ଚମ୍ପିଆନ୍ସ ଟ୍ରଫି କ୍ରିକେଟ :ବର୍ଷା ପାଇଁ ଅଧାରୁ ଖେଳ ବନ୍ଦ, ଭାଗ ହେଲା ପଏଣ୍ଟ

ଲାହୋର : ଚମ୍ପିଆନ୍ସ ଟ୍ରଫି କ୍ରିକେଟ ନବମ ସଂସ୍କରଣ-୨୦୨୫ର ସେମିଫାଇନାଲରେ ଅଷ୍ଟ୍ରେଲିଆ ପ୍ରବେଶ କରିଛି। ଶୁକ୍ରବାର ଲାହୋରର ଗଦ୍ଦାଫି ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଗ୍ରୁପ-ବି ଗୁରୁତ୍ବପୂର୍ଣ୍ଣ ଲିଗ୍ ମ୍ୟାଚ ବର୍ଷା ପାଇଁ ଅଧାରୁ ବନ୍ଦ ହୋଇଯାଇଥିଲା। ମ୍ୟାଚ ଅଧାରୁ ବନ୍ଦ ହେବାରୁ ଉଭୟ ଦଳଙ୍କୁ ୧ ପଏଣ୍ଟ ଲେଖାଏଁ ମିଳିଛି। ଅଷ୍ଟ୍ରେଲିଆ ୩ଟି ମ୍ୟାଚରୁ ୪ ପଏଣ୍ଟ ସହ ସେମିଫାଇନାଲରେ ପହଞ୍ଚିଥିବାବେଳେ ଆଫଗାନିସ୍ତାନ ଭାଗ୍ୟ ଝୁଲି ରହିଛି। ଏବେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ୩ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଗ୍ରୁପର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଶନିବାର ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗ୍ରୁପ-ବିର ଶେଷ ଲିଗ୍ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚର ଫଳାଫଳ ଆଫଗାନିସ୍ତାନର ସେମିଫାଇନାଲ ଭାଗ୍ୟ ନିଦ୍ଧାରଣ କରିବ। ଇଂଲଣ୍ଡ ଯଦି ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ ତେବେ ଆଫଗାନିସ୍ତାନ ପାଇଁ ସେମିଫାଇନାଲ ପ୍ରବେଶ ସମ୍ଭାବନା ରହିବ। ଆଫଗାନିସ୍ତାନ ସାଦ୍ଦିଉଲ୍ଲା ଅଟଳଙ୍କ ୮୫ ରନ ବଳରେ ୨୭୩ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୨.୫ ଓଭର ଖେଳି ୧ ୱିକେଟରେ ୧୦୯ରନ କରିଥିବାବେଳେ ବର୍ଷା ହୋଇଥିଲ।ା ବର୍ଷା ପାଇଁ ମ୍ୟାଚ ଆଉ ଖେଳାଯିବା ସମ୍ଭବପର ହୋଇନଥିଲା। ଫଳରେ ମ୍ୟାଚ ବାତିଲ ହେବା ସହ ଉଭୟ ଦଳଙ୍କୁ ୧ ପଏଣ୍ଟ ଲେଖାଏଁ ମିଳିଥିଲା । ବର୍ଷା ପାଇଁ ଖେଳ ବନ୍ଦ ହେବା ବେଳକୁ ଓପନର ମାଥ୍ୟୁ ସର୍ଟ ୨୦ରନ କରି ଆଉଟ୍ ହୋଇଥିବାବେଳେ ଟ୍ରେଭିସ ହେଡ୍ ୫୯ ଓ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୧୯ରନ କରି ଥିଲେ। ଆଫଗାନିସ୍ତାନ ପକ୍ଷରୁ ଆଜ୍ମାତୁଲ୍ଲା ଓମାରଜାଇ ଗୋଟିଏ ୱିକେଟ ନେଇଥିଲେ।
ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପ୍ରଥମ ଓଭରରେ ଓପନର ରେହମାନଉଲ୍ଲା ଗୁର୍ବାଜଙ୍କ ୱିକେଟ ହରାଇଥିଲା। ସ୍କୋର ୩ରନ ଥିବାବେଳେ ଗୁର୍ବାଜ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ଇଂଲଣ୍ଡ ବିପକ୍ଷରେ ଦର୍ଶନୀୟ ଇନିଂସ ଖେଳିଥିବା ଇବ୍ରାହିମ ଜାଦ୍ରାନ ଓ ସାଦ୍ଦିଉଲ୍ଲା ଅଟଳ ସ୍ଥିତି ସମ୍ଭାଳିଥିଲେ। ଉଭୟେ ଦ୍ବିତୀୟ ୱିକେଟ ପାଇଁ ୬୭ରନ ସଂଗ୍ରହ କରିଥିଲେ। ୭୦ରନ ସ୍କୋର ଥିବାବେଳେ ଜାଦ୍ରାନ ୨୨ରନ କରି ଆଉଟ୍ ହୋଇଥିଲେ। ତୃତୀୟ ୱିକେଟରେ ଅଟଳ ଓ ରେହମତ ଶାହ ୨୧ରନ କରିଥିଲେ। ୯୧ରନ ସ୍କୋର ଥିବାବେଳେ ରେହମତ ୧୨ରନ କରି ଆଉଟ୍ ହୋଇଥିଲେ। ଚତୁର୍ଥ ୱିକେଟରେ ଅଟଳଙ୍କ ସହ ଅଧିନାୟକ ହାସମାତୁଲ୍ଲା ସାହିଦି ୬୮ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୫୯ରନରେ ପହଞ୍ଚାଇଥିଲେ। ସାଦ୍ଦିଉଲ୍ଲା ଅଟଳ ୮୫ରନ କରି ଆଉଟ୍ ହୋଇଥିଲେ। ଆଫଗାନିସ୍ତାନ ୧୯୯ରନ ମଧ୍ୟରେ ୭ଟି ୱିକେଟ ହରାଇଥିଲା। ହାସମାତୁଲ୍ଲା ସାହିଦି ୨୦ ଓ ମହମ୍ମଦ ନବି ୧ ରନ କରି ଆଉଟ୍ ହୋଇଥିଲେ। ଅଷ୍ଟମ ୱିକେଟରେ ଅଜ୍ମତୁଲ୍ଲା ଓମରଜାଇ ଓ ରସିଦ ଖାନ ୩୬ରନ ସଂଗ୍ରହ କରିବା ସହିତ ସ୍କୋରକୁ ୨୩୫ରନରେ ପହଞ୍ଚାଇଥିଲେ। ରସିଦ ୧୯ରନ କରି ଆଉଟ୍ ହୋଇଥିଲେ। େଶଷ ଆଡକୁ ଦଳ ଅଜମତୁଲ୍ଲା ଓମରଜାଇଙ୍କ ୬୭ରନ ବଳରେ ୨୭୩ରନ କରି ଅଲ୍ଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେନ ଡାୱରିୟର୍ସ ୩ଟି, ସ୍ପିନସର ଜନସନ ଓ ଆଡାମ ଜାମ୍ପା ୨ଟି ଲେଖାଏଁ, ନାଥନ ଏଲିସ ଓ ଗ୍ଲେନ ମ୍ୟାକ୍ସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
Comments are closed.