ସମାଜ ଡିଜିଟାଲ ଡେସ୍କ: ଆସୁଛି ଦୁଇଟି ଲଘୁଚାପ । ମେ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆବରସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ମେ ୨୧ ତରିଖ ଅର୍ଥାତ ଆସନ୍ତାକାଲି ଆରବସାଗରରେ କର୍ଣ୍ଣାଟକ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ମେ ୨୨ବେଳକୁ ଏହା ଲଘୁଚାପ ରୂପ ନେଇ ଘନୀଭୂତ ହୋଇ ଉତ୍ତରକୁ ଗତି କରିପାରେ । ପରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।
ସେହିପରି ମେ ୨୭ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ରୂପ ନେବାର ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ହୋଇଛି । ପଞ୍ଜାବରୁ ଉତ୍ତର ବାଂଲାଦେଶ ପର୍ଯ୍ୟନ୍ତ ପୂର୍ବରୁ-ପଶ୍ଚିମ ଯାଏଁ ଏକ ଟ୍ରଫ୍ ଲାଇନ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।



