www.samajalive.in
Saturday, December 6, 2025
23.1 C
Bhubaneswar

ସ୍ମୃତି-ବିସ୍ମୃତି ରହସ୍ୟ

ଭୁବନେଶ୍ଵର :  ମନୁଷ୍ୟ ଜୀବନର ଅବଧି ମଧ୍ୟରେ ଅନେକ ଘଟଣା ଦୁର୍ଘଟଣା ଘଟିଥାଏ। କିଛି ମନେ ରହେନା ଆଉ କିଛି ଭୁଲି ହୁଏନା। ତେବେ ବଡ଼ବଡ଼ ମୋଡ଼ଗୁଡ଼ିକୁ ନିଜ ସହ ଅନ୍ୟମାନେ ମଧ୍ୟ କିଛିଟା ମନେ ରଖନ୍ତି। ଯାହା ବେଳେବେଳେ ଆବଶ୍ୟକ ଆଉ ଅନେକ ସମୟରେ ମୁଣ୍ଡବିନ୍ଧାର କାରଣ ସାଜିଥାଏ; କିନ୍ତୁ ମନୁଷ୍ୟ ତା’ର ନିତିଦିନିଆ ଜୀବନଯାପନ କରିବା ପାଇଁ ଅନେକ କିଛି କଥା ମନେ ରଖିବାକୁ ପଡ଼ିଥାଏ ଏବଂ ଭୁଲିଗଲେ ଛୋଟବଡ ସମସ୍ୟା ସୃଷ୍ଟି ହୋଇଥାଏ। ଏଇ ଯେମିତି ଚାବି ହଜିବା ଗୋଟିଏ ସାମାନ୍ୟ କଥା ମନେହେଲେ ହେଁ ହଜିଗଲା ପରେ ବ୍ୟସ୍ତତା ବଢ଼଼ିଯିବା ସ୍ୱାଭାବିକ; ପୁଣି ସେ ଯଦି ପ୍ରତିଦିନ ହେଉଥିବ, ଏମିତି ଅନେକ କିଛି ଜିନିଷ ସାମ୍ନାରେ ଥାଇ ମଧ୍ୟ ହଜିଲା ପରି ମନେହୁଏ। ବେଳେବେଳେ ମଣିଷ ବାମ ହାତରେ ଜିନିଷ ଧରି ଡାହାଣ ହାତରେ ଖୋଜିଖୋଜି ହତାଶ ହୁଏ।
ଛୋଟ ପିଲାଙ୍କର ସ୍ମରଣ ଶକ୍ତି ଦୁର୍ବଳ ହୁଏ; ଅର୍ଥାତ୍‌‌ ସେମାନଙ୍କର ପ୍ରାଥମିକ ସ୍ମୃତିଟି କାର୍ଯ୍ୟ କରିଥାଏ, ତେଣୁ ସେମାନେ ସାଙ୍ଗେ ସାଙ୍ଗେ ଭୁଲିଯାଇଥାନ୍ତି। ତା’ଛଡା ସେମାନଙ୍କର ଦାୟିତ୍ୱବୋଧ ଆସି ନଥାଏ। ସେମାନେ କିଛି କଥା ଭୁଲିଗଲେ ତାଙ୍କୁ ଦୋଷ ଦେଇ ହୁଏନା। ମାତ୍ର ବୟସ ବଢ଼଼ିବା ସଙ୍ଗେସଙ୍ଗେ ସ୍ମୃତିଶକ୍ତି ପ୍ରଖର ହୁଏ ଏବଂ ଦାୟିତ୍ୱଜ୍ଞାନ ମଧ୍ୟ ବୃଦ୍ଧି ହୋଇଥାଏ। ମାତ୍ର ଭୁଲାଭୁଲି ବ୍ୟାପାରଟା ଯେ କେତେ ସାଂଘାତିକ ଯିଏ ଭୋଗେ ସିଏ ଜାଣେ। ମନେକର ଅତି ଦରକାରୀ ଜିନିଷଗୁଡିକ ଯାହା ଠିକ୍‌‌ ଜାଗାରେ ବ୍ୟବସ୍ଥିତ ହୋଇ ଥାଏ କିନ୍ତୁ ଠିକ୍‌‌ ସମୟରେ ମିଳେନା ତେବେ ଝଗଡ଼଼ା ହେବା ନିଶ୍ଚିତ। ଯାହାର