www.samajalive.in
Saturday, December 6, 2025
17.1 C
Bhubaneswar

ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ, ଦୁଇ ଆହତ

କଲମପୁର : ବରଗଡ ବରିଗୁମା ଜାତୀୟ ରାଜପଥ ୨୬ ଅନ୍ତର୍ଗତ କୋକସରା ଥାନା ଅଧିନସ୍ଥ କାଉଡଲା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହେବା ସହ ଦୁଇ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକ ମୃତକଙ୍କ ପରିବାରକୁ କ୍ଷତିପୁରଣ ସହିତ ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବାରୁ ତାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ଦାବି କରି ରାସ୍ତା ଅବରୋଧ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାବେଳେ ଜୟପାଟଣା ବ୍ଲକ ଉଛୁଲା ପଞ୍ଚାୟତର କୁଣ୍ଡିଗୁଡା ଠାରେ ହେଉଥିବା ପାଟ ଯାତ୍ରା ଦେଖି କୋକସରା ବ୍ଲକ ଖଲିଗଡର ଯୁବରାଜ ମାଝୀ(୪୦), ଗୋତମୁଣ୍ଡା ପଞ୍ଚାୟତ ପିପଲଝାପର ଗାଁର ପୁସ୍ତମ ମାଝୀ(୪୦) ସମେତ ଏକ ୧୨ ବର୍ଷିୟ ନାବାଳକ ମଞ୍ଜିତ ବାଗ ପ୍ରମୁଖ ୩ଜଣ ଏକ ମଟରସାଇକଲ (ସି.ଜି ୦୭ଏଲ.ବି ୯୯୫୪)ରେ ଫେରୁଥିଲେ। କାଉଡଲା ଛକ ନିକଟରେ ନବରଙ୍ଗପୁର ପଟରୁ ଓ.ଡି ୧୫ ଜି ୮୦୩୪ ନମ୍ବର ବିଶିଷ୍ଟ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଏହି ଧକ୍କା ଫଳେରେ ଯୁବରାଜ ଟ୍ରକର ପଛ ଚକ ତଳେ ପଡିଯାଇଥିବା ବେଳେ ପୁସ୍ତମ ଓ ମଞ୍ଜିତ ସୌଭାଗ୍ୟ ବସତଃ ରାସ୍ତା କଡକୁ ଛିଟିକି ପଡିଥିଲେ। ଉଭୟ ପୁସ୍ତମ ଓ ମଞ୍ଜିତ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରେ ଯୁବରାଜଙ୍କ ମୃତ୍ୟୁ ହୋଇଥିଲା। ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ରିତିମତ ଧନ ଜୀବନ ନଷ୍ଟ ହୋଇ ଚଲିଛି। କିନ୍ତୁ ପ୍ରଶାସନ ତରଫରୁ ଦୁର୍ଘଟଣାର ନିରାକରଣ ନେଇ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ଅସନ୍ତୋଷ କାରଣରୁ ମୃତକର ପରିବାରକୁ କ୍ଷତିପୁରଣ ଓ ଦୁର୍ଘଟଣାର ନିରାକରଣ ନେଇ ବ୍ୟବସ୍ଥା କରିବା ପାଇଁ ଦାବି କରି ରାସ୍ତା ଅବରୋଧ କରାଯାଇଛି। ଯାହା ଫଳରେ ରାସ୍ତାର ଉଭୟ ପଟରେ ବହୁ ସଂଖ୍ୟାରେ ଗାଡି ସବୁ ଅଟକି ରହିଥିଲା। ଏହାର ସୂଚନା ପାଇବା ପରେ କୋକସରା ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ ଆମପାଣି ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ସୁରକ୍ଷା ବଳ ସହିତ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ରହି ଶବ ଜବତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାଇବାରେ ପ୍ରୟାସ କରୁଛନ୍ତି। ଟ୍ରକ ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଶବକୁ ଆସନ୍ତା ବୁଧବାର ଦିନ ବ୍ୟବଚ୍ଛେଦ କରାଯିବାର ସୂଚନା ମିଳିଛି। ଆହତ ଦ୍ୱୟଙ୍କୁ ଉଦ୍ଧାର କରାଯାଇ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories