ଭୁବନେଶ୍ଵର: ଦିନ ଥିଲା ମେଧାବୀ ଭାରତୀୟମାନେ ବିଲାତ ବା ବିଦେଶକୁ ଯାଇ ଶିକ୍ଷା ଓ କୌଶଳ ହାସଲ କରି ନିଜ ଦେଶକୁ ଫେରି ଆସୁଥିଲେ ଦେଶପ୍ରେମ ପାଇଁ ହେଉ ବା ଦେଶର ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିବାପାଇଁ ହେଉ। ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ହୋମି ଭାବା ଆଦି ନେତୃସ୍ଥାନୀୟ ବ୍ୟକ୍ତି ଏହି ବର୍ଗର ନାଗରିକଙ୍କର ଜ୍ବଳନ୍ତ ଉଦାହରଣ। ଆଜିକାଲି ଜଣେ ଶିକ୍ଷିତ ଭାରତୀୟ ବିଦେଶକୁ ଉଚ୍ଚଶିକ୍ଷା ହାସଲ ବା ବ୍ୟବସାୟ ପାଇଁ ଗଲେ ତାହାର ଚେଷ୍ଟା ହୁଏ କିପରି ବିଦେଶରେ, ବିଶେଷ କରି ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସଦୃଶ ଉନ୍ନତ ଦେଶଗୁଡ଼ିକର ନାଗରିକତା ନେଇ ସେଠାରେ ସ୍ଥାୟୀ ଭାବରେ ବସବାସ କରିପାରିବ। ଅନେକ ସମୟରେ ଭାରତରେ ଥିବା ସେମାନଙ୍କର ପରିବାର ସଦସ୍ୟମାନେ ମଧ୍ୟ ଏହାକୁ ନେଇ ଗୌରବାନ୍ବିତ ମନେ କରିଥାଆନ୍ତି। ୧୯୯୦ରୁ ୨୦୨୪ ମସିହା ମଧ୍ୟରେ ଭାରତରୁ ଦେଶାନ୍ତର ଗମନ କରି ବିଦେଶରେ ଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ୬.୫ ନିୟୁତରୁ ତିନି ଗୁଣ ବଢ଼ି ୧୮.୫ ନିୟୁତ ହୋଇଥିଲା। ୨୦୨୫ ମସିହା ମାର୍ଚ୍ଚ ମାସରେ ରାଜ୍ୟସଭାରେ ପ୍ରଶ୍ନୋତ୍ତର ସମୟରେ ଦେଶର ବିଦେଶ ରାଷ୍ଟ୍ର ମନ୍ତ୍ରୀ ପ୍ରକାଶ କରିଥିଲେ ଯେ ୨୦୨୩ ଓ ୨୦୨୪ ମସିହାରେ ଯଥାକ୍ରମେ ୨,୦୬,୨୧୯ ଓ ୨,୦୬,୩୭୮ ଭାରତୀୟ ନିଜର (ଭାରତୀୟ) ନାଗରିକତା ପରିତ୍ୟାଗ କରି ଅନ୍ୟ ଦେଶର ନାଗରିକତା ନେଇଥିଲେ। ୨୦୧୧-୧୨ ମସିହାରେ ଏହା ତୁଳନାତ୍ମକ ସଂଖ୍ୟା ପ୍ରାୟ ୧,୨୨,୦୦୦ ଥିଲା।
ଅବଶ୍ୟ ଦେଖିବାକୁ ଗଲେ ଭାରତୀୟମାନେ ଦେଶ ବାହାରକୁ ଯିବା ଓ ବିଦେଶରେ ବସବାସ କରିବାର ପ୍ରଥା ଅନେକ ଦିନରୁ ପ୍ରଚଳିତ ଅଛି। ମଧ୍ୟ ଊନବିଂଶ ଶତାବ୍ଦୀ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ, ଉପନିବେଶବାଦୀ ସରକାରଙ୍କ ଦ୍ବାରା ଭାରତୀୟ ଶ୍ରମିକମାନଙ୍କୁ ଟ୍ରିନିଡାଡ ଓ ଟବାଗୋ, ଫିଜି, ସୁରିନାମ, ଗାଏନା ଆଦି ଦେଶମାନଙ୍କୁ ପଠାଯାଇଥିଲା। ସେମାନଙ୍କର ବଂଶଧରମାନେ ଏହି ଦେଶଗୁଡ଼ିକରେ ବର୍ତ୍ତମାନ ପ୍ରତିଷ୍ଠିତ ନାଗରିକ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି। ଭାରତ ସହ ଭୌେଗାଳିକ ସାନ୍ନିଧ୍ୟ ଯୋଗୁଁ ଭାରତୀୟମାନେ ବହୁ ବର୍ଷ ଧରି ବାହାରିନ୍, ସାଉଦି ଆରବ, କୁଏତ, ୟୁଏଇ, ଇରାକ୍ ଆଦି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଯାଇ କାର୍ଯ୍ୟ କରୁଛନ୍ତି ଓ ଅନେକ ସେହି ଦେଶରେ ବସବାସ କରୁଛନ୍ତି। ପେଟ୍ରୋଡଲାର ଦ୍ବାରା ସୃଷ୍ଟି ହୋଇଥିବା ପ୍ରଚୁର ନିର୍ମାଣକାର୍ଯ୍ୟ ଯୋଗୁଁ ୧୯୭୦ ଦଶକରୁ ଭାରତୀୟ ଶ୍ରମିକ ଓ ପେସାଦାର ବ୍ୟକ୍ତିମାନେ ମଧ୍ୟପ୍ରାଚ୍ୟର ଏହି ଦେଶଗୁଡ଼ିକୁ ଯାଇ କାମ କରିବାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।
ଦୀର୍ଘ ପ୍ରାୟ ୨୦୦ ବର୍ଷ ଧରି ଭାରତ ବ୍ରିଟିଶ ସାମ୍ରାଜ୍ୟର ଅଂଶ ମଧ୍ୟ ଥିଲା। ତେଣୁ ଭାରତୀୟମାନେ ଇଂଲଣ୍ଡରେ ଯାଇ ପଢ଼ାପଢ଼ି କରିବା, କାର୍ଯ୍ୟରତ ହେବା ଓ ବସବାସ କରିବା ସ୍ବାଭାବିକ। ସେହିପରି ସମ୍ପର୍କ ୟୁରୋପର ଅନ୍ୟ କେତେକ ଦେଶ ଓ ଆମେରିକା ସହିତ ମଧ୍ୟ ପ୍ରତିଷ୍ଠିତ ହୋଇଛି। ବର୍ତ୍ତମାନ ସମୟରେ ଏହି ଦେଶଗୁଡ଼ିକରେ, ବିଶେଷ କରି ଆମେରିକାର ଯୁକ୍ତରାଷ୍ଟ୍ର ଓ କାନାଡ଼ାରେ ଭାରତୀୟଙ୍କର ଉପସ୍ଥିତି ବିଶେଷ ଭାବରେ ପରିଲକ୍ଷିତ ହୁଏ। ଏହି ଦେଶସବୁର ସାମାଜିକ, ରାଜନୈତିକ, ବ୍ୟବସାୟ ଜନିତ ତଥା ଯାନ୍ତ୍ରିକ ଓ ବୈଷୟିକ କ୍ଷେତ୍ରରେ, ବିଶେଷ କରି ଆଇଟି ଶିଳ୍ପରେ ଭାରତୀୟମାନେ ପ୍ରତିଷ୍ଠିତ ଓ ଖ୍ୟାତିସମ୍ପନ୍ନ ଭୂମିକା ଗ୍ରହଣ କରିବା ଦେଖାଯାଏ।
ଏ ପର୍ଯ୍ୟନ୍ତ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଭାରତୀୟମାନେ ବିଦେଶକୁ ପ୍ରଧାନତଃ ଚାକିରି କରିବାକୁ ଯାଉଥିଲେ, ଅଭିଜ୍ଞ ଶ୍ରମିକ ଭାବରେ ବା ଦକ୍ଷ ବୈଷୟିକ ପେସାଦାର ଭାବରେ। ବର୍ତ୍ତମାନ ଦେଖାଯାଉଛି ଯେ ଭାରତରୁ ଶିଳ୍ପପତି ଓ ଉଚ୍ଚସ୍ତରୀୟ ଅଧିକାରୀ ବା ପ୍ରଭାବଶାଳୀ ଧନୀ ବ୍ୟକ୍ତିମାନେ ମଧ୍ୟ ବିଦେଶକୁ ଯାଇ ପୁଞ୍ଜିନିବେଶ ଓ ବ୍ୟବସାୟ କରୁଛନ୍ତି ବା ଭାରତରେ ଥିବା ସେମାନଙ୍କର ଶିଳ୍ପ ଓ ବ୍ୟବସାୟଗୁଡ଼ିକୁ ବିଦେଶରୁ ପରିଚାଳନା ଓ ନିୟନ୍ତ୍ରଣ କରୁଛନ୍ତି। ମୁଖ୍ୟତଃ ସେମାନେ ଓ ତାଙ୍କ ପରିବାରର ସଦସ୍ୟମାନେ ଭାରତ ବାହାରେ, ଉନ୍ନତ ଦେଶମାନଙ୍କରେ ବସବାସ କରିବାକୁ ଅଧିକ ପସନ୍ଦ କରନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଅଧିକାଂଶ ଧନୀ, ଶିଳ୍ପପତି, ଚିତ୍ରତାରକା ଓ ପ୍ରସିଦ୍ଧ ଖେଳାଳିଙ୍କର ଇଂଲଣ୍ଡ, ସିଙ୍ଗାପୁର, ସାଉଦି ଆରବ ଆଦି ଦେଶରେ ଘର ସମ୍ପତ୍ତି ରହିଛି। କିଛିଦିନ ତଳେ ପ୍ରଖ୍ୟାତ କ୍ରିକେଟ ଖେଳାଳି ବିରାଟ କୋହଲି ଓ ତାଙ୍କର ପରିବାରର ସଦସ୍ୟମାନେ ଲଣ୍ଡନରେ ବସବାସ କରିବାକୁ ସ୍ଥିର କରିଛନ୍ତି ବୋଲି ଖବର ପ୍ରକାଶିତ ହୋଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବୁଦ୍ଧିଜୀବୀ ବା ନିପୁଣ ବ୍ୟକ୍ତିଙ୍କର ଦେଶାନ୍ତର ଗମନ (ବ୍ରେନ୍ଡ୍ରେନ୍) ସାଙ୍ଗକୁ ଦେଶର ଧନୀ ବ୍ୟକ୍ତିଙ୍କ ସହ ଧନର ପଳାୟନ (ୱେଲ୍ଥ ଡ୍ରେନ୍) ମଧ୍ୟ ହେଉଛି।
ପ୍ରଶ୍ନ ହେଉଛି ଆମ ଦେଶର ନିପୁଣ ବ୍ୟକ୍ତିମାନେ- ଧନୀ, ଶିଳ୍ପପତି, ଚିତ୍ର ତାରକା, ବଡ଼ ଖେଳାଳି ଆଦି- ଦେଶ ଛାଡ଼ି ବିଦେଶରେ ରହିବାକୁ ଓ ଭାରତୀୟ ନାଗରିକତା ପରିତ୍ୟାଗ କରି ଅନ୍ୟ ଦେଶଙ୍କର ନାଗରିକତା ଗ୍ରହଣ କରିବାକୁ କାହିଁକି ଏତେ ଇଚ୍ଛୁକ; ଯଦିଓ ଏହା ଦାବି କରାଯାଉଛି ଯେ ଭାରତବର୍ଷର ଅର୍ଥନୀତି ସାରା ବିଶ୍ବରେ ସବୁଠାରୁ ବେଗରେ ଗତି କରୁଛି ଓ ଆମେ ଶୀଘ୍ର ୫ ଟ୍ରିଲିୟନ ଡଲାର ଅର୍ଥନୈତିକ ବ୍ୟବସ୍ଥା ସହ ବିଶ୍ବର ତୃତୀୟ ବଡ଼ ଅର୍ଥନୀତି ମଧ୍ୟରେ ଅନ୍ତର୍ଭୁକ୍ତ ହେବୁ।
ପର୍ଯ୍ୟବେକ୍ଷକଙ୍କ ମତରେ ଦେଶରେ ଥିବା ଅନୁପଯୁକ୍ତ ଓ ନିକୃଷ୍ଟ (ସାଧାରଣ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ) ଗଠନ ସମୂହ ବା ଇନଫ୍ରାଷ୍ଟ୍ରକ୍ଚର୍ ଦେଶର ବିବାଦୀୟ ରାଜନୀତି, ସହରଗୁଡ଼ିକରେ ଆଇନକାନୁନ୍ର କ୍ରମବର୍ଦ୍ଧମାନ ଅଧୋଗତି, ଦୂଷିତ ବାତାବରଣ ଓ ଜଟିଳ ଟିକସ୍ ପ୍ରଣାଳୀ ସାଙ୍ଗକୁ ସାଧାରଣତଃ ବିରକ୍ତିକର ଅମଲାତନ୍ତ୍ର (ବ୍ୟୁରୋକ୍ରାସି), ଦେଶର ନିପୁଣ ବ୍ୟକ୍ତି ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ସଞ୍ଚିତ ସମ୍ପଦ ବା ମୂଳପୁଞ୍ଜିକୁ ଦେଶ ବାହାରକୁ ଚାଲିଯିବାକୁ ବାଧ୍ୟ କରୁଛି।
ଆମ ସହର ସବୁର ରାସ୍ତାଘାଟ, ନର୍ଦମା, ଆଦି ସାଧାରଣତଃ ଦୟନୀୟ ଅବସ୍ଥାରେ ଥାଏ ଏବଂ ଏହି ସବୁର ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ବିଧିବଦ୍ଧ ଅଭିଯୋଗ କଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୁଏ ନାହିଁ। ସାମ୍ପ୍ରଦାୟିକ ଗଣ୍ଡଗୋଳ ଓ ଦଙ୍ଗା, ଏପରି କି ଅଫିସରୁ ଟାଣି ନେଇ ସରକାରୀ ଅଫିସରମାନଙ୍କୁ ମାରପିଟ୍ କରିବା ଆଦି ଘଟଣା ଦେଶର ଆଇନକାନୁନ୍ ସମ୍ବନ୍ଧରେ ବିଶେଷ ଅନୁକୂଳ ଧାରଣା ଦେଇ ନଥାଏ।
ଅନେକ ସହରରେ ପରିବେଶ ପ୍ରଦୂଷଣ ଚରମ ଅବସ୍ଥାରେ ପହଞ୍ଚିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଦେଶରେ ପ୍ରଚଳିତ ଅମଲାତାନ୍ତ୍ରିକ ଦୃଷ୍ଟିକୋଣ ଓ ଶାସନର ବିଭିନ୍ନ କ୍ଷେତ୍ରରେ ଥିବା ବିରକ୍ତିକର ନିୟମ, କଟକଣା ଓ କାର୍ଯ୍ୟପଦ୍ଧତି, ଅର୍ଥ ବିନିଯୋଗକାରୀ ବା ଇନଭେଷ୍ଟରମାନଙ୍କୁ ନିରୁତ୍ସାହିତ କରୁଛି ବୋଲି କେତେକ ଲୋକଙ୍କର ଧାରଣା। ଅଧିକାଂଶ ସହରରେ ସାର୍ବଜନିକ ଜମି ଉପରେ ଅନଧିକାର ବା ବଳପୂର୍ବକ ଦଖଲ ଦେଖାଯାଇଥାଏ, ଯାହାଦ୍ବାରା ସାଧାରଣ ନାଗରିକଙ୍କ ନିରାପତ୍ତା ଓ ସ୍ବାସ୍ଥ୍ୟ ପ୍ରତି ଆଞ୍ଚ ଆସିବାର ବିଶେଷ ସମ୍ଭାବନା ଥାଏ। ଅଭିଯୋଗ କଲେ ମଧ୍ୟ ଏହା ବିଶେଷ ଫଳପ୍ରଦ ହୁଏନାହିଁ। ତା’ଛଡ଼ା ଅଧିକାଂଶ ବିଷୟକୁ ଦଳୀୟ ରାଜନୀତି ଦୃଷ୍ଟିରୁ ଦେଖିବା ବାତାବରଣକୁ ଆହୁରି କଳୁଷିତ ଓ କଷ୍ଟମୟ କରିଥାଏ।
ସଂକ୍ଷେପରେ କହିଲେ ଭାରତର ଅଧିକାଂଶ ସହର ଅଞ୍ଚଳ ବସବାସ କରିବାପାଇଁ କ୍ରମେକ୍ରମେ କଷ୍ଟକର ଓ ଅନୁପଯୁକ୍ତ ହୋଇଯାଉଛି। ତା’ ସାଙ୍ଗକୁ ଉତ୍ତମ ଶାସନର ଅଭାବ, ମନ୍ଥର ଗତିରେ ଚାଲୁଥିବା ଆଇନ ବ୍ୟବସ୍ଥା ଓ ବିରକ୍ତିକର ଟିକସ ପ୍ରଣାଳୀ ନିପୁଣ ବ୍ୟକ୍ତି ଓ ସେମାନଙ୍କର ପୁଞ୍ଜିକୁ ଦେଶ ଭିତରେ ରଖିବାକୁ ଅସମର୍ଥ କରିଦେଉଛି।
ନିପୁଣ ନାଗରିକଙ୍କ ବିଦେଶ ପ୍ରୀତି
Popular Categories



