www.samajalive.in
Monday, December 15, 2025
14.1 C
Bhubaneswar

ଆୟୁଷ୍ମାନ ସ୍ବପ୍ନ ଏବେ ସାକାର

ଭୁବନେଶ୍ବର : କଥା ଦେଇଥିଲୁ। କଥା ରଖିଲୁ। ସାରା ରାଜ୍ୟବାସୀ ଆଜି ଖୁସି। ବିଶେଷ ଭାବରେ କାମଧନ୍ଦା ଅନ୍ୱେଷଣରେ ପେଟପାଟଣା ପାଇଁ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ଲକ୍ଷ ଲକ୍ଷ ଭାଇଭଉଣୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମୁହଁରେ ହସ ଓ ହୃଦୟରେ ଆନନ୍ଦ ଭରିଯାଇଛି।

ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତର ଲାଗୁ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ସୁଫଳ ଆଜିଠାରୁ ମୋର ପ୍ରିୟ ଓଡ଼ିଆ ଭାଇଭଉଣୀମାନଙ୍କୁ ଉପଲବ୍ଧ ହେବା କାରଣରୁ ମୁଁ ବି ବିଶେଷ ଆନନ୍ଦିତ। ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ କରକମଳରେ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଏହାର ଲୋକାର୍ପଣ ହେବ।

- Advertisement -

ରାଜ୍ୟରେ ୧.୦୩ କୋଟିରୁ ଊର୍ଦ୍ଧ୍ବ  ପରିବାରର ୩.୪୬ କୋଟି ଲୋକଙ୍କ ପାଇଁ ଏହି ଯୋଜନା ସମର୍ପିତ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଯୋଜନାର କାର୍ଡ। ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳିବ।

ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ସହାୟତା। ଦେଶର ସବୁ ରାଜ୍ୟର ୨୯ ହଜାରରୁ ଊର୍ଦ୍ଧ୍ବ ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଏହି କାର୍ଡ ଦେଖାଇଲେ ମିଳିବ ମାଗଣା ସ୍ୱାସ୍ଥ୍ୟସେବା।  ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଶାର ଜନସାଧାରଣଙ୍କୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରର ଉପହାର। ଏହି ଅବସରରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଉଛି।

ପୂର୍ବରୁ ରାଜନୈତିକ ଅଭିସନ୍ଧି ରଖି ବିଜେଡି ସରକାର ଏହି ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରୁନଥିଲେ। କିନ୍ତୁ ବିଜେପି ସରକାର ଗଠନ ହେବା ପରେ ଆମେ ଆମର ସଂକଳ୍ପପତ୍ରରେ କହିଥିବା ଗୋଟି ଗୋଟି କଥାକୁ ପୂରଣ କରିବାକୁ ବଦ୍ଧପରିକର। ପ୍ରତିଶ୍ରୁତିର ଠିକ୍ କ୍ରିୟାନ୍ୱୟନ ହିଁ ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା।

ଜଣେ ରାଜନୈତିକ କର୍ମୀଭାବରେ ଓଡ଼ିଶାରେ ମୋଦୀଙ୍କ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଅନେକ ସମୟରେ ସହକର୍ମୀ ମାନଙ୍କ ସହ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲୁ। ଗତ ବିଜେଡି ସରକାରରେ ଆୟୁଷ୍ମାନ ଭାରତ ଲାଗୁପାଇଁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଅନୁରୋଧ ଓ ଦାବି କରିଥିଲୁ।

ମୋର ସ୍ପଷ୍ଟ ମନେ ଅଛି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଏହି ଯୋଜନାର ଯିଏ ଉଦ୍‌ଘାଟକ ସେ ପୂର୍ବରୁ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଏବଂ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବରେ ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ବାରମ୍ବାର ଅନୁରୋଧ ଓ ଦାବି କରିଥିଲେ। ତାଙ୍କରି କରକମଳରେ ଆଜି ଓଡ଼ିଶାରେ ଏହି ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ ହେବା ଅବସରରେ ଆମେ ସମସ୍ତେ ଆନନ୍ଦିତ।

