www.samajalive.in
Sunday, December 14, 2025
14.1 C
Bhubaneswar

ଗାଜାରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ: ୪୧୩ ପାଲେଷ୍ଟିନୀୟ ମୃତ

ତେଲ୍‌ ଆଭିଭ୍‌ : ଇସ୍ରାଏଲ ସେନା ପକ୍ଷରୁ ମଙ୍ଗଳବାର ପାଲେଷ୍ଟାଇନର ଗାଜା ସମେତ ଖାନ୍‌ ୟୁନିସ, ରାଫା ଏବଂ ଡାର-ଅଲ୍‌ ବାଲାହ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଛି। ଏଥିରେ ୪୧୩ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତିି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ଥିବାବେଳେ ହମାସ୍‌ ସରକାର ମୁଖ୍ୟ ଏସାମ୍‌ ଅଲ୍‌ ଡାଲିସ୍‌ ଏବଂ ପୁଲିସ ମୁଖ୍ୟ ମାମୁଦ ଅବୁ ୱାତ୍‌ଫାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆହତ ୧୫୫ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସ୍ତ୍ରବିରତି ଆଲୋଚନା ଚାଲିଥିବାବେଳେ ଇସ୍ରାଏଲର ଏଭଳି ରଣନୀତି ଏହି ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବ ଏବଂ ଇସ୍ରାଏଲ ପଣବନ୍ଦୀଙ୍କ ଭବିଷ୍ୟତକୁ ଅନିଶ୍ଚିତ କରିବ ବୋଲି ହମାସ୍‌ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ରମଜାନ ମାସ ଚାଲିଥିବାବେଳେ ଏଭଳି ଆକ୍ରମଣ ଅତ୍ୟନ୍ତ ଅମାନବୀୟ ବୋଲି ପାଲେଷ୍ଟାଇନ ପକ୍ଷରୁ କୁହାଯାଇଛି। ଆଇଡିଏଫ୍‌ (ଇସ୍ରାଏଲ ଡିଫେନ୍ସ ଫୋର୍ସ) ପକ୍ଷରୁ ଜାରି କରାଯାଇଥିବା ‘ଏକ୍ସ’ ପୋଷ୍ଟରେ କୁହାଯାଇଛି ଯେ ଗାଜା ଉପତ୍ୟକାରେ ସକ୍ରିୟ ଥିବା ହମାସ୍‌ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ ଧ୍ବଂସ କରିବାକୁ ଆକ୍ରମଣ କରାଯାଇଛି। ଇସ୍ରାଏଲର ସମସ୍ତ ପଣବନ୍ଦୀଙ୍କୁ ମୁକୁଳାଇବାକୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ବେ ହମାସ୍‌ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ଆକ୍ରମଣ ଏକମାତ୍ର ବିକଳ୍ପ ଥିଲା ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲ ପକ୍ଷରୁ ଗାଜା ଉପତ୍ୟକା ସୀମା ସଂଲଗ୍ନ ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ହମାସ୍‌ ପକ୍ଷରୁ ଯେପର୍ଯ୍ୟନ୍ତ ଇସ୍ରାଏଲର ସବୁ ପଣବନ୍ଦୀଙ୍କୁ ଖଲାସ କରାନଯାଇଛି, ସେପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ କଡା ଧମକ ଦେଇଛି। ଅପରପକ୍ଷରେ ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିଥିବାରୁ ପଣବନ୍ଦୀଙ୍କ ଭବିଷ୍ୟତକୁ ନେତାନ୍ୟାହୁ ଅନିଶ୍ଚିତ କରୁଛନ୍ତି ବୋଲି ହମାସ୍‌ ପକ୍ଷରୁ ଅଭିଯୋଗ ହୋଇଛି। ଇସ୍ରାଏଲରେ ବର୍ତ୍ତମାନ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଥିବାବେଳେ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ନେତାନ୍ୟାହୁ ଏଭଳି ଯୁଦ୍ଧଖୋର ମନୋବୃତ୍ତି ଆପଣେଇଥିବା ହମାସ୍‌ ନେତୃବୃନ୍ଦ କହିଛନ୍ତି। ତେବେ ଗାଜା ଉପତ୍ୟକାରେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସରକାର ଟ୍ରମ୍ପ ପ୍ରଶାସନ ସହ ଆଲୋଚନା କରିଛନ୍ତି ବୋଲି ହ୍ବାଇଟ ହାଉସ ମୁଖପାତ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ତେବେ ଆମେରିକା, କାତାର ଓ ଇଜିପ୍ଟ ଭଳି ଦେଶଗୁଡିକର ମଧ୍ୟସ୍ଥତା ଯୋଗୁଁ ଦୁଇ ପକ୍ଷ ମଧ୍ୟରେ ତ୍ରିସ୍ତରୀୟ ଅସ୍ତ୍ରବିରତି ରାଜିନାମାକୁ କାର୍ଯ୍ୟକାରୀ କରାଯାଉଛି। ତେବେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତିର ମିଆଦ ବୃଦ୍ଧି କରିବାକୁ ଇସ୍ରାଏଲ ପ୍ରସ୍ତାବ ଦେଇଥିବାବେଳେ ହମାସ୍‌ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଅବଶ୍ୟ ପ୍ରଥମ ପର୍ଯ୍ୟାୟରେ ଉଭୟପକ୍ଷ ପଣବନ୍ଦୀ ବିନିମୟ କରିସାରିଛନ୍ତି। ତେବେ ମାର୍ଚ୍ଚ ୨ରୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଅସ୍ତ୍ରବିରତିକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ। ଏଥିରେ ହମାସ୍‌ ପକ୍ଷରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଥିବାବେଳେ ଇସ୍ରାଏଲକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯାଇଛି। ଏହି ଯୁଦ୍ଧରେ ଇସ୍ରାଏଲର ୧୨୦୦ ସୈନ୍ୟ ଓ ନାଗରିକ ପ୍ରାଣ ହରାଇଥିବାବେଳେ ୨୫୧ ଜଣଙ୍କୁ ହମାସ୍‌ ପଣବନ୍ଦୀ ରଖିଛି। ଅପରପକ୍ଷରେ ଇସ୍ରାଏଲ ଆକ୍ରମଣରେ ୪୮ ହଜାର ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ୧ ଲକ୍ଷରୁ ଅଧିକ ଆହତ ହୋଇସାରିଲେଣି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories