ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି!

0

ଦେଶର ସ୍ବାୟତ୍ତ ସଂସ୍ଥାଗୁଡ଼ିକ ଉପରେ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର ଅଯଥା ଓ ଅନ୍ୟାୟପୂର୍ଣ୍ଣ ହସ୍ତକ୍ଷେପ କରୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ସିବିଆଇ, ଆର୍‌ବିଆଇ ଭଳି ଅନୁଷ୍ଠାନ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହି କ୍ରମରେ ଏବେ ଜାତୀୟ ପରିସଂଖ୍ୟାନ ଆୟୋଗ(ଏନ୍‌ଏସ୍‌ସି)ର ପାଳି ପଡ଼ିଛି। ଏହାର ଦୁଇ ପ୍ରମୁଖ ସଦସ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପିସି ମୋହନନ ଓ ଜେଭି ମୀନାକ୍ଷି ସରକାରୀ ଦଖଲ ହେତୁ ସେମାନେ ଇସ୍ତଫା ଦେଉଛନ୍ତି ବୋଲି ଖୋଲାଖୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ସାତଜଣ ସଦସ୍ୟବିଶିଷ୍ଟ ପରିସଂଖ୍ୟାନ ଆୟୋଗରେ ପୂର୍ବରୁ ତିନିଟି ପଦ ଖାଲି ପଡ଼ିଥିଲା। ଏବେ ଏହି ଦୁଇଜଣଙ୍କ ଇସ୍ତଫା ପରେ କେବଳ ଦୁଇଜଣ ସଦସ୍ୟ ହିଁ ରହିଛନ୍ତି- ନୀତି ଆୟୋଗର ଉପାଧ୍ୟକ୍ଷ ଅମିତାଭ କାନ୍ତ ଓ ମୁଖ୍ୟ ପରିସଂଖ୍ୟାନବିତ୍ ପ୍ରବୀଣ ଶ୍ରୀବାସ୍ତବ।
ଶ୍ରୀ ମୋହନନ କହିଛନ୍ତି ଯେ ସରକାର ଆୟୋଗର କାମକୁ ଗୁରୁତ୍ବ ଦେଉନାହାନ୍ତି ଓ ସଦସ୍ୟମାନଙ୍କ ପରାମର୍ଶକୁ ଉପେକ୍ଷା କରିଚାଲିଛନ୍ତି। ସେ ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନଏସ୍‌ଏସ୍‌ଓ)ର ରିପୋର୍ଟକୁ ଚାପିଦେଇଥିବାର ଅଭିଯୋଗ କରି କହିଛନ୍ତି ଯେ ଏନଏସ୍‌ଏସ୍‌ଓର ରିପୋର୍ଟ ୨୦୧୮ ଡିସେମ୍ବର ଆରମ୍ଭରେ ହିଁ ମଞ୍ଜୁର କରାଯାଇଥିଲା, କିନ୍ତୁ ଦୁଇ ମାସ ବିତିଯିବା ପରେ ମଧ୍ୟ ସରକାର ତାକୁ ସାର୍ବଜନୀନ କରୁନାହାନ୍ତି। ଏପର୍ଯ୍ୟନ୍ତ ଏନଏସ୍‌ଏସ୍‌ଓର ନିଷ୍କର୍ଷକୁ ଆୟୋଗର ଅନୁମୋଦନ ମିଳିବାର କିଛିଦିନ ଭିତରେ ହିଁ ରିପୋର୍ଟ ଜାରି କରିଦିଆଯାଉଥିଲା। ଏଥିରେ ଏମିତି କ’ଣ ତଥ୍ୟ ଅଛି ଯେ ମୋଦୀ ସରକାର ତାକୁ ଚପାଇଦେଇ ବସିଛନ୍ତି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଏହାର ଆଉ ଏକ କାରଣ ହେଉଛି ବର୍ତ୍ତମାନର ସରକାର ପାଇଁ ଏଭଳି ସରକାରୀ ରିପୋର୍ଟ ପ୍ରଥମ। କୁହାଯାଉଛି ଯେ ଏହି ରିପୋର୍ଟରେ ବିମୁଦ୍ରାୟନ ପରେ କମ୍ ହୋଇଥିବା ରୋଜଗାରର ପରିସଂଖ୍ୟାନ ଥିବାରୁ ସରକାର ତାକୁ ସାର୍ବଜନୀନ କରୁନାହାନ୍ତି। ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ ଯେ ଏକ ସରକାରୀ ସ୍ବାୟତ୍ତ ସଂସ୍ଥାର ଆକଳନକୁ ସରକାର ହେୟଜ୍ଞାନ କରିବା ସହ ନିଜର ଅପାରଗତାକୁ ଲୁଚାଇବାର ପ୍ରୟାସ କରୁଛନ୍ତି; କିନ୍ତୁ ସରକାରଙ୍କ ଅବସ୍ଥା ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’ ପରି। ବିମୁଦ୍ରାୟନ ପରବର୍ତ୍ତୀ ଅବସ୍ଥାରେ କୋଟିକୋଟି ଲୋକ ନିଯୁକ୍ତି ହରାଇଥିବା ନେଇ ପୂର୍ବରୁ ଅନେକ ଅନୁଧ୍ୟାନ ରିପୋର୍ଟରେ ପ୍ରକାଶିତ ହୋଇଛି। ରୋଜଗାର ସୃଜନ କ୍ଷେତ୍ରରେ ମୋଦୀ ସରକାର ବିଫଳତା ନେଇ ଦେଶବିଦେଶର ଗଣମାଧ୍ୟମରେ ବହୁ ବିବରଣୀ ପ୍ରକାଶ ପାଇଛି। ଏକ ରିପୋର୍ଟ ଅନୁସାରେ, ୨୦୧୭ ତଥ୍ୟ ଅନୁଯାୟୀ ଏହି ସମୟରେ ଭାରତର ବେକାରୀ ହାର ୪୫ ବର୍ଷର ସର୍ବାଧିକ ସ୍ତରକୁ ଛୁଇଁଥିଲା, ଯାହା ଏବେ ଆହୁରି ବଢ଼ିଥିବ। ତେଣୁ ଏ ସମ୍ପର୍କରେ ଯେତେ ଲୁଚାଇଲେ ବି ସରକାରଙ୍କ ବିଫଳତା ପଦାରେ ପଡ଼ିବ, ତାହା ନିଶ୍ଚିତ।
ସବୁଠୁ ବଡ଼ ସମସ୍ୟା ହେଉଛି, ଏ ସରକାର କେବଳ ବେରୋଜଗାର ବ​‌ା ନିଯୁକ୍ତି ତଥ୍ୟ ନୁହେଁ, ଅନ୍ୟାନ୍ୟ ତଥ୍ୟକୁ ମଧ୍ୟ ଲୁଚାଇବାର ପ୍ରୟାସ ଜାରି ରଖିଛନ୍ତି, ଯେଉଁଗୁଡ଼ିକ ତାଙ୍କ କାର୍ଯ୍ୟର ଗୋଲାପୀ ଚିତ୍ର ପ୍ରଦାନ କରୁନାହିଁ। ବହୁ ବିଳମ୍ବରେ ଜାରି କରାଯାଇଥିବା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବ୍ୟାକ୍‌ ସିରିଜ୍‌ ଡାଟାରେ ମଧ୍ୟ ନୀତି ଆୟୋଗ ମୂଳବର୍ଷକୁ ପରିବର୍ତ୍ତନ କରିଦେଇ ମୋଦୀ ସରକାରଙ୍କ ଅଭିବୃଦ୍ଧି ହାର ୟୁପିଏ ସରକାରଙ୍କଠାରୁ ଉତ୍ତମ ବୋଲି ଦେଖାଇବାର ଅପପ୍ରୟାସ କରିଥିଲେ। ଏହାକୁ ନେଇ ପରିସଂଖ୍ୟାନ ଆୟୋଗ କ୍ଷୁବ୍ଧ ହୋଇଥିଲା। ତିନିବର୍ଷ ତଳେ ଜିଡିପି ଉପରେ ଆଧାରିତ ତଥ୍ୟକୁ ନେଇ ମଧ୍ୟ ପରିସଂଖ୍ୟାନ ଆୟୋଗକୁ ଉପେକ୍ଷା କରାଯାଇଥିବାର ଆରୋପ ନୀତି ଆୟୋଗ ଉପରେ ଲାଗିଥିଲା। ଏବେଏବେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ପାଇଁ ନୀତି ଆୟୋଗ ଦ୍ବାରା ଯେଉଁ ତଥ୍ୟ ସଂଗ୍ରହ କରାଯାଉଛି, ସେଥିରେ ମଧ୍ୟ ସରକାର ହସ୍ତକ୍ଷେପ କରୁଥିବା ଅଭିଯୋଗ ଆସିଛି।
