ସମ୍ବଲପୁର : ପଶ୍ଚିମ ଓଡିଶାରେ ବିଦ୍ୟୁତ ବିତରଣ କରୁଥିବା ଟାଟା ପାୱାର (ଟିପିଡବ୍ଲ୍ୟୁଓଡିଏଲ) ପକ୍ଷରୁ ବର୍ଷତମାମ ରକ୍ଷଣାବେକ୍ଷଣ ଓ ମରାମତି ନାମରେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ କରାଯାଉଥିବା ବେଳେ କିନ୍ତୁ ପ୍ରକୃତ କ୍ଷେତ୍ରରେ ତାହା ସମ୍ପୁର୍ଣ୍ଣ ଓଲଟା ରହିଛି। ସ୍ଥାନୀୟ ଜିଲା ସ୍କୁଲ ଛକରୁ ସେନପାର୍କ ଯାଇଥିବା ରାସ୍ତାରେ ପେନସନପଡା କଲ୍ୟାଣ ମଣ୍ଡପ ସମ୍ମୁଖରେ ଥିବା ବିଦ୍ୟୁତ କେବୁଲରେ ଅଚାନକ ବିଦ୍ୟୁତ ସଟ ସାର୍କିଟରୁ ନିଆଁ ଲାଗିଯାଇଥିଲା। ଅଚାନକ ବିକଟାଳ ଓ ଉଚ୍ଚଶବ୍ଦ କରି କେବୁଲଟି ହୁତ ହୁତ ହୋଇ ଜଳିବା ଆରମ୍ଭ କରିଥିବା ବେଳେ କେହି କିଛି ବୁଝିବା ପୁର୍ବରୁ ଏହା ଚାହୁଁ ଚାହୁଁ ଚାରିଆଡ଼େ ବ୍ୟାପିବାରେ ଲାଗିଥିଲା। ଅବସ୍ଥା ଏତେ ଭୟଙ୍କର ରହିଥିଲା ଯେ, ଉକ୍ତ ରାସ୍ତାରେ ଯାତାୟାତ ୧ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବନ୍ଦ ହୋଇ ଯାଇଥିବା ବେଳେ ନିଆଁ ଲାଗିଥିବା ବିଦ୍ୟୁତ କେବୁଲଟି ଦିପାବଳି ସମୟରେ ଫୁଟୁଥିବା ବାଣ ଭଳି ମଝିରେ ମଝିରେ ଫୁଟି ପ୍ରଚଣ୍ଡ ଶବ୍ଦ କରୁଥିଲା। ଅବଶ୍ୟ ପରେ ଅଞ୍ଚଳରେ ବିଦ୍ୟୁତ ଯୋଗାଣକୁ ବନ୍ଦ କରାଯାଇଥିବା ବେଳେ କିନ୍ତୁ ବହୁ ସମୟ ଧରି ଉକ୍ତ କେବୁଲରେ ନିଆଁ ଲାଗି ରହିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଆସି ନିଆଁ ଲିଭାଇଥିଲେ।