ସିଧାସଳଖ ପ୍ରଭାବ ସମ୍ପର୍କ ଉପରେ ପଡ଼ିଥାଏ। ପରିବାର ହେଉଛି ଏମିତି ଏକ ମନ୍ଦିର ଯେଉଁଠି ଗୋଟିଏ ଦିଅଁକୁ କୋଟିଏ ପୂଜା ଖୋଜା ପଡେ। ତେଣୁ ଯଦି କାହାର ଏହି ଭୁଲାପଣ ରୋଗଟି ଥାଏ ଦେଉଳ ଭାଙ୍ଗିବାରେ ଆଉ ଡେରି ହୁଏନା।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଭୁଲିଯିବା ଏକ ବେମାରୀ ଯାହାକୁ ଇଂରାଜୀରେ ଡିମେନ୍‌‌ସିଆ ବୋଲି କୁହାଯାଏ ଏବଂ ତା’ର ଅନେକଗୁଡିଏ ପ୍ରକାର ମଧ୍ୟରୁ ‘ଆଲଜାଇମର୍‌‌’ ଅନ୍ୟତମ। ସାଧାରଣତଃ ଏହି ରୋଗଟି ୬୦ ବର୍ଷ ପାଖାପାଖି ବ୍ୟକ୍ତିମାନଙ୍କୁ ଗ୍ରାସିଥାଏ। ଏହାର ଅନେକ କାରଣ ମଧ୍ୟରୁ ନିଶା ଗ୍ରହଣ, ମସ୍ତିଷ୍କ ଆଘାତ, ମାନସିକ ଅବସାଦ ଏବଂ ଭିଟାମିନ୍‌‌ର ଅଭାବ ଅନ୍ୟତମ। ଯେଉଁ ବୟସରେ ଏହା ଆରମ୍ଭ ହୋଇଥାଏ ସେଇ ବୟସରେ ଏକାକୀ ଜୀବନଯାପନ ବର୍ଜନ କରିବା ଉଚିତ୍‌‌। ଉପଯୁକ୍ତ ଯତ୍ନ ଏବଂ ଆଦର ସମ୍ମାନ ପାଇଲେ ଏହାର ମାତ୍ରା କମିପାରିବ। ପରିବାର ପରି ଅନୁଷ୍ଠାନ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଏବଂ ଦାୟିତ୍ୱବୋଧ ଯୋଗୁଁଁ ବୟୋଜ୍ୟେଷ୍ଠମାନଙ୍କ କାର୍ଯ୍ୟର ପରିମାଣ କମିଗଲେ ସେମାନେ ଏହି ରୋଗରୁ ଅନେକ ମାତ୍ରାରେ ଉପଶମ ପାଇପାରିବେ। ମାତ୍ର ମନୁଷ୍ୟର ସ୍ୱାଧୀନ ଭାବେ ବାସ କରିବାର ଇଚ୍ଛା ଯୋଗୁଁଁ ପରିବାର ରୂପକ ଶବ୍ଦର ସାର୍ଥକତା ଆଉ ସେପରି ଦୃଶ୍ୟମାନ ହେଉନାହିଁ। ତେଣୁ ଭୁଲିଯିବା ପରି ରୋଗଟି ଦିନକୁ ଦିନ ବୃଦ୍ଧି ହେବା ସହ ମାରାତ୍ମକ ମଧ୍ୟ ସାଜୁଛି। ବରିଷ୍ଠ ନାଗରିକ ଆମ ପାଇଁ ଅମୂଲ୍ୟ ସମ୍ପଦ କାରଣ ସେମାନଙ୍କ ଅନୁଭବ ଅନେକ ସମୟରେ ଆମକୁ ବିପଦରୁ ବଞ୍ଚାଇଥାଏ। ସେମାନେ ଆମକୁ ବିପଦରୁ ରକ୍ଷା କରିବେ ସେ ଲାଗି ସେମାନଙ୍କର ସୁରକ୍ଷା କରିବା ସେକଥା ନୁହେଁ ବରଂ ସେମାନେ ପରିବାର