www.samajalive.in
Saturday, December 6, 2025
16.1 C
Bhubaneswar

ଆମ୍ବେଦକର କେବଳ ନାମ ନୁହେଁ, ଏକ ବିଚାରଧାରା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭାରତରତ୍ନ ବାବା ସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ, ଏକ ଦଳିତ ପରିବାରରୁ ଆସି ଭାରତୀୟ ସମ୍ବିଧାନର ମୁଖ୍ୟ ସଂରଚକ ହେବା ପର୍ଯ୍ୟନ୍ତ ଡ. ଆମ୍ବେଦକରଙ୍କ ଜୀବନ ଯାତ୍ରା ଆଗାମୀ ପିଢ଼ି ପାଇଁ ନିରନ୍ତର ପ୍ରେରଣାର ଉତ୍ସ। ଡ. ଆମ୍ବେଦକରଙ୍କ ସମ୍ମାନାର୍ଥେ ଭୁବନେଶ୍ବରରେ ଏକ ଭବନ ନିର୍ମାଣ ହେବ। ଏହି ଭବନରେ ଏକ ଗ୍ରନ୍ଥାଗାର ଓ ସଭାଗୃହ ରହିବ। ଡ. ଆମ୍ବେଦକରଙ୍କ ନୀତି, ଆଦର୍ଶ ଓ ଜୀବନୀ ଉପରେ ଅଧିକ ଗବେଷଣା ହେବ। ସେହିଭଳି ଭୁବନେଶ୍ବରର ଏକ ରାସ୍ତା ଓ ଏକ ପାର୍କକୁ ତାଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ ନ୍ୟାୟପୂର୍ଣ୍ଣ ଓ ସମତାଭିତ୍ତିକ ସମାଜ ଗଠନ ପ୍ରତି ଡ. ଆମ୍ବେଦକରଙ୍କ ଦୃଷ୍ଟିକୋଣ ଦେଶର ମାର୍ଗ ଦର୍ଶନ କରିଚାଲିଛି ଓ କରିଚାଲିଥିବ। ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲି ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗଗତ ବିଭେଦକୁ ଭୁଲି ଏକ ସମାବେଶୀ ସମାଜ ପ୍ରତିଷ୍ଠା କରିପାରିଲେ, ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆମ୍ବେଦକର କେବଳ ଏକ ନାମ ନୁହେଁ, ଏହା ଏକ ବିଚାରଧାରା। ଦେଶକୁ ଏକ ସମାବେଶୀ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ପ୍ରଦାନ କରିବାରେ ସେ ଥିଲେ ଅଗ୍ରଣୀ। ସେ ସମୟରେ ତାଙ୍କ ନିଜ ଜୀବନର ଅନୁଭୂତିରୁ ସେ ଅସ୍ପୃଶ୍ୟତା ବିରୋଧରେ ଲଢ଼େଇ ପାଇଁ ପ୍ରେରଣା ପାଇଥିଲେ। ଡ. ଆମ୍ବେଦକରଙ୍କୁ ଦଳିତଙ୍କ ପ୍ରକୃତ ଚମ୍ପିଆନ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭାରତୀୟ ଇତିହାସର ଗତିପଥ ପରିବର୍ତ୍ତନକାରୀ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବରେ ଡ. ଆମ୍ବେଦକର ସର୍ବଦା ମନେ ରହିବେ। ୧୯୯୦ରେ ଡ. ବି.ଆର. ଆମ୍ବେଦକରଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା। କ’ଣ ପାଇଁ ଏତେ ବର୍ଷ ଲାଗିଲା ବୋଲି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମ୍ବିଧାନର ନିର୍ମାତା ଏବଂ ଦେଶର ଅଖଣ୍ଡତାର ନାୟକଙ୍କୁ ଜାଣିଶୁଣି ଅବହେଳିତ ଏବଂ ଅନାଦର କରାଯାଇଥିଲା। ଦେଶର ବିକାଶ ପାଇଁ ଡ. ଆମ୍ବେଦକର ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆବଶ୍ୟକତାକୁ ଅନୁଭବ କରି ମହାତ୍ମାଗାନ୍ଧୀ ସେ ଦୁଇ ଜଣଙ୍କୁ ମନ୍ତ୍ରୀ ପଦ ପ୍ରଦାନ ପାଇଁ ଅନୁମୋଦନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ବ ନେବା ପରେ ଆମ୍ବେଦକରଙ୍କ କୀର୍ତ୍ତି ଓ ମର୍ଯ୍ୟାଦାକୁ ପୁନଃପ୍ରତିଷ୍ଠା କରାଯାଇଛି। ମୋଦୀ ସରକାରଙ୍କ ଅନେକ ଯୋଜନା ଆମ୍ବେଦକରଙ୍କ ସ୍ବପ୍ନର ଭାରତର ପରିକଳ୍ପନାକୁ ସାର୍ଥକ କରିଛି। ଓଡ଼ିଶାରେ ଆମ ସରକାର ଆସିବା ପରେ ଅଧିକାଂଶ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ଦଳିତ ଓ ନିଷ୍ପେସିତଙ୍କ ଅଧିକାରକୁ ସୁନିଶ୍ଚିତ କରାଯାଉଛି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ୭୫ ହଜାର କୋଟିରୁ ଅଧିକ ଟଙ୍କା ପ୍ରାବଧାନ କରାଯାଇଛି। ଡ. ଆମ୍ବେଦକରଙ୍କ ସ୍ବପ୍ନ ପୂରଣ ପାଇଁ ଆଉ ଏକ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ, ସବୁ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢ଼ିବାର ଉଦାହରଣ ହେଉଛନ୍ତି ଡ. ଆମ୍ବେଦକର। ଆମ୍ବେଦକର ଯେଉଁମାନଙ୍କ ଉତ୍‌ଥାନ ପାଇଁ ଲଢ଼େଇ କରୁଥିଲେ ଏବଂ ଯାହା ତାଙ୍କ ସ୍ବପ୍ନ ଥିଲା ତାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସରତ ଅଛନ୍ତି। ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା କହିଲେ ଯେ, ଡ. ଆମ୍ବେଦକର ହେଉଛନ୍ତି ଜଣେ ଯୋଗଜନ୍ମା। ତାଙ୍କ ନୀତି ଓ ଆଦର୍ଶକୁ ଗାଁ ଗାଁରେ ଘରେ ଘରେ ପହଞ୍ଚାଇବା ପାଇଁ ଆମ ସରକାର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କାର୍ଯ୍ୟରତ ଅଛି। ଶିକ୍ଷାବିତ ଓ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଲେ ଯେ ଗଣତନ୍ତ୍ର ଉପରେ ଡ. ଆମ୍ବେଦକରଙ୍କ ଅଖଣ୍ଡ ବିଶ୍ବାସ ଥିଲା। ଭେଦଭାବ ହୀନ ଏକ ସୁସ୍ଥ ସମାଜ ଗଠନ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା। ୧୯୪୫ରେ କଟକରେ ଆୟୋଜିତ ଏକ ରାଷ୍ଟ୍ରୀୟ ସମ୍ମିଳନୀରେ ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ନଦୀବନ୍ଧ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଏଠାରେ ପୁରସ୍କୃତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ସ୍ବାଗତ ଭାଷଣ ଏବଂ ଉପ-ନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories