ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଭୁବନେଶ୍ଵର ଏମ୍‌ସ ହସ୍ପିଟାଲରେ ସିବିଆଇ ଚଢାଉ

ଭୁବନେଶ୍ବର : ଭୁବନେଶ୍ଵର ଏମ୍‌ସ ହସ୍ପିଟାଲରେ ସିବିଆଇ ଚଢାଉ ହୋଇଛି । ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗରେ ବୁଧବାର ଏହି ଚଢାଉ ହୋଇଛି । ଏକାଡେମୀ ବ୍ଲକରେ ନିଯୁକ୍ତି ଜାଲିଆତି ହୋଇଥିବା ଠୋସ୍ ପ୍ରମାଣ ମିଳିବା ପରେ ସିବିଆଇ ଚଢାଉ ଜାରି ରଖିବା ସହ ଏହି ନିଯୁକ୍ତି ଜାଲିଆତିର ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି । ମୋଟ ୭୭୫ଟି ପୋଷ୍ଟରେ ଜାଲ କାଗଜପତ୍ର ଜରିଆରେ ସ୍କାମ ହୋଇଥିବା ପ୍ରମାଣ ମିଳିଛି ।

ଚଢାଉ ବେଳେ ବହୁ କାଗଜପତ୍ର ଜବତ କରିଛି ସିବିଆଇ । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ପ୍ରମାଣ ମିଳିସାରିଛି । ୨୦୨୩ ଓ ୨୪ ମସିହାରେ ୫ଜଣଙ୍କର ନିଯୁକ୍ତି ହୋଇଥିଲା। ନିଯୁକ୍ତି ପାଇଥିବା କର୍ମଚାରୀମାନେ ସମସ୍ତେ ଭୁବନେଶ୍ବରର ବାସିନ୍ଦା । ପୂର୍ବରୁ ଏମ୍ସ ଥାର୍ଡ ପାର୍ଟି ବା ତୃତୀୟ ପକ୍ଷ ଦ୍ବାରା ନିଯୁକ୍ତି ଦେଉଥିଲା । କିନ୍ତୁ ପରେ ଏମ୍ସ ପକ୍ଷରୁ ନିଯୁକ୍ତି ବ୍ୟବସ୍ଥା ନିଜ ହାତକୁ ନିଆ ଯାଇଥିଲା। ଏହି ୫ଜଣ କର୍ମଚାରୀ ପୂର୍ବରୁ ଚୁକ୍ତିଭିତ୍ତିରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ।  ଜାଲ୍ ସାର୍ଟିଫିକେଟ ଦେଖାଇ  ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ପରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଜାଲ୍ କାଗଜପତ୍ରରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ହୋଇଥିବା ଅଭିଯୋଗ ପାଇବା ପରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଇଥିଲା ।  ଯାଞ୍ଚ ପରେ ନିଯୁକ୍ତିରେ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଥିଲା ।

Comments are closed.