୪ ଏକର ଜମିରେ ଜଙ୍ଗଲ ସୃଷ୍ଟି କରିଛନ୍ତି ସୁକାନ୍ତି, ରୋପଣ କରିଛନ୍ତି ୧୨ ହଜାରରୁ ଅଧିକ ଗଛ

ଖୋର୍ଦ୍ଧା : ପରିବେଶକୁ ସଜାଡ଼ିବା ଲାଗି ୩୨ ବର୍ଷ ବୟସରୁ ଅଦ୍ୟାବଧି ଉଦ୍ୟମ ଚଳାଇଛନ୍ତି ଖୋର୍ଦ୍ଧା ବ୍ଲକ କୁରାଢ଼ମଲ୍ଲ ପଞ୍ଚାୟତ ଅନ୍ତର୍ଗତ ଶିଆଳିଆର ପ୍ରସନ୍ନ ପଟ୍ଟନାୟକଙ୍କ ସହଧର୍ମିଣୀ ସୁକାନ୍ତି ପଟ୍ଟନାୟକ। ଏଥିପାଇଁ ପଟ୍ଟନାୟକ ଶିଆଳିଆ ଗ୍ରାମରେ ଥିବା ନିଜସ୍ବ ପ୍ରାୟ ୪ ଏକରର ପୈତୃକ ଜମିରେ ୧୨ ହଜାରରୁ ଅଧିକ ବିଭିନ୍ନ ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ଉଚ୍ଚ ଆଦର୍ଶ ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି।
ବାଙ୍କୀ ଚର୍ଚ୍ଚିକା ଅଞ୍ଚଳର ମୂଳବାସିନ୍ଦା ସ୍ୱର୍ଗତଃ ଯଦୁନାଥ ମହାପାତ୍ର ଓ ନିଦ୍ରାବତୀ ମହାପାତ୍ରଙ୍କ ସୁକନ୍ୟା ସୁକାନ୍ତି ନିଜସ୍ବ ଉଦ୍ୟମରେ ୧୯୯୫ ମସିହାରେ ମା’ ମଙ୍ଗଳା ଆଦିବାସୀ ମହିଳା ସମିତି ଗଠନ କରି ଏହାର ସଦସ୍ୟାଙ୍କ ସହଯୋଗରେ ଏହି ଜଙ୍ଗଲର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛନ୍ତି। ଜଣେ ଜଣାଶୁଣା ସମାଜସେବୀ ଭାବେ ସେ ଏହି ଅଞ୍ଚଳରେ ଖୁବ୍ ପରିଚିତ । ନିଜସ୍ବ ଉଦ୍ୟମରେ ଆଦିବାସୀବର୍ଗର ମହିଳାଙ୍କୁ ସିଲେଇ, ବେତ ବାଉଁଶ କାରିଗରୀ, ଆଚାର ଓ ପାମ୍ପଡ଼ ପ୍ରସ୍ତୁତି ଆଦି କାର୍ଯ୍ୟ ଶିଖେଇଥାନ୍ତି। ଅତି ସାଦାସିଧା ଜୀବନ ଜୀଉଁଥିବା ସୁକାନ୍ତି ଚାରାରୋପଣକୁ ନିଜର ବୃତ୍ତି ଭାବେ ଆଦରି ନେଇଛନ୍ତି। ତାଙ୍କ ପରଲୋକଗତ ପିତା ଯଦୁନାଥ ରାସ୍ତାପାର୍ଶ୍ବରେ ଗଛ ଲଗାଇ ଲୋକଙ୍କ ଉପକାର କରୁଥିବାବେଳେ ତାହା ଦେଖି ସେ ପ୍ରଭାବିତ ହୋଇଥିଲେ । ଫଳରେ ଦୀର୍ଘ ୩୦ ବର୍ଷରୁ ଅଧିକ ହେବ ସେ ନିଜକୁ ଶିଆଳିଆସ୍ଥିତ ଏହି ବିସ୍ତୀଣ୍ଡ ଜଙ୍ଗଳରେ ନିୟୋଜିତ କରିଛନ୍ତି । ନିଜ ହାତଗଡ଼ା ଜଙ୍ଗଲର ସୁରକ୍ଷା ପାଇଁ ସେ ଅବିରତ ସଂଗ୍ରାମ ଚଳାଇବା ସହ ଦିନକୁ ପ୍ରାୟ ୧୫ ଘଣ୍ଟା ପରିଶ୍ରମ କରିଥାନ୍ତି। ଗଛ ଲଗାଯିବା ପରେ ତାକୁ ବଞ୍ଚାଇବା ପାଇଁ ପାଣିର ଆବଶ୍ୟକତା ଥିବାରୁ ସେ ଏହି ଜଙ୍ଗଳରେ ବିଶାଳ ପୁଷ୍କରିଣୀ ନିର୍ମାଣ କରିଛନ୍ତି। ଏହି ପୋଖରୀରେ ମଧ୍ୟ ସେ ମାଛଚାଷ କରିଛନ୍ତି। ଏହାଛଡ଼ା ଏକାଧିକ ବୋରିଂ ନିର୍ମାଣ କରି ବୋରିଂର ପାଣି ଯେଭଳି ସଠିକ ଭାବେ ପ୍ରତିଟି ଗଛ ନିକଟରେ ପହଞ୍ଚିପାରିବ, ସେଥିପାଇଁ ସେ ଜଳସେଚନ ପଦ୍ଧତି ମଧ୍ୟ ଆପଣାଇଛନ୍ତି । ବିଶେଷ କରି ଏହି ସଂରକ୍ଷିତ ଜଙ୍ଗଲ ତାଙ୍କର ଏକପ୍ରକାର କର୍ମସ୍ଥଳୀ ବନିଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ସମ୍ପ୍ରତି ପରିଣତ ବୟସରେ ସେ ପହଞ୍ଚିଥିଲେ ହେଁ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଏହି ଜଙ୍ଗଲର ୪ ଘେରା ବୁଲିବା ସହ ପହରା ଦେଇଥାନ୍ତି। କାଠମାଫିଆଙ୍କ ଠାରୁ ଏହି ସଂରକ୍ଷିତ ଜଙ୍ଗଲକୁ ରକ୍ଷା କରିବା ଲାଗି ସେ ଅବିରତ ଲାଗିପଡ଼ିଥାନ୍ତି। ସେ ଏହି ଜମିରେ ବିପୁଳ ପରିମାଣର ଆମ୍ବ, ପଣସ, ଶାଗୁଆନ, ଇଉକାଲିପଟାସ, କାଜୁବାଦାମ, ପିଜୁଳି ଆଦି ସ୍ଥାୟୀଗଛ ଲଗାଇଛନ୍ତି ।
ଏହାଛଡ଼ା ସେ ଏହି ଜଙ୍ଗଲର ଯେଉଁ ଅଂଶରେ ସ୍ଥାୟୀ ଗଛ ଲଗାଇଛନ୍ତି, ସେଠାରେ ସମନ୍ବିତ କୃଷି ପଦ୍ଧତି ଆପଣାଇ ସେଠାରେ କଲରା, ବାଇଗଣ, କାକୁଡ଼ି, ଲଙ୍କା, ବିନ୍ସ, ଫୁଲକୋବି, େଲମ୍ବୁ, ବନ୍ଧାକୋବି, ମୂଳା ଏବଂ ଗାଜର ଆଦି ଫସଲ ଉତ୍ପାଦନ କରିଥାନ୍ତି । ସେହିପରି ଗେଣ୍ଡୁପୁଲ ଚାଷ କରି ବେଶ୍ ଲାଭବାନ ହୋଇଥିବା ଦର୍ଶାଇଛନ୍ତି। ସେହିପରି ନିଜସ୍ବ ଉଦ୍ୟମରେ ଜୈବିକ ଖତ ପ୍ରସ୍ତୁତ କରି ସେ ଏହି ଫସଲରେ ପ୍ରୟାଗ କରୁଛନ୍ତି । ଏହାଛଡ଼ା ସେ ୨୦ରୁ ଅଧିକ ଗାଈ ଓ ବାଛୁରୀ ରଖି ଗୋଚାଷ ଉପରେ ଗୁରୁତ୍ବ ଦେଇଆସୁଛନ୍ତି । ଏହାଛଡ଼ା ବରୁଣେଇ ଉନ୍ନୟନ ସମିତି ଗଠନ କରି ସେ ବରୁଣେଇ ଜଙ୍ଗଲର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିପାଇଁ ତାଙ୍କୁ ମହାମହିମ ପୂର୍ବତନ ରାଜ୍ୟପାଳ ଗୋପାଳ ରାମାନୁଜମ୍ ରାଜ୍ୟପାଳ ପୁରସ୍କାର ପ୍ରଦାନ କରିଥିଲେ । ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲ ସୃଷ୍ଟି ଦିଗରେ ତାଙ୍କର ବିଶେଷ ଅବଦାନ ଥିଲେ ମଧ୍ୟ ଏଯାବତ୍ ତାଙ୍କୁ ସେଭଳି ସରକାରୀ ପ୍ରୋତ୍ସାହନ ଦିଆଯାଇନାହିଁ। ଏଥିପାଇଁ ସେ କ୍ଷୋଭ ପ୍ରକାଶ କରିଛନ୍ତି।
Comments are closed.