www.samajalive.in
Saturday, December 6, 2025
23.1 C
Bhubaneswar

ମାର୍ଚ୍ଚରେ ରେକର୍ଡ ଭାଙ୍ଗୁଛି ଗରମ: ୪୦ ଡେଇଁଲା ପାରଦ, ଆଜି ପାଇଁ ୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର : ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଲାଣି। ବୌଦ୍ଧ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିବାବେଳେ ୨୦ ସହରରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ତା’ଉପରେ ରେକର୍ଡ କରାଯାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଚେତାବନୀ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବୃଦ୍ଧି ପାଇବ। ତିନି ଦିନ ଯାଏଁ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ ଓ ଏହାପରେ ୨-୩ ଡିଗ୍ରୀ ବୃଦ୍ଧି ପାଇବ। ଆସନ୍ତାକାଲିଠାରୁ ୧୭ ତାରିଖ ଯାଏଁ ରାଜ୍ୟର ପଶ୍ଚିମାଞ୍ଚଳରେ ହିଟ୍‌ୱେଭ୍‌ ବା ଗ୍ରୀଷ୍ମଲହରୀ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏପରିକି କେତେକ ସ୍ଥାନରେ ରାତି ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବ ବୋଲି ଚେତାବନୀ ଦିଆଯାଇଛି। ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲାକୁ ହିଟ୍‌ୱେଭ୍‌ ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ଏହି ସମୟରେ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅସହ୍ୟ ଖରା ଓ ଝାଞ୍ଜି ଅନୁଭୂତ ହେବ। ପାଣିପାଗ ରିପୋର୍ଟ ଅନୁଯାୟୀ ବୁଧବାର ବୌଦ୍ଧରେ ସର୍ବାଧିକ ୪୦.୫ ଡିଗ୍ରୀ, ବଲାଙ୍ଗୀରରେ ୩୯.୯, ଟିଟିଲାଗଡ଼ରେ ୩୯.୫, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୩୯.୪, ସମ୍ବଲପୁରରେ ୩୯.୩, ବାରିପଦାରେ ୩୯ ଡିଗ୍ରୀ ରହିଛି। ୧୩ ସହରରେ ୩୭ କିମ୍ବା ୩୮ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଭୁବନେଶ୍ବରରେ ୩୬.୬ ଡିଗ୍ରୀ ତାପମାତ୍ରା ରହିଥିବାବେଳେ କଟକରେ ୩୭ ତାପମାତ୍ରା ରେକର୍ଡ଼ ହୋଇଛି। ୧୪ରୁ ୧୫ ତାରିଖ ଯାଏଁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼, ଅନୁଗୋଳ ଜିଲାକୁ ୟେଲୋ ୱାର୍ଣ୍ଣିଂ ରହିଛି। ୧୫ରୁ ଖରା ଆହୁରି ବଢ଼ିବ। ୧୫ରୁ ୧୬ ତାରିଖ ଯାଏଁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ସୁବର୍ଣ୍ଣପୁର, ଅନୁଗୋଳ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ ଜିଲାକୁ ୟେଲୋ ୱାର୍ଣ୍ଣିଂ ରହିଛି। ଏହି ସମୟରେ ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଏବଂ ବୌଦ୍ଧ ଜିଲାରେ ରାତିରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଖରା ଓ ଝାଞ୍ଜିକୁ ଲକ୍ଷ୍ୟ କରି ବାହାରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଦୀର୍ଘ ସମୟ ଧରି ଖରା‌ରେ ବୁଲାବୁଲି ନ କରିବା, ଛୋଟ ପିଲା, ବୃଦ୍ଧବୃଦ୍ଧା, ରୋଗୀଙ୍କୁ ସିଧାସଳଖ ଖରାରେ ଅଧିକ ସମୟ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଅଧିକ ପାଣି, ତୋରାଣି, ଓଆରଏସ୍ ପରି ତରଳ ପଦାର୍ଥ ସେବନ ଓ ନିଶାଦ୍ରବ୍ୟ, ଚା’ କଫିଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବନା ଥିବାରୁ ମୁଣ୍ଡବିନ୍ଧା, ବାନ୍ତି, ଦୁର୍ବଳ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ କୁହାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories