www.samajalive.in
Saturday, December 6, 2025
15.1 C
Bhubaneswar

ଆମ୍ବୁଲାନ୍ସ ପରିଚାଳନା ପାଇଁ ପ୍ରସ୍ତୁତ ହେଉଛି ଏସ୍‌ଓପି

ଭୁବନେଶ୍ବର : ରୋଗୀଙ୍କ ଜୀବନ ମୃତ୍ୟୁରେ ନିର୍ଣ୍ଣାୟକ ଭୂମିକା ନେଉଥିବା ଘରୋଇ ଆମ୍ବୁଲାନ୍ସଗୁଡ଼ିକର ପରିଚାଳନା ପାଇଁ ସରକାର ଗୋଟିଏ ପରେ ମାର୍ଗଦର୍ଶିକା ଆଣୁଛନ୍ତି। କିନ୍ତୁ ରୋଗୀ କଷଣରେ ବିରାମ ଲାଗୁ ନାହିଁ। ଘରୋଇ ଆମ୍ବୁଲାନ୍ସରେ ଭଡ଼ା ଧାର୍ଯ୍ୟ ପାଇଁ ୨୦୨୧ ମସିହାରେ ଗୋଟିଏ ମାର୍ଗଦର୍ଶିକା ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏବେ ଆଉ ଗୋଟିଏ ମାର୍ଗଦର୍ଶିକା ଜାରି ହେବ। ନିକଟରେ ଘରୋଇ ଆମ୍ବୁଲାନ୍ସ ପରିଚାଳନା ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବୈଷୟିକ ପ୍ରସଙ୍ଗକୁ ‌ନେଇ ବିସ୍ତୃତ ଆଲୋଚନା ହୋଇଥିଲା ବେଳେ ଭଡ଼ା ନିର୍ଦ୍ଧାରଣ ସମ୍ପର୍କରେ କିଛି ଠୋସ୍‌ ନିଷ୍ପତ୍ତି ନିଆଯାଇ ପାରିନି। ନୂଆ ବ୍ୟବସ୍ଥା ଦ୍ବାରା ଘରୋଇ ଆମ୍ବୁଲାନ୍ସ ପରିଚାଳନାରେ ସ୍ବଚ୍ଛତା ଆସିବ ବୋଲି ପରିବହନ ବିଭାଗ ଆଶା ରଖିଛି। ଘରୋଇ ଆମ୍ବୁଲାନ୍ସଙ୍କ ମନଇଚ୍ଛା ଦରକୁ ନେଇ ୨୦୨୧ ମେ’ ମାସରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆମ୍ବୁଲାନ୍ସ ପାଇଁ ବ୍ୟବହୃତ କେଉଁ ପ୍ରକାର ଗାଡ଼ି କେତେ କି.ମି ଗଲେ କେତେ ଟଙ୍କା ଭଡ଼ା ଦାବି କରିବେ ତାହା ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ସେହିପରି ଆମ୍ବୁଲାନ୍ସରେ ଯିବା ସମୟରେ ଅମ୍ଳଜାନ, ସ୍ବାସ୍ଥ୍ୟ ସହାୟତା, ପିପିଇ କିଟ୍‌ ଭଳି ବିଭିନ୍ନ ସାମଗ୍ରୀ ବ୍ୟବହାର ମୂଲ୍ୟ ଭଡ଼ାରେ ସାମିଲ କରାଯାଇଥିଲା। ସାଧାରଣ, ଜୀବନ ରକ୍ଷାକାରୀ ଏବଂ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ପାଇଁ ବିଭାଗ ଅଲଗା ଅଲଗା ଭଡ଼ା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଲାଗୁ ହୋଇ ନାହିଁ। ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ପରିବହନ କରୁଥିବା ଘରୋଇ ଆମ୍ବୁଲାନ୍ସ ପରିଚାଳନାରେ ତ୍ରୁଟି ସଂଶୋଧନ ପାଇଁ ନିକଟରେ ପରିବହନ ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଆଲୋଚନା କରିବା ପରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଘରୋଇ ଆମ୍ବୁଲାନ୍ସକୁ ୧୦୮ ସହ ସଂଯୋଗ କରାଯିବା ସହ ଗୋଟିଏ ସ୍ଥାନରୁ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ପରିଚାଳନା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ମୋବାଇଲ୍‌ ଆପ୍ଲିକେସନ ଜରିଆରେ ମଧ୍ୟ ଆମ୍ବୁଲାନ୍ସ ବୁକିଂ କରାଯାଇ ପାରିବ। ଆମ୍ବୁଲାନ୍ସରେ ଜିପିଏସ୍‌, ଭେହିକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍‌ (ଭିଏଲ୍‌ଟିଡି) ଲଗାଯିବ। ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଏହି ବ୍ୟବସ୍ଥା ଦ୍ବାରା ଘରୋଇ ଆମ୍ବୁଲାନ୍ସ ପରିଚାଳନାରେ ସୁଧାର ଆସିବା ସହିତ ଦର ନିୟନ୍ତ୍ରଣ ସହଜ ହେବ। ଆମ୍ବୁଲାନ୍ସ ସେବା ପାଇଁ ଦର ଧାର୍ଯ୍ୟ କରାଯିବ। ଯାହା ଦ୍ବାରା ରୋଗୀଙ୍କ ଠାରୁ ମନଇଚ୍ଛା ଟଙ୍କା ଆଦାୟ ହୋଇପାରିବ ନାହିଁ। ସବୁ ଘରୋଇ ଆମ୍ବୁଲାନ୍ସକୁ ଅନ୍‌ଲାଇନ ପ୍ଲାଟଫର୍ମରେ ପଞ୍ଜୀକରଣ ପାଇଁ କୁହାଯାଉଛି। ଏହି ପୂରା ପ୍ରକ୍ରିୟା ପାଇଁ ଆଉ କିଛି ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories