ୍ଷେତ୍ର ଗୁଡ଼ିକରେ ଏକାପ୍ରକାର ମାନଦଣ୍ଡ ସ୍ଥିର ଏବଂ ବଜାୟ ରଖିବାର କ୍ଷମତା ପ୍ରଦାନ କରୁଛି। ଏହା ଉଲ୍ଲେଖନୀୟ ଯେ, ଏହା ଏକ ଆଳଙ୍କାରିକ ଧାରା ନୁହେଁ – ଏହା ଦେଶବ୍ୟାପୀ ସମାନ ଶୈକ୍ଷିକ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଏକ ସୁରକ୍ଷା କବଚ।
ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ସରକାରୀ ମହାବିଦ୍ୟାଳୟ ପାଇଁ ୟୁଜିସି ନିୟମାବଳୀ-୨୦୧୮କୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛି। ଏହି ମାନଦଣ୍ଡ ଗୁଡ଼ିକୁ ଅନୁସରଣ କରି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ସହକାରୀ ପ୍ରଫେସର ନିଯୁକ୍ତି ପରିଚାଳନା କରାଯାଉଛି। ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନଙ୍କୁ ନେଟ୍/ପିଏଚଡି ବାଧ୍ୟତାମୂଳକ ଭାବେ ଆବଶ୍ୟକତା ସହିତ ସହକାରୀ ପ୍ରଫେସର ଭାବରେ ନିଯୁକ୍ତି ଦିଆଯାଇ, ୭ମ କେନ୍ଦ୍ରୀୟ ବେତନ ଆୟୋଗର ସ୍ତର ୧୦ ଅନୁସାରେ ଦରମା ଦିଆଯିବା ସହ କ୍ୟାରିଅର ଆଡଭାନ୍ସମେଣ୍ଟ ସ୍କିମ୍ ଭଳି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଭରପୂର ଲାଭ ଦିଆଯାଉଛି; କିନ୍ତୁ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକର ଅଧ୍ୟାପକମାନେ ସମାନ ଶିକ୍ଷାଗତ ଏବଂ ପ୍ରଶାସନିକ ପରିସ୍ଥିତିଗତ କଟକଣା ମଧ୍ୟରେ କାର୍ଯ୍ୟ କରୁଥୁବା ସତ୍ତ୍ୱେ ଉକ୍ତ ଅଧିକାରରୁ ବଞ୍ଚିତ ରହି ଆସୁଛନ୍ତି। ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସଏସବି) ମାଧ୍ୟମରେ ଡିଗ୍ରୀ ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଏହି ଅଧ୍ୟାପକମାନେ ବାଧ୍ୟତାମୂଳକ ନେଟ୍ କିମ୍ବା ପିଏଚ୍ଡି ଯୋଗ୍ୟତା ବିନା ନିଯୁକ୍ତି ପାଉଥିବା ହେତୁ +୨ ରେ ନିଯୁକ୍ତିପ୍ରାପ୍ତ ସ୍ନାତକୋତ୍ତର ଶିକ୍ଷକଙ୍କ(ପିଜିଟି) ସହିତ ସମକକ୍ଷ ଭାବେ ପ୍ରତିପାଳିତ ହୋଇଆସୁଛନ୍ତି; କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଉକ୍ତ ଅଧ୍ୟାପକମାନେ ଯେଉଁ ମହାବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି ସେହି ମହାବିଦ୍ୟାଳୟ ଗୁଡ଼ିକ ଯେତେବେଳେ ନାକ୍ ସ୍ବୟଂ-ଅଧ୍ୟୟନ ତଥ୍ୟ(ଏସଏସଆର୍) ଉପସ୍ଥାପନା କରୁଛନ୍ତି ସେତେବେଳେ ସେମାନଙ୍କୁ ବେଆଇନ ଭାବେ ‘ସହାୟକ ପ୍ରଫେସର’ ଭାବରେ ତାଲିକାଭୁକ୍ତ କରାଯାଇ ମହାବିଦ୍ୟାଳୟକୁ ନାକ୍ ପ୍ରାପ୍ତି କରାଯାଉଛି, ଯାହାକି ସେମାନଙ୍କ ବାସ୍ତବ ପଦ ଏବଂ ନାକ୍ ତଥ୍ୟରେ ପ୍ରଦତ୍ତ ପଦ ମଧ୍ୟରେ ଅନେକ ଫରକ୍ ସୃଷ୍ଟି କରୁଛି। ବାସ୍ତବରେ ଦେଖିବାକୁ ଗଲେ ଏହା ଏକ କ୍ଷୁଦ୍ର ଅମଲାତାନ୍ତ୍ରିକ ଅସଙ୍ଗତି ନୁହେଁ; ବରଂ ଏହା ଏକ ସଂରଚନାଗତ ଅନ୍ୟାୟ ଯାହା ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତାକୁ କ୍ଷୁଣ୍ଣ କରୁଛି।
ଏସଏସବିକୁ ନେଇ ଗତ ଶୁଣାଣି ଗୁଡିକରେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ କିଛି ଆଶ୍ଚର୍ଯ୍ୟକର ଯୁକ୍ତି ଶୁଣିବାକୁ ମିଳିଥିଲା। ଯୁକ୍ତି ମୁତାବକ ଯଦି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ନିଯୁକ୍ତିରେ ୟୁଜିସି ନିୟମାବଳୀ ଲାଗୁ କରାଯାଏ ତେବେ ଅଧ୍ୟାପକମାନଙ୍କୁ ୟୁଜିସି ହାରରେ ଦରମା ଦେବାକୁ ପଡ଼ିବ। ସରକାର ତାହା କେତେଦୂର ଦେଇପାରିବେ ତାହା ମଧ୍ୟ ସନ୍ଦେହ ଯୁକ୍ତ। ଏଭଳି ଆବେଗ ପ୍ରବଣ କଥା କହି ୟୁଜିସି ନିୟାମାବଳୀକୁ ଲାଗୁ ନକରିବା ପାଇଁ ଯୁକ୍ତି ରଖାଯାଇଥିଲା; କିନ୍ତୁ ଏଠି କିଛି ସାଧାରଣ ପ୍ରଶ୍ନ ଉଠୁଛି ଯେ ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟରତ ସହାୟକ ପ୍ରଫେସରମାନଙ୍କୁ ୟୁଜିସି ଦରମା ଦେବାବେଳକୁ ସରକାରଙ୍କ ନିକଟରେ ଧନର ଅଭାବ ରହୁନାହିଁ; କିନ୍ତୁ ସରକାରୀ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ୟୁଜିସି ଦରମା ଦେବାରେ ସନ୍ଦେହ ଉପୁଜୁଛି କାହିଁକି? ଯଦି ଆମେ ଉଚ୍ଚଶିକ୍ଷାର ମାନବୃଦ୍ଧି ପାଇଁ ଗୁଣବତ୍ତାଯୁକ୍ତ ଯୋଗ୍ୟ ଶିକ୍ଷକ ଚାହୁଁଛନ୍ତି ତେବେ ସେମାନଙ୍କୁ ସମ୍ମାନସୂଚକ ଦରମା ଦେବାରେ ଅସୁବିଧା ରହୁଛି କେଉଁଠି ? ରାଜ୍ୟର ଉଚ୍ଚଶିକ୍ଷାର ୮୦ ଭାଗ ଭାର ସମ୍ଭାଳୁଥିବା ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକରେ ୟୁଜିସି ଯୋଗ୍ୟ ମାନଦଣ୍ଡରୁ କମ୍ ଯୋଗ୍ୟତାଧାରୀଙ୍କୁ ନିଯୁକ୍ତି ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇପାରିବା କି? ଏହା ଧାରା ୧୪କୁ ଭଙ୍ଗ କରୁନାହିଁ କି? ଯଦି ଉକ୍ତ ବିଦ୍ୟାଳୟ ଗୁଡ଼ିକରେ ଯୋଗ୍ୟ ଶିକ୍ଷକ ନିଯୁକ୍ତି ସକାଶେ ଉଚ୍ଚକୋଟୀର ମାନଦଣ୍ଡକୁ ସୁନିଶ୍ଚିତ କରାଯାଉଛି ତେବେ ଉଚ୍ଚଶିକ୍ଷା ବିଭାଗରେ ଗବେଷଣାଯୁକ୍ତ ମାନସିକତାରେ ଯେଉଁଠି ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଏବଂ ଦେଶ ଗଠନରେ ତୁରନ୍ତ ଯୋଗଦାନ ଦେବେ ସେଠି ଉଚ୍ଚମାନର ମାନଦଣ୍ଡକୁ ଅଣଦେଖା କରାଯାଇ ଉଚ୍ଚଶିକ୍ଷା ବିଭାଗରେ କେଉଁ ମାନବୃଦ୍ଧି କରିବାର ପ୍ରୟାସ ଚାଲିଛି ? ଯଦିଓ ଓଡ଼ିଶା ସରକାରଙ୍କ ନିକଟରେ ଏ ନେଇ କିଛି ଆହ୍ବାନ ମଧ୍ୟ ରହିଛି, କିନ୍ତୁ ତଦନୁସାରେ ସମାଧାନର ରାସ୍ତା ମଧ୍ୟ ରହିଛି।
ପ୍ରଥମତଃ ସରକାର ଯଦି ୟୁଜିସି ମାନଦଣ୍ଡ ମୁତାବକ ଅଧ୍ୟାପକ ନିଯୁକ୍ତିରେ ନେଟ୍ କିମ୍ବା ପିଏଚଡ଼ିକୁ ନ୍ୟୂନତମ ଯୋଗ୍ୟତା ହିସାବରେ ଧରିନିଅନ୍ତି, ତେବେ ରାଜ୍ୟରେ ସେତିକି ସଂଖ୍ୟକ ଯୋଗ୍ୟତାଧାରୀ ପ୍ରାର୍ଥୀ ମିଳିବା କଷ୍ଟକର ହେବ। ଏଥିପାଇଁ ସରକାର ଅଧ୍ୟାପକ ନିଯୁକ୍ତିରେ ପ୍ରାର୍ଥୀ ଆବେଦନ ପାଇଁ ନିଜ ରାଜ୍ୟ ମଧ୍ୟରେ ସୀମିତ ନରଖି ସମ୍ପୂର୍ଣ୍ଣ ଦେଶ ପାଇଁ ଉନ୍ମୁକ୍ତ ରଖିବାକୁ ପଡ଼ିବ। ସେଠି ପୁଣି ଆଉ ଏକ ସମସ୍ୟା ଆସିବ ଯେଉଁ ପ୍ରାର୍ଥୀ ଆବେଦନ କରିବେ, ସେ ପୁଣି ଓଡ଼ିଆ ଭାଷା ସ୍ପଷ୍ଟ ପଢି, ଲେଖି ଏବଂ ବୁଝି ପାରୁଥିବା ଦରକାର। ଯଦି ମନୋନୟନ ପ୍ରକ୍ରିୟାକୁ ଏଭଳି ଉନ୍ମୁକ୍ତ କରାଯାଏ, ତେବେ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିଲେ ରାଜ୍ୟରେ ବେକାରୀ ସମସ୍ୟା ସମାଧାନ ଉପରେ ସରକାରଙ୍କ ପାଇଁ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେବ। ସେଥିପାଇଁ ସରକାର ଅନ୍ୟ ରାଜ୍ୟ ଭଳି ମଧ୍ୟମ ପନ୍ଥା ଆପଣାଇବା ବର୍ତ୍ତମାନ ସମୟରେ ରହିଛି। ଯଦିଓ ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍)ରେ ବହୁ ପିଲା ଉତ୍ତୀର୍ଣ୍ଣ ହୋଇପାରୁ ନାହାନ୍ତି କି ପିଏଚଡ଼ି ହାସଲ କଷ୍ଟସାଧ୍ୟ ଏବଂ ସମୟସାପେକ୍ଷ ସେଥିପାଇଁ ସରକାର ନିଜ ରାଜ୍ୟରେ ନେଟ୍ର ବିକଳ୍ପ ସ୍ବରୂପ ୟୁଜିସିକୁ ସମ୍ମାନ ଦେଇ ସମାନ ଢଙ୍ଗରେ ସେଟ୍ ଡ଼ା ସ୍ଲେଟ୍(ରାଜ୍ୟ ଯୋଗ୍ୟତା ପରୀକ୍ଷା) କାର୍ଯ୍ୟକାରୀ କରି ଅଧ୍ୟାପକ ନିଯୁକ୍ତିରେ ବାଧ୍ୟକାରୀ ନ୍ୟୂନତମ ଯୋଗ୍ୟତା ସ୍ଥିର କରିବା ଉଚିତ୍।
ଘାଟିକିଆ, ଭୁବନେଶ୍ବର
ଅଧ୍ୟାପକ ନିଯୁକ୍ତି ବନାମ ୟୁଜିସି ମାନଦଣ୍ଡ
Popular Categories