କେବଳ ସେତିକି ନୁହେଁ, ବାର୍ଷିକ ରୋଜଗାର-ବେରୋଜଗାର ସର୍ବେକ୍ଷଣ ବ୍ୟତୀତ ତ୍ରୈମାସିକ ରୋଜଗାର ସର୍ବେକ୍ଷଣର ତଥ୍ୟକୁ ମଧ୍ୟ ସରକାର ଠିକ୍‌ ସମୟରେ ସାର୍ବଜନୀନ କରିନଥିବା ଦେଖିବାକୁ ମିଳିଛି। ୨୦୦୮ରେ ବିଶ୍ବବ୍ୟାପୀ ଆର୍ଥିକ ସଙ୍କଟ ଦେଖାଦେବା ପରେ ଏହି ସର୍ବେକ୍ଷଣ ଆରମ୍ଭ ହୋଇଥିଲେ ହେଁ ୨୦୧୬ରୁ ଏହାକୁ ସଂପୂର୍ଣ୍ଣ ରୂପରେ ପ୍ରକାଶ କରାଯାଇଥିଲା। ଏବେସୁଦ୍ଧା ଏହାର ସାତଟି ରିପୋର୍ଟ ହିଁ ପ୍ରକାଶ ପାଇଛି ଓ ୨୦୧୭ ଜୁଲାଇ-ସେପ୍ଟେମ୍ବର ଏହାର ଶେଷ ରିପୋର୍ଟ ଥିଲା। ଶ୍ରମ ମନ୍ତ୍ରଣାଳୟ ଏହାର ଅଷ୍ଟମ ରିପୋର୍ଟକୁ ଏ ପର୍ଯ୍ୟନ୍ତ ଜାରି କରିନାହିଁ। ପ୍ରକୃତରେ ଏହି ସର୍ବେକ୍ଷଣର ରିପୋର୍ଟକୁ ଅନୁଧ୍ୟାନ କରି ସରକାର ସେହି ଅନୁସାରେ ରୋଜଗାର ସୃଷ୍ଟିର ବାଟ ବାହାର କରିବା କଥା; କିନ୍ତୁ ମୋଦୀ ସରକାର ତାହା କରୁଥିବା ମନେହେଉ ନାହିଁ। ଆମେରିକାରେ ପ୍ରତିମାସରେ ରୋଜଗାରର ତଥ୍ୟ ସରକାର ସଂଗ୍ରହ କରି ତା’ ଉପରେ ବିଚାରବିମର୍ଶ କରିଥାନ୍ତି। ତଥ୍ୟକୁ ଯଦି ସରକାର ଲୁଚାଇବେ, ତେବେ ତାହା ଜନସାଧାରଣଙ୍କ ସ୍ବାର୍ଥହାନି ହିଁ କରିବ। ନେବେଲ ବିଜେତା ବ୍ରିଟିଶ ଅର୍ଥନୀତିଜ୍ଞ ରୋନାଲ୍ଡ ହ୍ୟାରି କୋସ୍‌ ଏକଦା କହିଥିଲେ ଯେ ‘ଯଦି ତୁମେ ଦୀର୍ଘଦିନ ଧରି ତଥ୍ୟକୁ ନେଇ ଖେଳ ଖେଳିବ, ତେବେ ତାହା ସବୁକିଛିକୁ ସ୍ବୀକାର କରିବାକୁ ବାଧ୍ୟ ହେବ’। ତେବେ ସରକାର ନିଜେ ଯଦି ଏପରି ଖେଳ ଖେଳନ୍ତି, ତା’ର ପରିଣାମ ଭୟଙ୍କର ହୋଇପାରେ। ପୂର୍ବରୁ ଭାରତୀୟ ସଂଗଠନ ଓ ସଂସ୍ଥାଗୁଡ଼ିକ ଦ୍ବାରା ସଂଗୃହୀତ ତଥ୍ୟର ଯେଉଁ ବିଶ୍ବସନୀୟତା ରହିଥିଲା, ତାହା ଏହି ସରକାରଙ୍କ ସମୟରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ବିଶ୍ବସନୀୟତା ଫେରାଇ ଆଣିବା ପାଇଁ ସରକାର ଚେଷ୍ଟା କରିବା ବଦଳରେ ତଥ୍ୟ ଲୁଚାଇବାର ପ୍ରୟାସ କରିବା ଦୁର୍ଭାଗ୍ୟଜନକ।

kalyan agarbati
Leave A Reply