ନଡ୍ଡାଜୀଙ୍କ ସହ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ବାରମ୍ବାର ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ତତ୍‌କାଳୀନ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ରାଜନୈତିକ କାର‌୍ୟ୍ୟକର୍ତ୍ତା ଭାବରେ ଆମର ପ୍ରାଥମିକତା ଗରିବ ଲୋକଙ୍କୁ ସୁବିଧା ମିଳୁ। ମୋଦୀଙ୍କ ଏପରି ଜନକଲ୍ୟାଣକାରୀ ଯୋଜନା କ୍ରିୟାନ୍ୱୟନ ନ କରାଇ ଦେବା ପଛରେ ତତ୍‌କାଳୀନ ସରକାରର ଗୋଟିଏ ହୀନ ପ୍ରୟାସ ଥିଲା। ଗରିବ ଓଡିଆ ଲୋକଙ୍କୁ ପଛେ ଲାଭ ନମିଳୁ କିନ୍ତୁ ଶ୍ରେୟ ନରେନ୍ଦ୍ର ମୋଦୀ ନ ନିଅନ୍ତୁ। ଓଡ଼ିଆ ଲୋକ ସେମାନଙ୍କର ଅସଲ ଉଦ୍ଦେଶ୍ୟ ବୁଝିଲେ। ଲୋକଙ୍କ ଦୁଃଖ ନ ବୁଝୁଥିବା, ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟର ଗରିବଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଥିବା ସରକାରକୁ ପରିବର୍ତ୍ତନ କରି ରଖିଦେଲେ।

ସଂଘୀୟ ବ୍ୟବସ୍ଥାରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ। ସମସ୍ତଙ୍କୁ ବିନା ଆର୍ଥିକ ଅସୁବିଧାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ୨୩ ସେପ୍ଟେମ୍ବର ୨୦୧୮ ତାରିଖରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଆରମ୍ଭ କରିଥିଲେ। ଏହି ଯୋଜନାର ଲକ୍ଷ୍ୟ ଥିଲା ଗୋଟିଏ ଏବଂ ତାହା ହେଉଛି ଗରିବଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍‌ଏଚ୍‌ଏ) ଦ୍ୱାରା କାର‌୍ୟ୍ୟକାରୀ ହେଉଥିବା ଏହି ପ୍ରମୁଖ ଯୋଜନା ଦ୍ୱାରା ୫ ଲକ୍ଷ ଟଙ୍କା ଊର୍ଦ୍ଧ୍ବ   ଚିକିତ୍ସା ଖର୍ଚ୍ଚ ସହାୟତା ପ୍ରତି ପରବାରକୁ ଯୋଗାଇ ଦେବା ଥିଲା ମହଦାକାଙ୍‌କ୍ଷୀ ଉଦ୍ଦେଶ୍ୟ। ଆୟୁଷ୍ମାନ ଭାରତ ହେଉଛି ବିଶ୍ୱର ସର୍ବବୃହତ୍‌ ସାର୍ବଜନୀନ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା ଯାହା ୧୨.୩୪ କୋଟି ପରିବାରର ୫୫ କୋଟି ଲୋକଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି।

ନିକଟରେ ୨୦୨୪ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନକୁ ସ୍ୱୀକୃତି ମିଳିଛି, ଯାହା ଏକ ଐତିହାସିକ ନିଷ୍ପତ୍ତି।

ପୂର୍ବ ବିଜେଡ଼ି ସରକାର ମୋଦୀ ସରକାରଙ୍କ ଆୟୁଷ୍ମାନ ଯୋଜନା କାର‌୍ୟ୍ୟକାରୀ ନ କରି ଗରିବଙ୍କୁ ପ୍ରତାରଣା କରୁଥିଲେ ଏବଂ ନିଜର ପ୍ରଚାର ପାଇଁ ଶସ୍ତା ରାଜନୀତି କରିବାକୁ ମଧ୍ୟ ପଛାଉ ନଥିଲେ, ଯାହା ବିଡମ୍ବନାର ବିଷୟ ଥିଲା। ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଭୟରେ ରାଜ୍ୟ ସରକାର ଓଡ଼ିଶାର ଗରିବ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ରଖିଥିଲେ।

ତେବେ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଯୋଜନା ନିହାତି ଆବଶ୍ୟକ ଥିଲା। ଓଡ଼ିଶାର ଲକ୍ଷଲକ୍ଷ ଲୋକ ତାମିଲନାଡୁ, ଗୁଜରାଟ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି। ଭାରତର ଏମିତି ରାଜ୍ୟ ନାହିଁ ଯେଉଁଠି ଓଡ଼ିଆ ଭାଇ ଭଉଣୀମାନେ ଶ୍ରମଦାନ କରି ଓଡ଼ିଶାକୁ ସେ ରାଜ୍ୟମାନଙ୍କର ବିକାଶରେ ଭାଗୀଦାରି କରିନାହାନ୍ତି। ବାହାର ରାଜ୍ୟରେ କାମ କରୁଥିବା ଏହି ଓଡ଼ିଆ ଭାଇ-ଭଉଣୀମାନେ ସେମାନଙ୍କର କଷ୍ଟ ଅର୍ଜିତ ଅର୍ଥକୁ ନିଜ ପରିବାରକୁ ପଠାଇବା ପରିବର୍ତ୍ତେ ନିଜର ସ୍ୱାସ୍ଥ୍ୟ ସମସ୍ୟା ବେଳେ ସେ ଅର୍ଥକୁ ଡାକ୍ତରଖାନାକୁ ଦେବାକୁ ବାଧ୍ୟ ହେଉଥିଲେ। ଏବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଦେଖାଇ ସେଠାରେ ମାଗଣାରେ ଉଚ୍ଚମାନର ସ୍ୱାସ୍ଥ୍ୟସେବା ପାଇପାରିବେ।

ପୂର୍ବ ସରକାରଙ୍କ ନିଜସ୍ୱ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଲୋକମାନେ ସୀମିତ ଡାକ୍ତରଖାନାରେ ସୁବିଧା ପାଉଥିଲେ। ଏବେ ଆୟୁଷ୍ମାନ ଭାରତ ଯୋଜନା ସହର ରାଜ୍ୟ ସରକାରଙ୍କ ନିଜସ୍ୱ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ଲୋକ ଏବଂ ରାଜ୍ୟର ପ୍ରବାସୀ ଲୋକମାନେ ବିଶେଷ ଉପକୃତ ହେବେ।

ଏହି ଯୋଜନା ଅଧୀନରେ ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ଏବଂ ୧୫ ଦିନ ପର‌୍ୟ୍ୟନ୍ତ ଉପଚାର ଓ ଔଷଧ ମାଗଣା ଉପଲବ୍ଧ ହୋଇଥାଏ। ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ, ସମସ୍ତ ପ୍ରକାର ସେବା ଯତ୍ନ, କ୍ଲିନିକାଲ୍ ଏବଂ ଲାବୋରେଟୋରୀ ଇନଭେଷ୍ଟିଗେସନ, ରହିବା ଏବଂ ଖାଦ୍ୟ ସେବା ଓ ଔଷଧ ଏବଂ ଚିକିତ୍ସା ଉପଯୋଗୀ ସାମଗ୍ରୀ ସୁବିଧା ମିଳିବ।

ଓଡିଶା ସମେତ ଦେଶର ୩ଟି ରାଜ୍ୟରେ ମୋଦୀଙ୍କ ଏହି ମହଦାକାଙ୍‌କ୍ଷୀ ଯୋଜନା ଲାଗୁ ହୋଇପାରିନଥିଲା। ଇତିମଧ୍ୟରେ ଲାଗୁ ହୋଇନଥିବା ଆମ ରାଜ୍ୟ ଓଡ଼ିଶାରେ ଏହି ଯୋଜନା ଆଜି ଠାରୁ ଲାଗୁହେଲା। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏହି ଯୋଜନା ଲାଗୁପାଇଁ ସବୁ ଯୋଜନା ପ୍ରସ୍ତୁତ। ବାକି ରହିଲା ଆମର ପଡୋଶୀ ପଶ୍ଚିମବଙ୍ଗ। ମୁଁ ନିଶ୍ଚିତ ଆମ ପଡୋଶୀ ରାଜ୍ୟରେ ଖୁବ୍‌ଶୀଘ୍ର ସେ ରାଜ୍ୟର ଲୋକଙ୍କ ମୋଦୀଙ୍କ ପ୍ରତି ଆଶୀର୍ବାଦ, ସାହାଯ୍ୟ ଓ ସମର୍ଥନ ସେଠାରେ ବି ଆୟୁଷ୍ମାନ ଭାରତ ଲାଗୁ ପାଇଁ ରାସ୍ତା ଖୋଲିବ।

ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ, ଓଡିଶା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories