ହେଗ୍: ପାକିସ୍ତାନ ଦ୍ବାରା ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ସୋମବାରଠାରୁ ଅନ୍ତର୍ଜାତୀୟ ନ୍ୟାୟିକ ବିଚାରାଳୟ(ଆଇସିଜେ)ରେ ଆରମ୍ଭ ହୋଇଛି। କୁଳଭୂଷଣଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ପ୍ରତ୍ୟାହାର କରିନେବାକୁ ପାକିସ୍ତାନକୁ ନିର୍ଦେଶ ଦେବା ଲାଗି ଭାରତ ଜୋରଦାର ଉଦ୍ୟମ କରିବ ବୋଲି ଆଶା କରାଯାଉଛି। ତେବେ ପୁଲୱାମା ଆକ୍ରମଣ ପରେ କୁଳଭୂଷଣଙ୍କ ମାମଲାର ଶୁଣାଣିକୁ ନେଇ ପୁଣି ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବା ଆଶଙ୍କା ଦେଖାଦେଇଛି। ଅନ୍ୟପଟେ ଏହି ମାମଲା ବିଚାରାଧୀନ ଥିବା ଏବଂ ଏହାର ଶୁଣାଣି ଚାଲିଥିବାରୁ ଏ ସସମ୍ପର୍କରେ କୌଣସି ମତ ଦେଇପାରିବେ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଭୀଶ କୁମାର କହିଛନ୍ତି। ଏହି ଆଇନ ଯୁଦ୍ଧ ଲଢ଼ିବାକୁ ଭାରତ ପ୍ରସ୍ତୁତ ରହିଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଗୁପ୍ତଚରଗିରି ଅଭିଯୋଗରେ ପାକିସ୍ତାନର ଏକ ମିଲିଟାରୀ କୋର୍ଟ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ୨୦୧୬ରେ ପାକିସ୍ତାନ ତାଙ୍କୁ ବେଲୁଚିସ୍ତାନରୁ ଗିରଫ କରିଥିବା କହିଛି। କିନ୍ତୁ ଭାରତ ପକ୍ଷରୁ ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କରାଯାଇଛି। କୁଳଭୂଷଣ ଏକ ବ୍ୟବସାୟିକ କାର୍ଯ୍ୟରେ ଇରାନ ଯାଇଥିବାବେଳେ ପାକିସ୍ତାନ ତାଙ୍କୁ ସେଠାରୁ ଅପହରଣ କରିନେଇଥିବା ଭାରତ କହିଛି। ତେଣୁ ପାକିସ୍ତାନ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଭାରତ ଆଇସିଜେଙ୍କ ଦ୍ବାରସ୍ଥ ହୋଇଛି। କୁଳଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଭାରତ ପକ୍ଷରୁ କୋର୍ଟଙ୍କୁ ନିବେଦନ କରାଯାଇଛି।



