ନୂଆଦିଲ୍ଲୀ : ଏସିଆ କପ୍ କ୍ରିକେଟ -୨୦୨୫ ଆୟୋଜନ ଅଧିକାର ଭାରତକୁ ମିଳିଛି। ଉକ୍ତ ପ୍ରତିଯୋଗିତା ଆୟୋଜନ ନେଇ ଏବେ ଆଶଙ୍କା ବଢିବାରେ ଲାଗିଛି। ଏସିଆନ କ୍ରିକେଟ କାଉନସିଲ (ଏସିସି) ବାର୍ଷିକ ସାଧାରଣ ବୈଠକ ଗୁରୁବାର ଢାକାରେ ଅନୁଷ୍ଠିତ ହେବ। ଏଥିରେ ଏସିଆ କପରେ ଅଂଶଗ୍ରହଣ କରିବାକୁ ଥିବା ୬ ଟି ଦଳ ବୋର୍ଡ ସଦସ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଉକ୍ତ ବୈଠକକୁ ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ କୌଣସି କର୍ମକର୍ତ୍ତାକୁ ପଠାଇ ନାହାନ୍ତି। ଫଳରେ ଏସିସି ବୈଠକ ବାଧାପ୍ରାପ୍ତ ହେବା ସହ ଏସିଆ କପ୍କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଏସିଆନ କ୍ରିକେଟ କାଉନସିଲ (ଏସିସି) ବାର୍ଷିକ ସାଧାରଣ ବୈଠକ ଢାକାରେ ଅନୁଷ୍ଠିତ ହେଲେ ବିସିସିଆଇ ସମସ୍ତ ପ୍ରକାରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଏସିଆ କପ୍ରୁ ଓହରି ଯିବ ବୋଲି ଧମକ ଦେଇଥିଲା। ବାଂଲାଦେଶରେ ଏବେ ଦେଖାଦେଇଥିବା ସ୍ଥିତି ଯୋଗୁ ଭାରତ ଉକ୍ତ ବୈଠକରେ ଯୋଗ ଦେବାକୁ ମନା କରିଦେଇଥିଲା। ଏ ନେଇ ବିସିସିଆଇ ପକ୍ଷରୁ ଏସିଆନ କ୍ରିକେଟ କାଉନସିଲର ମୁଖ୍ୟ ତଥା ପିସିବି ଅଧ୍ୟକ୍ଷ ମୋହସିନ ନକ୍ଭୀଙ୍କୁ ଅବଗତ କରାଇଥିଲା। ଢାକାରେ ସ୍ଥିତି ଠିକ୍ ନଥିବାରୁ ବିସିସିଆଇ ପକ୍ଷରୁ ଏସିସିି ମୁଖ୍ୟଙ୍କୁ ବୈଠକର ସ୍ଥାନ ବଦଳାଇବାକୁ ପ୍ରସ୍ତାବ ଦେଇଛନ୍ତି। ହେ ଲେ ଏସିସି ମୁଖ୍ୟ ନକ୍ଭୀ ଏହାକୁ ଗୁରୁତ୍ବ ଦେଇନଥିଲେ। ଯାହା ଫଳରେ ବିସିସିଆଇ ଏସିସି ବୈଠକକୁ ବର୍ଜନ କରିବା ସହିତ କୌଣସି ପ୍ରତିନିଧି ଢାକାକୁ ପଠାଇନାହିଁ। ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏସିସି ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ପରେ ଏସିଆ କପ ନେଇ ଆଶଙ୍କା ବୃଢିଛି।



