କଳାପଥର(ବାଙ୍କୀ): ପତନୀ ରାମଲୀଳା ଯାତ୍ରାରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରାବଣପୋଡି ଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଶ୍ରୀରାମଲୀଳା ପ୍ରଚାର କମିଟିର ଅଭିଜ୍ଞ କଳାକାରଙ୍କ ଦ୍ୱାରା ସୀତା ହରଣ ପ୍ରସଙ୍ଗ ପରିବେଷଣ କରାଯାଇଥିଲା। ପଂଚବଟି ବଣରେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣ ପର୍ଣ୍ଣ କୁଟୀରରେ ଅବସ୍ଥାନ କରୁଥିବା ବେଳେ ଲଙ୍କାପତି ରାବଣର ଭଉଣୀ ସୁପଣଖା ବଣ ମଧ୍ୟକୁ ଆସି ବିବାହ ପ୍ରସ୍ତାବ ଦେବା, ସୀତାଙ୍କୁ ଭୟଭୀତ କରାଇବା ବେଳେ ଲକ୍ଷ୍ମଣଙ୍କ ଦ୍ୱାରା ତାର ନାସାକର୍ଣ୍ଣ ଛେଦନ କରାଯିବାର ଅଭିନୟ ଦର୍ଶକଙ୍କୁ ଚମତକୃତ କରିଥିଲା। ଲଙ୍କାଗଡ଼କୁ ଯାଇ ସୁପଣଖା ସୀତା ହରଣ ପାଇଁ ଭାଇ ରାବଣକୁ ପ୍ରବାର୍ତ୍ତାଇବା ତଥା ମାୟାବୀ ସହାୟତାରେ ମାୟା ମୃଗର ଭ୍ରମ ଦେଖାଇ ଚ୍ଛଦ୍ମ ବେଶରେ ସୀତାଙ୍କୁ ପୁଷ୍ପକ ବିମାନରେ ବସାଇ ଅଶୋକ ବନକୁ ହରଣ କରି ନେଇଯିବାର ଅପୂର୍ଵ ଦୃଶ୍ୟ ଦେଖି ଶତାଧିକ ଦର୍ଶକ ଅଭିଭୂତ ହୋଇ ପଡ଼ିଥିଲେ। ଆକାଶ ମାର୍ଗରେ ଜଟାୟୁଙ୍କ ଦ୍ୱାରା ରାବଣର ପଥ ଅବରୋଧ ଏବଂ ଶେଷରେ ରାବଣ ଦ୍ୱାରା ନିହତ ହେବା ଦୃଶ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ପତନୀ ଗ୍ରାମ ସାତ ଜଣିଆ କମିଟି ସଭ୍ୟ ଜଳଧର ସାହୁ, ଗୋବର୍ଦ୍ଧନ ସାହୁ, ଶରତ ବେହେରା, ରାଜୀବ ସାହୁ, ପ୍ରଫୁଲ ସାହୁ, ପଞ୍ଚାନନ ସାହୁଙ୍କ ସମେତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ୮୭ ବର୍ଷ ଧରି ଏହି ଉତ୍ସବ ପାଳିତ ହୋଇଆସୁଛି।



