ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି
ଦ୍ୟପୁର/ନୂଆଦିଲ୍ଲୀ: ସିବିଆଇ-ରାଜ୍ୟ ସରକାର ମୁହାଁମୁହିଁ ପ୍ରସଙ୍ଗରେ ତାଙ୍କୁ ବିଭିନ୍ନ ବିରୋଧୀ ଦଳ ସହିତ ବିଜେଡି ମଧ୍ୟ ସମର୍ଥନ ଦେଇଥିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଧାରଣ ମଞ୍ଚ ଉପରେ ଦାବି ଦର୍ଶାଇଛନ୍ତି। ଏ ନେଇ ବିଜେଡି ସହିତ ତାଙ୍କର ଯୋଗାଯୋଗ ହୋଇଛି ବୋଲି ମମତା କହିଛନ୍ତି। ମାତ୍ର ମମତାଙ୍କର ଏହି ଦାବିକୁ ବିଜେଡି ମୁଖ୍ୟ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛନ୍ତି।
ଜୟପୁର ବିମାନଘାଟି ଠାରୁ ୨ କିମି ଦୂର ଏକମ୍ବା ଗ୍ରାମ ନିକଟରେ ମଙ୍ଗଳବାର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବାର ଉତ୍ସବକୁ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ପକ୍ଷରୁ ତାଙ୍କୁ କେହି ଫୋନ୍ କରିନାହାନ୍ତି। ଗତକାଲି ଆମ ଦଳର ମତାମତ ସ୍ପଷ୍ଟ କରାଯାଇସାରିଛି। ଆମ ରାଜ୍ୟରେ ହିଁ ଆମ ପାର୍ଟିର କାର୍ୟ୍ୟକ୍ରମ ରହିବ। ତେବେ ସିବିଆଇ ରାଜନୈତିକ ଚାପରେ ନ ଆସି ପ୍ରୋଫେସନାଲ୍ ଭାବେ ନିଜ ଦାୟିତ୍ୱ ତୁଲାଇବା କଥା। ସେହିପରି ଆଜିର ସୁପ୍ରିମ୍କୋର୍ଟ ରାୟକୁ ନେଇ ନବୀନ କହିଥିଲେ ଯେ, ସମସ୍ତେ ସୁପ୍ରିମ୍କୋର୍ଟଙ୍କ ରାୟକୁ ମାନିବା ଆବଶ୍ୟକ। ବିଜେପି ନେତା କନକ ବର୍ଦ୍ଧନ ସିଂ ଦେଓଙ୍କ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇରୁ ଡାକରା ଆସିଛି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସବୁ ମିଥ୍ୟା ‘ଆବ୍ସଲ୍ୟୁଟ୍ଲି ନନ୍ସେନ୍ସ’ ବୋଲି କହିଥିଲେ।
ସିବିଆଇ ଅଧିକାରୀମାନେ କଲିକତା ପୁଲିସ ମୁଖ୍ୟ ରାଜୀବ କୁମାରଙ୍କୁ ଗିରଫ କରିବା ଲାଗି ଗୁପ୍ତ ଷଡ଼ଯନ୍ତ୍ର କରିବା ପରିପ୍ରେକ୍ଷୀରେ କଲିକତାଠାରେ ଧାରଣା ଦେବା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହିତ ସେ କଥାବାର୍ତ୍ତା କରିଥିଲେ ବୋଲି ମମତା କହିଥିଲେ। ନବୀନଙ୍କ ସହିତ ଅନ୍ୟ ବିରୋଧୀ ଦଳର ନେତାଙ୍କ ଠାରୁ ତାଙ୍କୁ ସମର୍ଥନ ମିଳିଥିଲା। ତେବେ ଏହି ନେତାମାନଙ୍କ ସହିତ ପୁନଃ ଆଲୋଚନା କରିବା ପରେ ସେ ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର କରିବେ ବୋଲି ମମତା ଦର୍ଶାଇଥିଲେ। ଏହାକୁ ନେଇ ପ୍ରତିକ୍ରିୟା ଲୋଡା ଯିବାରୁ ନବୀନ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।