ଓ ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ପ୍ରତ୍ୟେକ ବ୍ୟକ୍ତି ସେଇ ସ୍ତର ଦେଇ ଦିନେ ନା ଦିନେ ଗତି କରିବେ। ଆମେ ଯଦି ସେମାନଙ୍କୁ ଭୁଲିଯିବା ସେମାନେ ବି ତ ଆମକୁ ଭୁଲିଯିବେ। ଭୁଲିଯିବା ଯେ ସେମାନଙ୍କ ପାଇଁ ବେଶି ସହଜ।
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭୁଲିଯିବା ରୋଗଟି କେବଳ ବୟସ୍କମାନଙ୍କୁ ଗ୍ରାସିନାହିଁ ବରଂ ସବୁ ବୟସର ଲୋକମାନେ ଏହାର ପ୍ରଭାବ ଭୋଗୁଛନ୍ତି। ସୀମାତୀତ ଉନ୍ନତି ଏବଂ ଉଚ୍ଚ ଆଶା ପୂରଣ ନିମିତ୍ତ ଅଳ୍ପ ସମୟ ମଧ୍ୟରେ ଅନେକ କାର୍ଯ୍ୟର ଭାର ଗ୍ରହଣ କରୁଛନ୍ତି। ଫଳ ସ୍ୱରୂପ ମସ୍ତିଷ୍କ ଦରକାର ଠାରୁ ଅଧିକା କାର୍ଯ୍ୟକୁ ଠିକ୍‌‌ ଭାବରେ ସଂଗଠିତ କରିବାକୁ ସମର୍ଥିତ ହେଉନାହିଁ। ବିଶିଷ୍ଟ ବୈଜ୍ଞାନିକ ଆଇନ୍‌‌ଷ୍ଟାଇନ୍‌‌ ଜ୍ଞାନର ଭଣ୍ଡାର ହୋଇଥିଲେ ହେଁ ସମୟ ସମୟରେ ଅନେକ ଛୋଟବଡ କଥାକୁ ଭୁଲିଯାଉଥିଲେ। ଏପରି କି ବସ୍‌‌ରେ ଉଠିବା ପରେ ଗନ୍ତବ୍ୟ ସ୍ଥଳର ନାମ କହି ପାରୁନଥିଲେ। ନିଜର ଧୋବା ଆଗରେ କପଡ଼ାର ହିସାବ ମଧ୍ୟ ଭୁଲ୍‌‌ଭାଲ୍‌‌ କରି କହୁଥିଲେ। ତେଣୁ ତାଙ୍କୁ ମଧ୍ୟ ଅପଦସ୍ଥ ହେବାକୁ ପଡୁଥିଲା। ମାତ୍ର ବୃହତ୍ତର ସ୍ୱାର୍ଥ ନିମିତ୍ତ କାର୍ଯ୍ୟ କରୁଥିବା ଲୋକ ଛୋଟ ଛୋଟ କଥା ଭୁଲିଯିବା ଏତେ ବଡ କଥା ହୋଇ ନପାରେ। ନୂତନ କଥାକୁ ମନେ ରଖିବା ପାଇଁ ପୁରାତନକୁ ଭୁଲିବାକୁ ପଡେ। ଏହା ଏକ ସାଧାରଣ ଓ ସରଳ ପ୍ରକ୍ରିୟା କାରଣ ଆମ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷମତା ରହିଥାଏ। ଭୁଲିଯିବା ମଣିଷଙ୍କ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ଓ ଏକ ବିଶେଷ ଗୁଣ ଯାହାଦ୍ୱାରା ମଣିଷ ଜୀବନର ଚଲାପଥକୁ ସହଜରେ ଅତିକ୍ରମ କରିଥାଏ।
ଥରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ମା’ ମରିଯିବାର କୋଡିଏ ବର୍ଷ ପରେ ହଠାତ୍‌‌ କାନ୍ଦିବାକୁ କୁହାଗଲା; କିନ୍ତୁ ତାହା ଯେ ଆଉ ସମ୍ଭବ ହେଲାନାହିଁ କହିବା ଆଶ୍ଚର୍ଯ୍ୟଜନକ ନୁହେଁ କାରଣ ସେ ଘଟଣାର ଦରଦ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉଭେଇଯାଏ। ମନେ ରଖିବା ଏବଂ ଭୁଲିଯିବା ଭିତରେ ଥିବା ଦୂରତାଟି ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ‘ସମୟ ସବୁଠାରୁ ବଡ ମଲମ’ ବୋଲି ଅଭିହିତ କରାଯାଏ। ଏପରି କି ଦୈନନ୍ଦିନ ଜୀବନରେ ନିଦ୍ରାର ଆବଶ୍ୟକତା ମଧ୍ୟ ସେହିପରି ହୋଇଥାଏ। କିଛି ସମୟ ନିଦ୍ରା ଗଲାପରେ ମଣିଷ ଅନେକ ଅନାବଶ୍ୟକ କଥାର ଗୁରୁତ୍ୱକୁ ଭୁଲିଯାଇଥାଏ। ତେଣୁ ସେ ସତେଜ ଅନୁଭବ କରେ ଏବଂ ନୂତନ କାର୍ଯ୍ୟ ପାଇଁ ଉତ୍ସାହ ପାଇଥାଏ।
ପରିଶେଷରେ ଏତିକି କୁହାଯାଇ ପାରେ ଯେ ଭୁଲିଯିବା ମନୁଷ୍ୟର ଯେତିକି ଆବଶ୍ୟକ ସେତିକି ବିପଦପୂର୍ଣ୍ଣ ହୋଇଥାଏ; କିନ୍ତୁ ନିଜର ପରିବାର ସହିତ ସମଗ୍ର ସମାଜର ବରିଷ୍ଠ ନାଗରିକଙ୍କ ପ୍ରତି ପ୍ରତ୍ୟେକ ବ୍ୟକ୍ତିଙ୍କର ଥିବା ଦାୟିତ୍ୱକୁ ଏଡାଇ ଦିଆଯାଇ ନପାରେ। ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କର ମନକୁ ହାଲୁକା କରିବା ପାଇଁ ଚେଷ୍ଟା ଓ ସେମାନଙ୍କ ଦୀର୍ଘ ଜୀବନର ସାହସିକତା ପାଇଁ ସାବାସି ଦେବା ନିତାନ୍ତ ଗୁରୁତ୍ୱପୂର୍ଣ୍ଣ। ତା’ ସଙ୍ଗେ ସଙ୍ଗେ ନିଜର ସମୟ ଓ କ୍ଷମତା ଅନୁଯାୟୀ କାର୍ଯ୍ୟ କରିବା ଏବଂ ଦୈନନ୍ଦିନ ଜୀବନରେ ବ୍ୟାୟାମ, ପ୍ରାଣାୟାମ, ଯୋଗ ଇତ୍ୟାଦିକୁ ସାମିଲ କଲେ ଆମେ ଭୁଲିଯିବା ପରି ମାନସିକ ବ୍ୟାଧିରୁ ନିଜକୁ ମୁକ୍ତ କରିପାରିବା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories