www.samajalive.in
Friday, December 12, 2025
14.1 C
Bhubaneswar

ପ୍ରସିଦ୍ଧ ମା’ହିଙ୍ଗୁଳାଙ୍କ ମେଳାରେ ବିପୁଳ ଭକ୍ତ ସମାଗମ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ନିକଟ କଉଡ଼ିଖଣି ଶାଳ ଜଙ୍ଗଲରେ ପୂଜା ପାଉଥିବା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ/ବଡ଼ ପୂଜା ମେଳାରେ ଶନିବାର ବିପୁଳ ଭକ୍ତଙ୍କ ସମାଗମ ହୋଇଅଛି। ହିଙ୍ଗୁଳା ସୁରକ୍ଷା ଟ୍ରଷ୍ଟ ଓ ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ବାର୍ଷିକ ପୂଜାର ପୂର୍ବଦିନ ଶୁକ୍ରବାର ଅଧିବାସ ପରେ ଶନିବାର ଭୋର ମଙ୍ଗଳ ଆଳତୀ ପରେ ମହାସ୍ନାନ, ସୂର୍ଯ୍ୟପୂଜା, ବାଳଭୋଗ ଆଳତୀ, ଦେବୀ ଶୋଭାଯାତ୍ରା ସହିତ ସର୍ବସାଧାରଣ ଦର୍ଶନ ଓ ଷୋଡ଼ଶ ଉପଚାର ପୂଜାଯଜ୍ଞ ଚଣ୍ଡୀପାଠ ଆରମ୍ଭ ହୋଇ ଦିନ ତମାମ ଚାଲିଥିଲା। ଅପରାହ୍ଣ ୧ଘଟିକାରେ ମଧ୍ୟାହ୍ନ ଆଳତୀ ସାଙ୍ଗକୁ ୪ଟା ୩୫ ମିନିଟରେ ବିଶାଳ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ, ୪ଟା ୫୦ମିନିଟରେ ଯଜ୍ଞ ପୂର୍ଣ୍ଣାହୂତୀ ହୋଇଛି। ଏହାପରେ ଅଗ୍ନି ଆଳତୀ ଉଭୟ ମନ୍ଦିର ଓ ଯଜ୍ଞକୁଣ୍ଡ ନିକଟରେ ଅନୁଷ୍ଠିତ ହେବା ସାଙ୍ଗକୁ ରାତିଭୋଗ, ଆଳତୀ ଓ ପୋହଡ଼ ୯ଟା ୩୦ ସମାପନ ହେବ।
ଅନୁକୂଳ ପାଗପାଇଁ ପ୍ରତ୍ୟୁଷରୁ ଭିଡ ଲାଗିଥିଲା। ପୀଠକୁ ସଂଯୋଗ କରୁଥିବା ବେତନଟୀ, ବୈଶିଙ୍ଗା, ଡୁକୁରା, ଖୁଣ୍ଟା, ଉଦଳା ଓ କୁଆମରା ରାସ୍ତାରେ ଯାତ୍ରୀବାହୀ ବସ, ସହସ୍ରାଧିକ ଅଟୋ ଓ ଚାରି ଚକିଆ ଯାନ ସାଙ୍ଗକୁ ଲମ୍ବା ଲାଇନରେ ଦୁଇ ଚକିଆ ଯାନ ଓ ସାଇକେଲରେ ଭକ୍ତଙ୍କ ସୁଅ ଲାଗିଥିଲା। ସମ୍ଭାବ୍ୟ ଭିଡକୁ ଏଡ଼ାଇବା ପାଇଁ ଚାନ୍ଦଡିହା ଓ ସୁହାଗପୁର ଛକ ପାଖରୁ ମେଳା ଭିତରକୁ ସାଇକେଲ ଓ ଯାନବାହାନ ପ୍ରବେଶ ନିଷିଦ୍ଧ କରାଯାଇଥିଲା। ଭକ୍ତମାନେ ସେମାନଙ୍କର ମାନସିକ ପୂଜାନୈବେଦ୍ୟ ସହ ପୀଠରେ ପହଞ୍ଚି ସଙ୍କଳ୍ପ ପୂର୍ବକ ପୂଜା ପରେ ନଡିଆ, କଦଳୀ, ଫଳମୂଳ, ଧୂପ, ଗୁଆ, ସିନ୍ଦୁର, ଘିଅ, ସଳିତା ଓ ନିଜ ଚାଳ ଘରର କୁଟା, ବାଉଁଶ ପ୍ରଥାନୁଯାୟୀ ସ୍ୱତନ୍ତ୍ର ଅଗ୍ନି କୁଣ୍ଡରେ ସମର୍ପଣ କରିଥିଲେ। ସେହିପରି ମାନସିକ ମାଟି ଓ ପିତ୍ତଳରେ ନିର୍ମିତ ଘୋଡା, ବସ୍ତ୍ର, ଅଳଙ୍କାର, ଦାନ ରାଶି ମା’ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ପୀଠରେ ଥିବା ସାହାଡା ତଥା ଅନ୍ୟାନ୍ୟ ବୃକ୍ଷରେ ଲକ୍ଷାଧିକ ଭକ୍ତ ସେମାନଙ୍କର ମାନସିକ ବ୍ରତ ବାନ୍ଧିଥିଲେ। ବଳି ପ୍ରଥା ନ ଥିଲେ ହେଁ ଅନେକ ଭକ୍ତ ସେମାନଙ୍କର ମାନସିକ ପାରା, କୁକୁଡା ଓ ବୋଦା ସମର୍ପଣ କରିଥିଲେ। ଛୋଟରୁ ବଡ ଯାଏଁ ଭକ୍ତ ପୀଠରେ ମାନସିକ ବାଳ ପକାଇଥିଲେ। ଦିନକ ପାଇଁ ବସୁଥିବା ମେଳାରେ ଭୋରରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ରହିଥିଲେ ହେଁ ପରମ୍ପରା ଅନୁଯାୟୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ଭକ୍ତ ମା’ଙ୍କୁ ଦର୍ଶନ ପୂର୍ବକ ପୂଜାସାମଗ୍ରୀ ଯଜ୍ଞକୁଣ୍ଡରେ ଅର୍ପଣ ପରେ ଫେରିଥିଲେ। ଚଳିତ ଥର ମନ୍ଦିରର ଉଭୟ ପାର୍ଶ୍ବରେ ସୁଚିନ୍ତିତ ବ୍ୟାରିକେଟ ଓ ପାରମାଣିକ ଦର୍ଶନ ବ୍ୟବସ୍ଥା ପାଇଁ ଦର୍ଶନାଭିଳାଷୀ ଉପକୃତ ହୋଇଥିଲେ। ଜିଲା ଲୋକ ସମ୍ପର୍କ ଓ ସୂଚନା ଅଧିକାର କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ମେଳାରେ ଅସ୍ଥାୟୀ କେନ୍ଦ୍ର ଓ ଆଶୁ ଚିକିତ୍ସା ଶିବିରଦ୍ୱାରା ସେବା ଯୋଗାଯାଇଥିବା ବେଳେ ଟ୍ରଷ୍ଟ ପକ୍ଷରୁ ନିଶୁଳ୍କ ଜୋତା ଷ୍ଟାଣ୍ଡ କରାଯାଇଥିଲା। ବଡ଼ସାହି ବିବେକାନନ୍ଦ ଆବାସିକ ଶିକ୍ଷା କେନ୍ଦ୍ର, ବଡ଼ସାହି ବଣିକ ସଂଘ, ବଡ଼ସାହି ବିଧାୟକ, ଆଶାୟୀ ବିଧାୟକ ପ୍ରାର୍ଥୀ, ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କ ତରଫରୁ ପାନୀୟ ଜଳ ଓ ଅନ୍ୟାନ୍ୟ ସହାୟତା ଭକ୍ତଙ୍କୁ ପ୍ରଦାନ କରାଯାଇଥିଲା।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories