ତୃଣମୂଳରୁ ସୁଦୃଢ଼ ହେବ ସ୍ବାସ୍ଥ୍ୟ ଭିତ୍ତିଭୂମି

ପୁରୀ : ତୃଣମୂଳସ୍ତରରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରାଯିବ। ଏହାଦ୍ବାରା ସ୍ବାସ୍ଥ୍ୟସେବା ସାର୍ବଜନୀନ ଏବଂ ସୁଲଭ ହୋଇ ପାରିବ। ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ କରାଯିବ। ଭାରତରେ କ୍ରମାଗତଭାବେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ। ସେଥିପାଇଁ ଦେଶର ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦିବା ଯତ୍ନକେନ୍ଦ୍ର ଖୋଲାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଶୁକ୍ରବାର ପୁରୀରେ ଅନୁଷ୍ଠିତ ୯ମ ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରି ସେ କହିଲେ, ୨୦୧୭ ପରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ପ୍ରତିଷେଧକ, ଗୁଣାତ୍ମକ
ବିକାଶ ଓ ବିସ୍ତୃତ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଉଛି। ଆୟୁଷ୍ମାନ ଭାରତ ଯୋଜନାରେ ୯୦% ଲୋକ ଉପକୃତ ହେଉଛନ୍ତି। କର୍କଟ ରୋଗ ଚିହ୍ନଟ ହେବାର ୩୦ ଦିନ ମଧ୍ୟରେ ରୋଗୀ ନିଃଶୁଳ୍କ ସ୍ବାସ୍ଥ୍ୟସେବା ପାଉଛନ୍ତି। ଦେଶର ପ୍ରାୟ ୩୭ କୋଟି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ୧ ଲକ୍ଷ ୧୭ ହଜାର ଆରୋଗ୍ୟ ମନ୍ଦିରରେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ୩ ପ୍ରକାର କର୍କଟ ନିରୂପଣ କରାଯିବ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଡାକ୍ତର ଅଭାବ ସମସ୍ୟାର ସମାଧାନ ପାଇଁ ଟେଲି ମେଡ଼ିସିନ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଲେ, ସ୍ବାସ୍ଥ୍ୟ ଅଧିକାରୀମାନେ ନିର୍ବାଚିତ ଲୋକପ୍ରତିନିଧିଙ୍କ ପରାମର୍ଶକୁ ଗୁରୁତ୍ବ ଦେବା ଉଚିତ। ସେମାନଙ୍କ ସହଯୋଗ ବିନା କୌଣସି ସରକାରୀ ଯୋଜନା ସଫଳ ହୋଇପାରିବ ନାହିଁ। ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯେପରି ପହଞ୍ଚି ପାରିବ ସେଥିପ୍ରତି ରାଜ୍ୟ ସରକାର ଚିନ୍ତା କରିବା ଉଚିତ। ଯକ୍ଷ୍ମା ଏବଂ ମେଲେରିଆ ନିୟନ୍ତ୍ରଣରେ ଭାରତ ଆଶାଜନକ ସଫଳତା ପାଇଛି। ଆମ ଦେଶ ଖୁବ୍‌ଶୀଘ୍ର ଯକ୍ଷ୍ମାମୁକ୍ତ ହେବାକୁ ଯାଉଛି। ଦେଶବାସୀଙ୍କୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ସକ୍ଷମ ହୋଇଥିବା ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଲେ, ସବୁ ଜିଲାରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ଖୋଲାଯିବ। ଆଗାମୀ ଶିକ୍ଷାବର୍ଷରୁ ଫୁଲବାଣୀ ଓ ଅନୁଗୋଳ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହେବ। ରାଜ୍ୟରେ ଆଉ ୪ଟି ଦନ୍ତ ଚିକିତ୍ସା ଶିକ୍ଷା କେନ୍ଦ୍ର ଖୋଲାଯିବ। ଏଥିପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି। ଉନ୍ନତମାନର, ଅତ୍ୟାଧୁନିକ ଏବଂ ନିରାପଦ ସ୍ବାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ନକଲି ଔଷଧ ବିକ୍ରି ବନ୍ଦ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚଳିତ ବର୍ଷ ସ୍ୱାସ୍ଥ୍ୟ ବଜେଟ ୯.୧୩% ବୃଦ୍ଧି କରାଯାଇଛି। ନିବେଶକ ସମ୍ମିଳନୀରେ ଓଡ଼ିଶାରେ ୧୦ ହଜାର କୋଟି ଟଙ୍କା ସ୍ବାସ୍ଥ୍ୟ କ୍ଷେତ୍ରରେ ନିବେଶ ପାଇଁ ପ୍ରସ୍ତାବ ମିଳିଛି। ପ୍ରାୟ ୫ ହଜାର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ପଦ ପୂରଣ କରାଯିବ। ଓଡ଼ିଶାକୁ ଯକ୍ଷ୍ମାମୁକ୍ତ କରିବାକୁ ଶହେ ଦିନିଆ ଅଭିଯାନ କାର୍ଯ୍ୟକାରୀ ହେଉଛି। ରାଜ୍ୟର ସମସ୍ତଙ୍କ ପାଖରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୁରୀ ସାଂସଦ ଡା. ସମ୍ବିତ ପାତ୍ର, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁନିୟା ସଲିଳା ଶ୍ରୀବାସ୍ତବ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଆରାଧନା ପଟ୍ଟନାୟକ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଶ୍ବଥୀ ଏସ୍‌ ଏବଂ ଯୁଗ୍ମ ସଚିବ ସୌରଭ ଜୈନ ଉଦ୍‌ଘାଟନ ସମାରୋହରେ ଉପସ୍ଥିତ ଥିଲେ। ଦୁଇଦିନ ଧରି ଏହି ସମ୍ମିଳନୀ ହେବ। ୧୯ ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟା ସମେତ ୧୬ତମ ସାଧାରଣ ସମୀକ୍ଷା ରିପୋର୍ଟ ବିଷୟରେ ଆଲୋଚନା କରାଯାଇଛି। ବିଭିନ୍ନ ରାଜ୍ୟରେ ଚାଲିଥିବା ଶ୍ରେଷ୍ଠ ଚିକିତ୍ସା ପ୍ରଣାଳୀ, ସଂକ୍ରାମକ ରୋଗ ନିୟନ୍ତ୍ରଣ, ଅବାଧ ଓ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦେଖା ଦେଇଥିବା ଆହ୍ବାନର ସଫଳ ମୁକାବିଲା ପାଇଁ ଏହି ସମ୍ମିଳନୀ ବେଶ୍‌ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି।

Comments are closed.