www.samajalive.in
Sunday, December 14, 2025
19.1 C
Bhubaneswar

ଫଗୁମୟ ହେଲା ମେଳଣ ପଡ଼ିଆ, ୫ଲକ୍ଷ ଜନ ସମାଗମ

ପିପିଲି :ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଓଡିଶା ପ୍ରସିଦ୍ଧ ହରିରାଜପୁରର ପଞ୍ଚୁଦୋଳ ମେଳଣ ଉଦ୍‌‌ଯାପିତ ହୋଇଯାଇଛି। ବୁଧବାର ମଧ୍ୟରାତ୍ରରୁ ପ୍ରବଳ ଜନସମାଗମ ମଧ୍ୟରେ ଚିତ୍ତାକର୍ଷକ ଆତସବାଜିରୁ ଆରମ୍ଭ ହୋଇଥିବା ଏହି ମେଳଣ ରବିବାର ଅପରାହ୍ନ ଗୋଧୂଳୀ ଲଗ୍ନରେ ୫ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମେଳରେ ରଙ୍ଗୀନ ଫଗୁ ଖେଳରେ ଶେଷ ହୋଇଛି। ବହୁ ପ୍ରତିକ୍ଷିତ ଠାକୁର ମାନଙ୍କ “ଦିଅଁମେଳଣ’ ସମୟରେ ବିଭିନ୍ନ ରଙ୍ଗର ଫଗୁରେ ୧୦୭ ଏକର ପରିମିତ ମେଳଣ ପଡ଼ିଆ ସଂପୂର୍ଣ୍ଣ ରଙ୍ଗୀନ ହୋଇଯାଇଥିବା ବେଳେ ହରିବୋଲ, ହୁଳହୁଳି ଧ୍ୱନୀରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା।
ଗତ ୧୯ ତାରିଖ ମଧ୍ୟରାତ୍ରରୁ ଚିତ୍ତାକର୍ଷକ ଆତସବାଜୀ ସାଙ୍ଗକୁ ନୃତ୍ୟ ସଙ୍ଗୀତରେ ଏହି ମେଳଣର ଜମାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ହରିରାଜପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୂ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବ ଏହି ମେଳଣର ସ୍ଥାନାଧିପତି ହୋଇଥିବା ବେଳେ ଅନ୍ୟ ୪ଟି ରାଜ ପ୍ରତିଷ୍ଠିତ ଦେବ ବିଗ୍ରହ ଯଥା ବୁଢାପଡାର ପ୍ରଭୂ ଶ୍ରୀସୋମନାଥ ଦେବ, ଟାଙ୍ଗିଭଁସର ଗ୍ରାମର ପ୍ରଭୂ ଶ୍ରୀନୀଳକଣ୍ଠେଶ୍ୱର ଦେବ, ଛଣଘରର ପ୍ରଭୂ ଶ୍ରୀଗତିଶ୍ୱେରଦେବ ଓ କନ୍ତିଆ ଗ୍ରାମର ପ୍ରଭୂ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଅନ୍ୟ ୮୦ଟି ଦେବ ବିଗ୍ରହଙ୍କ ସୁସଜ୍ଜିତ ଦୋଳବିମାନ ଏହି ମେଳଣର ଶୋଭାବର୍ଦ୍ଧନ କରିଥିଲେ।

ବହୁ ପରିବାର ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ଏହି ମେଳଣକୁ ଆସି ଠାକୁର ମାନଙ୍କୁ ଦର୍ଶନ କରିସାରିବା ପରେ ପୁରୁଣା ପରମ୍ପରା ତଥା ମାନସିକ ଅନୁଯାଇ ମେଳଣ ପଡ଼ିଆରେ ମାଟି ହାଣ୍ଡିରେ ରୋଷେଇ କରି ପଂକ୍ତି ଭୋଜନ କରୁଥିବା ଦେଖାଯାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ମେଳଣକୁ ଆସି ଦୋଳ ବିମାନରେ ବିଜେ କରିଥିବା ୮୫ ଦେବ ବିଗ୍ରହଙ୍କୁ ଏକାଠି ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବା ସହ ଫଗୁ ସିଞ୍ଚନ କରି ଆର୍ଶିବାଦ ଲାଭ କରିଥିଲେ।

- Advertisement -

ମାନସିକଧାରୀ ଭକ୍ତ ମାନଙ୍କର ଏଠାରେ ବେଶ୍‌‌ ଭିଡ ପରିଲକ୍ଷିତ ହୋଇଥିଲା। ଏଠାରେ ୭ଶହରୁ ଊର୍ଦ୍ଧ୍ବ ଦୋକାନ ବଜାର ଖୋଲାଯାଇଥିବା ବେଳେ ଶତାଧିକ ଜଳଖିଆ ଦୋକାନରେ ପ୍ରତ୍ୟହ ବେଶ୍‌‌ ଭିଡ ପରିଲକ୍ଷିତ ହୋଇଥିଲା। ଏହି ମେଳଣରେ ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର କେବଳ ଫଗୁ ବିକ୍ରି ହୋଇଥିବା ସୂଚନା ମିଳିଛି।

ଝିପି ଝିପି ବର୍ଷା ସତ୍ତେ୍ୱ ୨୨ତାରିଖ ଶନିବାର ଅପରାହ୍ନ ୩ଟାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରୁ ୨ହଜାରରୁ ଅଧିକ କୀର୍ତ୍ତନକାରୀଙ୍କ ଦ୍ୱାରା ‘ହରିହାଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଜିଲାର ଲୋକକଳା ଦଳ ଯୋଗଦେଇଥିଲେ। ପ୍ରଭୁ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କ ମନ୍ଦିରରୁ ଏହି ଚିତ୍ତାକର୍ଷକ ‘ହରିହାଟ ଶୋଭାଯାତ୍ରା’ ବାହାରି ମେଳଣ ପଡ଼ିଆକୁ ଯାଇ ସେଠାରେ ବେଢା ପରିକ୍ରମା ତଥା ଦୋଳ ବିମାନରେ ବିଜେ କରିଥିବା ୮୫ ଦେବ ବିଗ୍ରହଙ୍କୁ ପ୍ରଦକ୍ଷଣ କରିଥିଲେ। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହାକୁ ମନଭରି ଉପଭୋଗ କରିଥିବା ବେଳେ ହରିବୋଲ ଓ ହୁଳହୁଳି ଧ୍ୱନୀରେ ସମଗ୍ର ମେଳଣ ପଡ଼ିଆ ପ୍ରକମ୍ପିତ ହୋଇଥିଲା।

୨୩ ତାରିଖ ରବିବାର ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ମେଳଣ ପଡ଼ିଆକୁ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ଏଥିପାଇଁ ଖୋର୍ଦ୍ଧା-ପିପିଲି ରାସ୍ତା ଓ ଭୁବନେଶ୍ୱର-ହରିରାଜପୁର ରାସ୍ତାରେ ପ୍ରବଳ ସଂଖ୍ୟାରେ ଗାଡିମୋଟର ଭିଡ ପରିଲକ୍ଷିତ ହୋଇଥିଲା। ଅପରାହ୍ନରେ ଠାକୁର ମାନଙ୍କର ବହୁ ପ୍ରତିକ୍ଷିତ “ଦିଅଁ ମେଳଣ’ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଭୋର ୫ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୫ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ହୋଇଥିଲା। ସମଗ୍ର ମେଳଣ ପଡ଼ିଆଟି ଏକପ୍ରକାର ଜନସମୁଦ୍ରରେ ପରିଣତ ହୋଇଥିଲା। ବିଭିନ୍ନ ରଙ୍ଗର ଫଗୁରେ ମେଳଣ ପଡ଼ିଆ ରଙ୍ଗୀନ ହୋଇଯାଇଥିବା ବେଳେ ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ୱନୀ ସହ ଶଙ୍ଖ, ମହୁରୀ, ଢୋଲ ନାଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଠାକୁର ମାନଙ୍କର ଦର୍ଶନ ସହ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଠାକୁର ମାନଙ୍କ ନିକଟରେ ଫଗୁ ପକାଇ ନିଜ ନିଜର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥିଲେ।

ଠାକୁରମାନଙ୍କର ସମସ୍ତ ରୀତି ନୀତି ଅପରାହ୍ନରେ ଶେଷ କରାଯାଇ ହରିହର ଭେଟ ପାଇଁ ପ୍ରସ୍ତୁତ କରାଯିବା ପରେ ଗୋଧୂଳି ଲଗ୍ନରେ ସ୍ଥାନାଧିପତି ପ୍ରଭୂ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କ ସମ୍ମୁଖରେ ଅନ୍ୟ ସମସ୍ତ ଠାକୁର ମାନଙ୍କର ପାରମ୍ପରିକ ଭେଟାଭେଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯାହାକି ବେଶ ମନୋରମ, ଚିତ୍ତାକର୍ଷକ ଓ ଉପଭୋଗ୍ୟ ଥିଲା। ଏହି ମେଳଣରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସେବାକାର୍ଯ୍ୟ କରାଯାଇଥିଲା।

ପିପିଲି ଏସ୍‌‌ଡିପିଓ ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନାଧିକାରୀ ଶ୍ୟାମଘନ ବାରିକ, ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରମୁଖ ୧୨ରୁ ଊର୍ଦ୍ଧ୍ବ ପୁଲିସ ଅଫିସର ଓ ୨ପ୍ଲାଟୁନ ପୁଲିସ ଫୋର୍ସ ସହ ମେଳଣ ପଡ଼ିଆରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଟ୍ରାଫିକ୍‌‌ ନିୟନ୍ତ୍ରଣ ଦାୟିତ୍ୱରେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଥିବା ବେଳେ ପିପିଲି-ଜଟଣୀ ରାସ୍ତା ଓ କପିଳପ୍ରସାଦ ଠାରୁ ହରିରାଜପୁର ରାସ୍ତାରେ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା।

ଜନସାଧାରଣଙ୍କ ସୁବିଧା ପାଇଁ ଅଗ୍ନିଶମ ସେବା, ପାନୀୟ ଜଳଯୋଗାଣ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଆଦି କରାଯାଇଥିଲା। ସମସ୍ତଙ୍କ ସହଯୋଗ ପାଇଁ ମେଳଣ ପରିଚାଳନା କମିଟି ପକ୍ଷରୁ ସଂପାଦକ ପ୍ରସନ୍ନ କୁମାର ମହାରଥୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories