କାଲିମେଳା: ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ପାଇଁ ମାଲକାନଗିରି ଜିଲାରେ ଗତକାଲି ରାତିରୁ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ କାଲିମେଳାରୁ ପଡିଆ ମଧ୍ୟରେ ଯୋଗାଯୋଗ କରୁଥବା କନ୍ୟାଶ୍ରମ ପୋଲ ବୁଡ଼ିଯାଇଛି । ଆଜି ସକାଳ ୯ ଟା ସୁଦ୍ଧା ପୋଲ ଉପରେ ପାଖାପାଖି ୨ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଜିଲା ପ୍ରଶାସନ ପକ୍ଷରୁ ଯାତାୟାତକୁ ବନ୍ଦ କରାଯାଇଛି। ଜିଲାରେ ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ କନ୍ୟାଶ୍ରମ ପୋଲ ଉପରେ ଆଜି ସକାଳୁ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବାରୁ ଉଭୟ ପଟରେ ଗାଡି ମୋଟର ଅଟକି ରହିଛି । ଫଳରେ ଲୋକମାନେ ନାହିଁନଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥିସହ ଶିକ୍ଷୟିତ୍ରୀମାନେ ମଧ୍ୟ ବିଭିନ୍ନ ବିଦ୍ୟାଳୟକୁ ଯାଇପାରୁ ନଥିବା ଦେଖିବାକୁ ମିଳିଛି । ଧୀରେ ଧୀରେ ପାଣି ସ୍ତର ବୃଦ୍ଧି ପାଉଥିବା ବେଳେ ଏବେ ବି ଲଗାଣ ବର୍ଷା ଲାଗି ରହିଛି । ଫଳରେ ପଡିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏପରି ବର୍ଷା ଲାଗି ରହିଲେ ମାଲାକାନଗିରିରୁ ମୋଟୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି ୯୦, ଏମଭି ୯୬ ଠାରେ ଥିବା ତଳିଆ ବ୍ରିଜ ଗୁଡିକ ବୁଡି ଯିବାର ସମ୍ଭାବନା ରହିଛି । ଲଗାଣ ବର୍ଷାରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଏଥିସହ କନ୍ୟାଶ୍ରମ ନଦୀ କୁଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
Popular Categories



