ବିନାଶକ ବନାଗ୍ନି

ଭୁବନେଶ୍ଵର: ଚଳିତବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଥିବାବେଳେ ଜଙ୍ଗଲ ନିଆଁ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ଖୁବ୍ ବୃଦ୍ଧି ପାଇବା ଉଦ୍ବେଗଜନକ। ଗତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଜଙ୍ଗଲର ୪,୫୨୫ଟି ସ୍ଥାନରେ ନିଆଁ ଲାଗିଥିବାବେଳେ ଏ ବର୍ଷ ୧୩ ମାର୍ଚ୍ଚ ସୁଦ୍ଧା ଏ ସଂଖ୍ୟା ମୋଟ ୧୨,୦୦୦ରେ ପହଞ୍ଚିଛି। ଭାରତୀୟ ବନ ସର୍ବେକ୍ଷଣ ଦ୍ବାରା ପ୍ରଦତ୍ତ ଉପଗ୍ରହ ଆଧାରିତ ତଥ୍ୟ ଅନୁଯାୟୀ ଗୁରୁବାର ପୂର୍ବାହ୍ଣ ସୁଦ୍ଧା ରାଜ୍ୟରେ ୭୪୭ଟି ସ୍ଥାନରେ ନୂତନ ବନାଗ୍ନି ସୃଷ୍ଟି ହୋଇଥିବାବେଳେ କେବଳ ବୁଧବାର ୧,୪୨୬ଟି ସ୍ଥାନରେ ନିଆଁ ଲାଗିଥିଲା, ଯାହା ସମଗ୍ର ଦେଶରେ ଥିଲା ସର୍ବାଧିକ। କେବଳ ଗତ ସପ୍ତାହରେ ୪,୫୦୩ଟି ସ୍ଥାନରେ ନିଆଁ ବ୍ୟାପି ବହୁ ଗଛବୃଚ୍ଛ ନଷ୍ଟ ହୋଇଥିବା ଏଫ୍ଏସ୍ଆଇ ତଥ୍ୟରୁ ଜଣାପଡ଼ିଛି। ଚିନ୍ତାର ବିଷୟ ଯେ ଗତ ତିନି ଦିନ ମଧ୍ୟରେ ସର୍ବାଧିକ ବଡ଼ ଧରଣର ବନାଗ୍ନି ସହ ଓଡ଼ିଶା ଦେଶରେ ଶୀର୍ଷରେ ରହିଛି। ଏହା ପଛକୁ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟ ଅଛନ୍ତି। ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟଗୁଡ଼ିକରେ ଏହା ନିୟନ୍ତ୍ରଣକୁ ଆସିଥିବାବେଳେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଆୟତ୍ତକୁ ଆସିପାରି ନାହିଁ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ଏସବୁ ବଡ଼ ବନାଗ୍ନି ଦେଖାଯାଇଛି। ନୂଆପଡ଼ା, କୋରାପୁଟ, ବଲାଙ୍ଗିର, ରାୟଗଡ଼ା, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଗଞ୍ଜାମ, ଗଜପତି, କନ୍ଧମାଳ ଓ ମୟୂରଭଞ୍ଜ ଆଦି ଜିଲାର ଏକାଧିକ ବନାଞ୍ଚଳରେ ନିଆଁ ସକ୍ରିୟ ରହିଥିବା ଉପଗ୍ରହ ଚିତ୍ରରୁ ଜଣାଯାଇଛି। ବନ କର୍ମଚାରୀ କେତେକ ସ୍ଥାନରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ ହେଁ ସେମାନେ ଏଥିରେ ସଂପୂର୍ଣ୍ଣ ସମର୍ଥ ହେବା ପରି ଜଣାପଡ଼ୁ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଗୋଟିଏ ସ୍ଥାନରେ ନିର୍ବାପିତ ନ ହେଉଣୁ ନୂଆନୂଆ ସ୍ଥାନରେ ନିଆଁ ଲାଗୁଥିବାରୁ ବିଷମ ସ୍ଥିତି ଉପୁଜିଛି। ଆଗାମୀ ସମୟରେ ରୌଦ୍ରତାପ ପ୍ରଖର ହେଲେ ବନାଗ୍ନି ଆହୁରି ବ୍ୟାପକ ହେବାର ଆଶଙ୍କା ରହିଛି। ତେଣୁ ଏହାର ପ୍ରତିକାର ଓ ନିରାକରଣ ଉପାୟ ଗ୍ରହଣ ନ କଲେ ଅସଂଖ୍ୟ ବୃକ୍ଷରାଜି ନଷ୍ଟ ହେବା ସୁନିଶ୍ଚିତ। ଓଡ଼ିଶାରେ ପ୍ରତିବର୍ଷ ଜଙ୍ଗଲ ନିଆଁ ବୃଦ୍ଧି ପାଇବା ଘଟଣାରୁ ଜଣାପଡ଼ୁଛି ଯେ ଲୋକଙ୍କ ମଧ୍ୟରେ ଯେଉଁ ପରିମାଣରେ ସଚେତନତା ରହିବା କଥା ତାହା ଏ ପର୍ଯ୍ୟନ୍ତ ଆସି ନାହିଁ। ଏକ ଅନୁଧ୍ୟାନ ଅନୁଯାୟୀ, ଦେଶର ପ୍ରାୟ ୯୫ ଶତାଂଶ ବନାଗ୍ନି ମନୁଷ୍ୟକୃତ; ସୁତରାଂ ଏହାକୁ ରୋକିବା ନିମନ୍ତେ ଜନସଚେତନତା ହିଁ ସବୁଠୁ ବଡ଼ ଅସ୍ତ୍ର। ସେଥିରେ ଆମେ କ୍ରମାଗତ ବିଫଳ ହୋଇଚାଲିଛୁ। ପୋଡ଼ୁଚାଷ ତଥା ଜଳନ୍ତା ବିଡ଼ି ବା ସିଗାରେଟ ଅବଶେଷରୁ ଶୁଖିଲା ପତ୍ରରେ ନିଆଁ ଲାଗି ବନାଗ୍ନି ସୃଷ୍ଟି ସହ ତାହା ବିସ୍ତୃତ ହେଉଛି। ଲୋକଙ୍କ ଅସାବଧାନତା ଜଙ୍ଗଲ ବିନାଶର କାରଣ ପାଲଟୁଛି। ଅତଏବ ବନବାସୀ ଓ ବନାଞ୍ଚଳ ଆଖପାଖରେ ବସବାସ କରୁଥିବା ଲୋକଙ୍କୁ ଏ ବିଷୟରେ ସଚେତନ କରାଯିବା ଜରୁରୀ। ଏଥିପାଇଁ ବନ ବିଭାଗ ଯଥେଷ୍ଟ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରିବା ଦରକାର। ସ୍ଥାନୀୟ ଗ୍ରାମ୍ୟ କମିଟି ସହିତ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ନିୟମିତ ବୈଠକ ଆୟୋଜନ କଲେ ସୁଫଳ ମିଳିବ। ଆମ ଦେଶରେ ସାଧାରଣତଃ ବନାଗ୍ନି ନିର୍ବାପନ କାର୍ଯ୍ୟରେ ଅଧିକାଂଶ ଅଣକୁଶଳୀ ଶ୍ରମିକଙ୍କୁ ନିୟୋଜିତ କରି କାମ ଚଳାଇ ଦିଆଯାଏ। ସରକାର ଏ ଦୃଷ୍ଟିକୋଣକୁ ପରିହାର କରି କୁଶଳୀ ଲୋକଙ୍କୁ ନିଯୁକ୍ତ କରିବା ଆବଶ୍ୟକ। ନିକଟରେ ରାଜ୍ୟର ବିଭାଗୀୟ ମନ୍ତ୍ରୀ ଚାଷ ପାଇଁ ଲୋକେ ନିଆଁ ଲଗାଇ ଦେଉଥିବା କହିଛନ୍ତି; କିନ୍ତୁ ଏଥିପାଇଁ କି କି ଠୋସ୍ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ ନିରବ ରହିବା ଏହି ସମସ୍ୟାକୁ ଅଧିକ ବଢ଼ାଇବ। ସରକାର ଅବିଳମ୍ବେ ବନାଗ୍ନି ପ୍ରଶମନ ନିମନ୍ତେ ତତ୍ପର ହେବା ସହ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିବା ଜରୁରୀ; ନଚେତ୍ ଆଗାମୀ ଦିନରେ ସ୍ଥିତି ଅଧିକ ଭୟାବହ ହୋଇପାରେ।
Comments are closed.