www.samajalive.in
Saturday, December 6, 2025
17.1 C
Bhubaneswar

କାପୁରୁଷୋଚିତ

ଭୁବନେଶ୍ଵର: ଭାରତର ମିନି ସୁଇଜରଲ୍ୟାଣ୍ଡ ଭାବେ ପରିଚିତ ଜାମ୍ମୁ-କାଶ୍ମୀରର ପହଲଗାଁରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଅପ୍ରତ୍ୟାଶିତ ଆକ୍ରମଣ କରିବାରୁ ଜଣେ ଓଡ଼ିଆଙ୍କ ସମେତ ୨୭ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବହୁ ଅଧିକ ହୋଇପାରେ ବୋଲି ସୂଚନା ମିଳୁଛି। ପର୍ଯ୍ୟଟକମାନେ ବୁଲାବୁଲି କରୁଥିବାବେଳେ ପାକିସ୍ତାନ ସମର୍ଥିତ ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଭଳି ଭାରତରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏଭଳି କାଣ୍ଡ ଭିଆଯାଇଥିବା ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି। ଦୀର୍ଘଦିନ ଧରି କାଶ୍ମୀର ଶାନ୍ତ ରହିବାପରେ ପାକ୍‌ ସମର୍ଥିତ ଆତଙ୍କବାଦୀମାନେ ପୁନଶ୍ଚ ସକ୍ରିୟ ହେବା ଜଣାପଡ଼ିବାରୁ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିଲା। ନିରାପତ୍ତା ବ୍ୟବସ୍ଥାରେ ସାମାନ୍ୟ ବ୍ୟତିକ୍ରମର ସୁଯୋଗ ନେଇ ଆତଙ୍କବାଦୀମାନେ ଏହି ନାରକୀୟ କାଣ୍ଡ ଭିଆଇଛନ୍ତି। ନିରସ୍ତ୍ର ଲୋକଙ୍କୁ ବିଶେଷ କରି ପର୍ଯ୍ୟଟକଙ୍କ ହତ୍ୟା କରିବା ଅମାନୁଷିକ ଏବଂ ନିନ୍ଦନୀୟ। ଏଭଳି କାପୁରୁଷୋଚିତ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଖୋଜି ଖୋଜି ନିପାତ କରାଯିବା ଉଚିତ।
ଏହି ହତ୍ୟାକାଣ୍ଡ ଆତଙ୍କବାଦୀ ଓ ଏହାର ଧର୍ମପିତା ପାକିସ୍ତାନର କାପୁରୁଷୋଚିତ କାର୍ଯ୍ୟକୁ ପଦାରେ ପକାଉଛି। ଏଭଳି କାଣ୍ଡ ଭିଆଇ ସେମାନେ ଭାରତରେ ଅସ୍ଥିରତା ସୃଷ୍ଟି କରିବା ସହିତ କାଶ୍ମୀରର ଅର୍ଥନୀତିକୁ ବିଗାଡ଼ିବାକୁ ଚାହୁଁଛନ୍ତି। ପର୍ଯ୍ୟଟନ କାଶ୍ମୀରର ସବୁଠୁ ବଡ଼ ରୋଜଗାର କ୍ଷେତ୍ର। ସରକାର ଗଠନ ସହିତ ସ୍ବାଭାବିକତା ଫେରିବା ପରେ ସେଠାକୁ ପର୍ଯ୍ୟଟକମାନଙ୍କ ଆଗମନ ବଢ଼ିଥିଲା। ଏହା ଫଳରେ ହୋଟେଲ, ଟ୍ରାଭେଲ୍ସ, ଆତିଥ୍ୟ ଓ ପର୍ଯ୍ୟଟନ ସହିତ ସଂପୃକ୍ତ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ତମ ପ୍ରଭାବ ପରିଲକ୍ଷିତ ହୋଇଥିଲା। ରୋଜଗାର ପାଇ କାଶ୍ମୀରବାସୀ ଖୁସିରେ ଥିଲେ। ଏବେ ଆତଙ୍କବାଦୀ ବାଛିବାଛି ପର୍ଯ୍ୟଟକଙ୍କୁ ବହୁ ଦିନ ପରେ ନିଶାଣ କରିବା ପଛରେ ସେମାନଙ୍କ ଅସଲ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯାଇଛି। ଆହୁରି ମଧ୍ୟ ଆଗକୁ ଅମରନାଥଯାତ୍ରା ଆସୁଥିବାରୁ ଏଭଳି ଆତଙ୍କବାଦୀ ଘଟଣାର ପ୍ରଭାବ ତାହା ଉପରେ ଅବଶ୍ୟ ପଡ଼ିବ। ସୋନମାର୍ଗରେ ଅମରନାଥ ଯାତ୍ରୀଙ୍କ ଉପରେ ଅନୁରୂପ ଆକ୍ରମଣ ହୋଇପାରେ।