କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆସୁଥିବା ରାସ୍ତା, ପୋଖରୀ ଆଦି ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଶ୍ରମିକ ବଦଳରେ ମେସିନ କରୁଛି। ମେସିନ୍ ବ୍ୟବହାର କରାଯାଉଥିବାରୁ ଅଞ୍ଚଳର ଶ୍ରମିକମାନେ କାମ ଧନ୍ଦା ପାଇଁ ବାହାରକୁ ଯାଉଥିବା ଅଭିଯୋଗ ହେଉଛି। ଆଦିବାସୀ ବହୁଳ ବ୍ଲକର ସାଧାରଣ ଲୋକେ ଦୈନିକ କାର୍ଯ୍ୟ କରି ନିଜର ପରିବାର ପୋଷଣ କରିଥାନ୍ତି। ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ କାମ ଯୋଗାଇବା ପାଇଁ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ, ରାସ୍ତା ଆଦି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବ୍ୟାପକ ଅର୍ଥର ବ୍ୟବସ୍ଥା କରିଛନ୍ତି। ହେଲେ ଏହି ଆଦିବାସୀ ବହୁଳ ବ୍ଲକ କ୍ଷେତ୍ରରେ ତାହା ସଠିକ ଭାବେ କାର୍ଯ୍ୟକାରୀ କରା ନ ଯାଇ ମେସିନ ବ୍ୟବହାର କରାଯାଉଛି।
ମେସିନ ସାହାଯ୍ୟରେ ପୋଖରୀ, ରାସ୍ତା ନିର୍ମାଣ କରି ମାଷ୍ଟର ରୋଲ ସାହାଯ୍ୟରେ ବିଲ୍ ଉଠାଉଥିବାର ଅଭିଯୋଗ ହେଉଛି। ଏହି ବ୍ଲକର ମାକୁଆକଟେଣୀ ପଞ୍ଚାୟତରେ ବହୁ ଆଦିବାସୀ ରହିଥିବାବେଳେ ଏଠାରେ ପୋଖରୀ, ରାସ୍ତା କାର୍ଯ୍ୟରେ ଶ୍ରମିକ ନିୟୋଜିତ ନ କରାଯାଇ ମେସିନ ସାହାଯ୍ୟରେ ସମସ୍ତ କାର୍ଯ୍ୟ କରାଯାଉଛି। ପଞ୍ଚାୟତର ତରାଜଙ୍ଗ ଗ୍ରାମ ଜମିକୁ ଯିବା ପାଇଁ ରହିଥିବା ଏକ ରାସ୍ତାରେ ଗତ ମେ’ ମାସରେ ମେସିନ ସାହାଯ୍ୟରେ ମାଟି ପକାଯାଇଥିଲା। ହେଲେ ରାସ୍ତା ଉପରେ ମୋରମ ବିଛା ଯାଇନାହିଁ। ଫଳରେ ଏବେ ଗ୍ରାମର ଚାଷୀମାନେ ସେହି ରାସ୍ତା ଦେଇ ଜମିକୁ ଯିବା ଏବେ ସମ୍ଭବ ହେଉନାହିଁ। ବର୍ଷା ଯୋଗୁଁଁ ସେହି ରାସ୍ତାରେ ଯାନ ବାହାନ ଦୂରେ ଥାଉ ପାଦରେ ଚାଲି ଯିବା କଷ୍ଟ ହୋଇ ପଡ଼ିଛି। କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାବେଳେ ଏ ବାବଦକୁ ବିଲ୍ ମଧ୍ୟ ହୋଇ ଯାଇଥିବା ଜଣାଯାଇଛି। ଏହି ବ୍ଲକର ରାଇବୋଲ, କୁଟୁରିଆ ଆଦି ପଞ୍ଚାୟତରେ ମେସିନ ସାହାଯ୍ୟରେ ପୋଖରୀ ଖୋଳାଯାଇ ବିଲ୍ ଉଠାଇ ନେଇଥିବାବେଳେ ମକୁଆକାଟେଣୀ ପଞ୍ଚାୟତର ତରାଜଙ୍ଗ ଗ୍ରାମ୍ୟ ରାସ୍ତାର ବିଲ୍ ମଧ୍ୟ ଉଠାଇ ନେଇଥିବାରୁ ଯନ୍ତ୍ରୀଙ୍କ ଠିକାଦାର ପୋଷଣ ପ୍ରତି ଅହେତୁକ ଦୁର୍ବଳତା ଯୋଗୁଁଁ ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଏକ ଆଦିବାସୀ ବହୁଳ ବ୍ଲକ କ୍ଷେତ୍ରରେ ଶ୍ରମିକ ବଦଳରେ ମେସିନ ବ୍ୟବହାର କରାଯାଇ କାର୍ଯ୍ୟ କରୁଥିବା ପ୍ରତି ତଦନ୍ତ କରିବା ସହିତ ଆଦିବାସୀ ଶ୍ରମିକମାନଙ୍କ ପ୍ରତି କାମ ଧନ୍ଦା ଯୋଗାଇ ଦେବାକୁ ସଂପୃକ୍ତ ଅଞ୍ଚଳର ଶ୍ରମିକ ଗୋଷ୍ଠୀମାନଙ୍କ ପକ୍ଷରୁ ଦାବି ହେଉଛି।



