ଭୁବନେଶ୍ବର : ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟରେ ଗୁରତ୍ବପୂର୍ଣ୍ଣ ବୈଠକ ବସିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୫ଟିରୁ ୪ଟି ପ୍ରସ୍ତାବରେ ମୋହର ବାଜିଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।
ରାଜ୍ୟ ସରକାର ସହରୀ ବିକାଶ ଯୋଜନାକୁ ଅନୁମୋଦନ ଦେଇଛନ୍ତି । ଏହି ଯୋଜନା ଅଧୀନରେ ସାଧାରଣ ଏବଂ ରାଜସ୍ବ ସୃଷ୍ଟିକାରୀ ଭିତ୍ତିଭୂମିର ବିକାଶ ଯେପରିକି କଲ୍ୟାଣମଣ୍ଡପ/ ବହୁମୁଖୀ ସଭା ଗୃହ, ଟାଉନ ହଲ୍, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ ପରିସର, ରାସ୍ତା, ଡ୍ରେନ୍, ପାର୍କ, ବହୁବ୍ୟବହାର୍ଯ୍ୟ ବାଣିଜ୍ୟିକ ପରିସର, ଭେଣ୍ଡିଂ ଜୋନ, କ୍ଷୁଦ୍ର ଶୀତଳ ଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଛୋଟପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଖେଳପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗମଣ୍ଡପ, ଭାଗବତ ଟୁଙ୍ଗି ଏବଂ ସାଂସ୍କୃତିକ କେନ୍ଦ୍ର ପରି ଧାର୍ମିକ ସ୍ଥାନର ବିକାଶ ହେବ ।
ଏହା ବ୍ୟତୀତ ରାଜ୍ୟ ସରକାର ଜୈବ ପ୍ରଯୁକ୍ତି ବିଜ୍ଞାନ ବିକାଶ ଯୋଜନାକୁ ମଂଜୁରୀ ଦେଇଛନ୍ତି। ଏଥି ପାଇଁ ଆଗାମୀ ୫ବର୍ଷରେ ୧୧୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ଛେଳିଗଡ଼ ଜଳସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ୍ ଓ ସ୍ପଲ ୱେ ନିର୍ମାଣ ପାଇଁ ୧୫୧ କୋଟି ମଞ୍ଜୁରୀ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୬୨୬୦ ଏକର ଜମି ଜଳସେଚନ ହୋଇପାରିବ। ଚନ୍ଦ୍ରଶେଖରପୁରରେ ଆବଣ୍ଟିତ ଜମି ଛାଡ଼ ପାଇଁ ୨ ଲକ୍ଷ ୬୦ ହଜାର କୋଟି ମଂଜୁରୀ ହୋଇଛି।