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ତୁଙ୍ଗନେତା ଏଭଳି ନାରକୀୟ ଘଟଣାକୁ ନିନ୍ଦା କରିଛନ୍ତି। ସ୍ବୟଂ ସ୍ବରାଷ୍ଟ୍ରମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୁଲିସ ଓ ସେନାର ବରିଷ୍ଠ ଅଧିକାରୀ ସଦଳବ‌ଳ ସେଠାରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଉଦ୍ଧାର କରିବାସହ ଅଟକି ରହିଥିବା ପର୍ଯ୍ୟଟକଙ୍କୁ ନିରାପଦରେ ନିଜ ଘରକୁ ପଠାଇବା ଏବେ ପ୍ରଥମ କାର୍ଯ୍ୟ। ଆହୁରି ମଧ୍ୟ ସବୁ ମୃତଦେହକୁ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା ଶୀଘ୍ର କରିବାକୁ ହେବ। ଆମର ମନେ ହେଉଛି ଗୁଇନ୍ଦା ବିଫଳତା ଓ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ଏହି ଘଟଣା ପାଇଁ ଦାୟୀ। ବିଶେଷ କରି ଦକ୍ଷିଣ କାଶ୍ମୀରର ପୁଲୱାମା, ଅନନ୍ତନାଗ ଓ ଡୋଡା ଜିଲାରେ ଏବେ ମଧ୍ୟ ଆତଙ୍କବାଦୀ ସକ୍ରିୟ। ସେମାନେ ସଂପୃକ୍ତ ଅଞ୍ଚଳର ଘନଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରି ପୁନଃ ସକ୍ରିୟ ହୋଇଛନ୍ତି। ଏହି ହିଂସାକାଣ୍ଡ ତାହାର ଏକ ପ୍ରମାଣ।
ମନେରଖିବାକୁ ହେବ କାଶ୍ମୀର ଆତଙ୍କବାଦ ମୁକ୍ତ ହୋଇନାହିଁ। ଧାରା ୩୭୦ର ଉଚ୍ଛେଦ ପରେ କାଶ୍ମୀରରେ ନିରୀହ ଲୋକଙ୍କ ଉପରେ ଆତଙ୍କବାଦୀଙ୍କର ଏହା ପ୍ରଥମ ବଡ଼ଧରଣର ଆକ୍ରମଣ। ସେମାନେ ସେନା ଓ ପୁଲିସ ପୋଷାକରେ ଆସି ପର୍ଯ୍ୟଟକଙ୍କ ନାମ ଓ ଧର୍ମ ପଚାରି ବାଛିବାଛି ସେମାନଙ୍କୁ ହତ୍ୟାକରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ନିହତଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। ଭାରତରେ ଅସ୍ଥିରତା ସୃଷ୍ଟି କରିବା ଏହି ଆକ୍ରମଣର ଅନ୍ୟତମ ମୌଳିକ ଲକ୍ଷ୍ୟ। ଏବେ ଭାରତରେ କେତେକ ଅଞ୍ଚଳରେ ସାଂପ୍ରଦାୟିକ ହିଂସାକାଣ୍ଡ ଘଟିଛି। ତେଣୁ ସଂଖ୍ୟାଗରିଷ୍ଠ ବର୍ଗର ହିନ୍ଦୁଙ୍କୁ ହତ୍ୟାକରି ସାଂପ୍ରଦାୟିକ ହିଂସାକାଣ୍ଡକୁ ଉସୁକାଇବା ଏହାର ଉଦ୍ଦେଶ୍ୟ ହୋଇପାରେ। ଭାରତକୁ ଅସ୍ଥିର ଓ ଦୁର୍ବଳ କରିବାକୁ ପାକିସ୍ତାନ ଆତଙ୍କବାଦୀଙ୍କ ମାଧ୍ୟମରେ ଯେଉଁ ସ୍ବଳ୍ପ ତୀବ୍ରତାର ଯୁଦ୍ଧ ଚଳାଇଛି ତାହାର ଉପଯୁକ୍ତ ମୁକାବିଲା ଜରୁରୀ।
ପାକିସ୍ତାନର ଆଭ୍ୟନ୍ତରୀଣ ଓ ରାଜନୀତିକ ପରିସ୍ଥିତି ଏବେ ଭଲ ନାହିଁ। ସେଠାକାର ସର୍ବଶକ୍ତିମାନ ସେନା ଏବେ ବିଭିନ୍ନ ପ୍ରକାର ଚାପର ସମ୍ମୁଖୀନ। ତେଣୁ ପରିସ୍ଥିତିକୁ ବିଭ୍ରାନ୍ତ କରିବାକୁ ସେନା ତାହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଓ ଆତଙ୍କବାଦୀଙ୍କ ଦ୍ବାରା ଭାରତ ବିରୋଧରେ ଅଭିଯାନକୁ ଜୋରଦାର୍‌ କରିଛି। ବାଂଲା​‌ଦେଶର ମୌଳବାଦୀଙ୍କ ସହାୟତାରେ ଉତ୍ତର-ପର୍ବାଞ୍ଚଳରେ ମଧ୍ୟ ହିଂସାକାଣ୍ଡ ଭିଆଉଛି।
କାଶ୍ମୀରରେ ଆତଙ୍କବାଦୀ ଏବେ ନିଜର ରଣକୌଶଳ ବଦଳାଇଥିବାରୁ ଗୁଇନ୍ଦା ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ସହ ଆତଙ୍କବାଦକୁ ନିର୍ମମଭାବେ ଦମନ କରିବାର ସମୟ ଆସିଛି। ଘଟଣାକୁ କେବଳ ନିନ୍ଦା ନକରି ସରକାର ତତ୍ପରତା ଦେଖାନ୍ତୁ। ଏଭଳି ଏକ ସଂକଟଜନକ ସମୟରେ ଦେଶବାସୀ ଧୈର୍ଯ୍ୟ ଓ ସଂଯମ ରକ୍ଷା କରିବାସହ ସାଂପ୍ରଦାୟିକ ସଦ୍‌ଭାବକୁ ବଜାୟ ରଖିବାର ମଧ୍ୟ ଆବଶ୍ୟକତା ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories