ବାଲିଆପାଳ : ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ବଙ୍ଗୀୟ ଦମ୍ପତିଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଅସଦାଚରଣ କରିବାର ଭିଡିଓ ପ୍ରଘଟ ହେବାରେ ଲାଗିଛି। ଯୁବତୀଙ୍କ ଏତଲା କ୍ରମେ ବାଲିଆପାଳ ପୁଲିସ ଏକ ମାମଲା ରୁଜୁ କରି ଆଜି ଦୁଇ ଜଣଙ୍କୁ ଗିରଫ କରିଛି।
ଅଭିଯୋଗ ମୁତାବକ ରବିବାର ପଶ୍ଚିମବଙ୍ଗ ବାଙ୍କୁଡା ଜିଲା ଅନ୍ତର୍ଗତ ବିଷ୍ଣୁପୁର ଅଞ୍ଚଳର ଦମ୍ପତି ଡଗରା ବେଳାଭୂମିକୁ ବୁଲିବାକୁ ଆସିଥିଲେ। ସେମାନେ ବେଳାଭୂମିରେ ବୁଲୁଥିବା ସମୟରେ ୪/୫ ଜଣ ସ୍ଥାନୀୟ ଯୁବକ ଏହି ଦମ୍ପତିଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ସେମାନେ ଏହାର ପ୍ରତିବାଦ କରିବାରୁ ଯୁବକମାନେ ମହିଳାଙ୍କ ସ୍ବାମୀଙ୍କୁ ମାଡ଼ ମାରିବା ସହ ମହିଳାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ନେଇ ପୀଡ଼ିତା ମହିଳା ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାଲିଆପାଳ ପୁଲିସ ଏହି ଘଟଣାରେ ସୋମବାର ୧୬୧/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଏହି ଘଟଣାର ଭିଡିଓ ପ୍ରଘଟ ହେବା ପରେ ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି। ଅପରାହ୍ଣରେ ବାଲିଅପାଳ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଜାମତକୁଲା ଗାଁର ବାବୁ ମହୁରୀ, କାଳୀପଦା ଅଞ୍ଚଳର ଦିଲ୍ଲୀପ ଦାସଙ୍କୁ ଗିରଫ କରିଛି। ଆସନ୍ତାକାଲି ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ଡଗରା ବେଳାଭୂମିରେ ପ୍ରତିଦିନ ବହୁ ପର୍ଯ୍ୟଟକ ଆସୁଥିବାବେଳେ ସେଠାରେ ପୁଲିସ ରହୁନଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହୁ ନଥିବା ଅଭିଯେଗା ହୋଇଛି। ଏଠାରେ ପ୍ରକାଶ ଥାଉକି, ଡଗରା ବେଳାଭୂମି ଜାମକୁଣ୍ଡା ଫାଣ୍ଡି ଅଧୀନରେ ଯାଉଥିଲେ ବି ନା ଜାମକୁଣ୍ଡା ଫାଣ୍ଡି ନା ବାଲିଆପାଳ ଥାନା ପୁଲିସ, କେହି ମଧ୍ୟ ବେଳାଭୂମି ସୁରକ୍ଷା ବିଷୟରେ ସାମାନ୍ୟ ତତ୍ପରତା ଦେଖାଉ ନାହାନ୍ତି। ଡଗରା ବେଳାଭୂମିରେ ଏକ ସାମୁଦ୍ରିକ ଥାନା ପ୍ରତିଷ୍ଠା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ଡଗରା ବେଳାଭୂମିରେ ବଙ୍ଗୀୟ ଦମ୍ପତିଙ୍କୁ ଅସଦାଚରଣ: ଦୁଇ ଗିରଫ
Popular Categories



