ତୋଷକାରୀ ବଜେଟ

0

ନିର୍ବାଚନ ବର୍ଷରେ ଦେଶର ବଜେଟକୁ କିପରି ଦେଖାଯିବ ? ପାରମ୍ପରିକ ଭାବେ ସରକାର ଭୋଟରଙ୍କୁ ତୋଷ କରିବା ପାଇଁ ବଜେଟରେ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା ଆଦି କରିଥାନ୍ତି ଓ ଏହାକୁ ଲୋକଦେଖାଣିଆ କରନ୍ତି। ତେଣୁ ନିର୍ବାଚନ ବର୍ଷର ବଜେଟ ଅନ୍ୟ ବର୍ଷର ବଜେଟ ଅପେକ୍ଷା ନିଆରା ହୋଇଥାଏ। ଦ୍ବିତୀୟ କଥା ହେଲା ଭାରତ ଭଳି ଦେଶରେ ନିର୍ବାଚନ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ କରାନଯାଇ ଚାରିମାସିଆ ବା କାମଚଳା ବଜେଟ ଉପସ୍ଥାପିତ ହୋଇ ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ଦାୟିତ୍ବ ନୂଆ ସରକାରଙ୍କ ପାଇଁ ଛାଡ଼ି ଦିଆଯାଇଥାଏ। ଏହା ଏକ ପରମ୍ପରା ହୋଇଥିଲେ ହେଁ ଏକ ଆଇନଗତ ବିଧି ବ୍ୟବସ୍ଥା ନୁହେଁ। ସେ ଦୃଷ୍ଟିରୁ ଦେଖିଲେ ଗୋଟିଏ ସରକାର କାମଚଳା ବଜେଟକୁ ଲୋକଦେଖାଣିଆ ଓ ଭୋଟର ଅନୁକୂଳ କରିବାରେ କିଛି ଅସୁବିଧା ନାହିଁ। ​ମୋଦୀ ସରକାର କାର୍ଯ୍ୟକାଳର ଅନ୍ତିମ ବର୍ଷରେ ଶୁକ୍ରବାର ସଂସଦରେ ଯେଉଁ କାମଚଳା ବଜେଟ ଉପସ୍ଥାପିତ ହୋଇଛି ସେଥିରେ ଭୋଟରମାନଙ୍କୁ ଆକୃଷ୍ଟ କରିବାର ଅନେକ ପ୍ରସ୍ତାବ ରହିଛି। କ୍ରମାଗତ ଦ୍ବିତୀୟବାର କେନ୍ଦ୍ରରେ କ୍ଷମତାକୁ ଆସିବା ପାଇଁ ଅତ୍ୟନ୍ତ ଆତ୍ମବିଶ୍ବାସୀ ଥିବା ବିଜେପି ଅଳ୍ପଦିନ ତଳେ ବିଧାନସଭା ନିର୍ବାଚନରେ ତିନିଟି ପ୍ରମୁଖ ହିନ୍ଦୀ ଭାଷାଭାଷୀ ରାଜ୍ୟରେ କ୍ଷମତାଚ୍ୟୁତ ହେବା ପରେ ବାସ୍ତବତାକୁ ଅନୁଭବ କରିଛି। ଚାଷୀ, ଚାକିରିଆ ଶ୍ରେଣୀ ଓ ଶ୍ରମିକବର୍ଗ ଦଳଠାରୁ ମୁହଁ ଫେରାଇବା ପରେ ବିଜେପି ଅଣ୍ଟାଭିଡ଼ିବା ପ୍ରସ୍ତୁତି ଆରମ୍ଭ କରିଦେଇଛି ଯାହା ଏକ ରାଜନୈତିକ ବାସ୍ତବତା।
ଚାଷୀ, ଚାକିରିଆ ଶ୍ରେଣୀ ଓ ଶ୍ରମିକବର୍ଗର ଭୋଟରଙ୍କୁ ଖୁସି କରିବା ପାଇଁ ବଜେଟରେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଯେଉଁସବୁ ପ୍ରସ୍ତାବ ରଖିଛନ୍ତି ସେସବୁ ଏହି ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବାରେ ଅବଶ୍ୟ ଅନେକାଂଶରେ ସଫଳ ହୋଇପାରେ। କେବଳ ସେତିକି ନୁହେଁ ବିମୁଦ୍ରାୟନ ପ୍ରକ୍ରିୟାରେ ଯେଉଁସବୁ ବର୍ଗ ଓ କ୍ଷେତ୍ରର ଅଭିବୃଦ୍ଧି ବ୍ୟାହତ ହୋଇଥିଲା ତାହାକୁ ଭରଣା କରିବାକୁ ମଧ୍ୟ ପ୍ରୟାସ କରାଯାଇଛି। ଏଥିରୁ ମନେହେଉଛି ଶାସକ ଦଳ ଏବେ ବୁଝିପାରିଛି ଯେ ବିକାଶ ପ୍ରକ୍ରିୟାରେ ପ୍ରତ୍ୟେକ ବର୍ଗ, ଗୋଷ୍ଠୀ ଓ ସମୁଦାୟ ସିଧାସଳଖ ସମ୍ପୃକ୍ତ ହୋଇ ଉପକୃତ ନ’ହେଲେ ଗୋଟିଏ ସରକାର ପକ୍ଷେ କ୍ଷମତାରେ ବଜାୟ ରହିବା କଷ୍ଟ। ତେଣୁ ଦବାନବା ନ୍ୟାୟରେ ‘‘ଆମେ ତମ ପାଇଁ କାମ କରୁଛୁ, ତେଣୁ ତୁମେ ଆମକୁ ଭୋଟଦିଅ’’ର ଭାବନା ସ୍ପଷ୍ଟ। ସତକଥା ହେଲା ଦେଶର ଭୌତିକ ଓ ଆର୍ଥିକ ବିକାଶ ସହିତ ସାଧାରଣ ମଣିଷ, ଚାଷୀ, ଶ୍ରମିକ, କର୍ମଜୀବୀ ସମସ୍ତଙ୍କର ଉପକୃତ ହେବାର ଏକ ଅଭିଳାଷ ଥାଏ ଏବଂ ତାହା ପୂରଣ ନ’ହେଲେ ସରକାର ବିରୋଧରେ ଜନମତ ସୃଷ୍ଟି ହୁଏ। ସ୍ବଚ୍ଛ ଭାରତ ଭଳି ମୋଦୀ ସରକାରଙ୍କର କିଛି ମହଦାକାଙ୍‌କ୍ଷୀ କାର୍ଯ୍ୟକ୍ରମରେ ବିପୁଳ ଅର୍ଥ ବ୍ୟୟ ହେଉଥିଲେ ହେଁ ଭାରତ ପରିପ୍ରେକ୍ଷୀରେ ଏହା ଅତ୍ୟାବଶ୍ୟକ ନୁହେଁ; କାରଣ ଏଠି ନିଯୁକ୍ତି ଓ ରୋଜଗାର ସୃଷ୍ଟି ଓ ସାଧାରଣ ମଣିଷର ବ୍ୟକ୍ତିଗତ ଲାଭ ଭଳି ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି ଯାହା ଅଗ୍ରାଧିକାର ମାଗେ।
ଚାଷୀଙ୍କ ପାଇଁ ସରକାର ଯେଉଁ ବ୍ୟବସ୍ଥା ବଜେଟରେ କରିଛନ୍ତି ତାହା ମୂଳତଃ ତେଲଙ୍ଗାନା ଏବଂ ଓଡ଼ିଶାର ‘କାଳିଆ’ ଯୋଜନା ଆଧାରରେ ହୋଇଥିଲେ ହେଁ ଏହାକୁ ଆଉଟିକେ ବଦଳାଯାଇ ଅଧିକ ବାସ୍ତବବାଦୀ କରାଯାଇଛି। ଋଣଛାଡ଼ ଯୋଜନା ଯେ କୃଷିକ୍ଷେତ୍ର ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ ଏ କଥା ସତ। ୟୁପିଏ ସରକାର ୧.୩୦ଲକ୍ଷ କୋଟି ଟଙ୍କାର କୃଷିଋଣ ଛାଡ଼ କରିଥିଲେ ମଧ୍ୟ ଚାଷୀଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା। ପୂର୍ବରୁ କହିଛୁ ଯେ ଭାରତୀୟ ଭୋଟର କେବଳ ବିକାଶ ଆହ୍ବାନ ବା ସଶକ୍ତଭାରତ ନିର୍ମାଣ ସ୍ଲୋଗାନରେ ଭାସିଯାଆନ୍ତି ନାହିଁ। ସେମାନେ ପ୍ରଥମେ ଦେଖନ୍ତି ସରକାର ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ କ’ଣ କରୁଛି ଓ ସେଥିରେ ସେମାନେ କେତେ ଲାଭାନ୍ବିତ ହେଉଛନ୍ତି। ଲୋକ ଯେତେବେ​‌ଳେ ଭୋଟକୁ ଆୟୁଧ କରି ଆର୍ଥିକ ଓ ଅନ୍ୟାନ୍ୟ ଲାଭ ସିଧାସଳଖ ସରକାରଙ୍କଠାରୁ ଦାବି କରୁଛନ୍ତି ଓ ସେଥିପାଇଁ ସେମାନଙ୍କୁ ବିଭିନ୍ନ ରାଜ୍ୟ ସରକାର ଲାଞ୍ଚୁଆ କରିସାରିଛନ୍ତି ସେତେବେଳେ ନୀତି ଓ ଆଦର୍ଶ ଅର୍ଥହୀନ। ଏସବୁ ଲୋକଦେଖାଣିଆ କାମ ଓ ଭୋଟର ତୁଷ୍ଟୀକରଣ ପାଇଁ ଅର୍ଥ କେଉଁଠୁ ଆସିବ ତାହା ଦେଖିବାକୁ ବେଳ କାହିଁ ? ବୋଧହୁଏ କେତେକ ତଥାକଥିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଭୋଟର ତୁଷ୍ଟୀକରଣ ଫର୍ମୁଲାର ମହତ୍ତ୍ବ ମୋଦୀ ସରକାର ବୁଝିପାରିବା ପରେ ରଣକୌଶଳରେ ପରିବର୍ତ୍ତନ କରିଛନ୍ତି। ତାଙ୍କର କିଛି ଯୋଜନା ସାଂପ୍ରତିକ ରାଜନୀତିରେ ଖେଳ ବଦଳାଇବାର ସାମର୍ଥ୍ୟ ରଖୁଛି। ମୋଦୀଙ୍କ ପାଇଁ ଏକ ବଡ଼ ସୁଯୋଗ ହେଲା ଦେଶର ସାମଗ୍ରିକ ଅର୍ଥନୀତି ଓ ଆର୍ଥିକ ସ୍ଥିତି ଏବେ ଅପେକ୍ଷାକୃତ ଭଲ ଅବସ୍ଥାରେ ଅଛି।
ମୋଦୀ ସରକାରଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ଓ ଭୋଟରଙ୍କୁ ତୋଷ କରିବାର ପ୍ରୟାସ ନିର୍ବାଚନରେ ଦଳ ପାଇଁ ସହାୟକ ହୋଇପାରେ। ସାଧାରଣବର୍ଗର ଗରିବଙ୍କଠାରୁ ଆରମ୍ଭ କରି, ଆଦିବାସୀ, ଦଳିତ, ମହିଳା, ଅସଂଗଠିତ କ୍ଷେତ୍ରର ଶ୍ରମିକ, କର୍ମଚାରୀ, ଚାକିରିଆ ଶ୍ରେଣୀ ଓ ମଧ୍ୟମବର୍ଗଙ୍କୁ ଖୁସି କରିବାକୁ ମୋଦୀ ସରକାର ଯେଉଁସବୁ ରଣନୀତି ଆପଣେଇଛି ସେଥିରେ ଦେଶର ମୋଟ ୮୧କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୮୦ଭାଗ ଉପକୃତ ହେବେ। ତେଣୁ ମୋଦୀ ଯେ ବିରୋଧୀଙ୍କୁ ନିଷ୍ପ୍ରଭ କରିବାକୁ ଏଇ ଗୋଟି ଚଳାଇଛନ୍ତି ସେଥିରେ ସନ୍ଦେହର ଅବକାଶ ନାହିଁ। ମଧ୍ୟବର୍ତ୍ତୀ ବଜେଟକୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ‘ଟ୍ରେଲର’ ବୋଲି କହି ସୂଚନା ଦେଇଛନ୍ତି ଯେ ଏହା ଏକ ଝଲକମାତ୍ର। ଅର୍ଥାତ୍‌ ସେ ପୁଣି କ୍ଷମତାକୁ ଆସିଲେ ଆହୁରି କିଛି ଅଧିକ ସୁବିଧାସୁଯୋଗ ଦେବେ। ଆମ ଦେଶର ଲୋକଚରିତ୍ର ଓ ଭୋଟରଙ୍କ ବ୍ୟବହାର ଯାହା ତାହାକୁ ଦେଖିଲେ କହିବାକୁ ହେବ ଏହା ମୋଦୀ ସରକାରଙ୍କର ଏକ ମାଷ୍ଟ୍ରର ଷ୍ଟ୍ରୋକ୍‌ ବା ଗହରୀ ଚାଲ୍‌। ଅପେକ୍ଷା କରିବାକୁ ପଡ଼ିବ ମୋଦୀଙ୍କର ଏହି ଚାଲ୍‌ ରାଜନୀତି ଖେଳକୁ କିପରି ବଦଳାଉଛି।

kalyan agarbati
Leave A Reply