ଡେସ୍କ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଗିଲଗିଟ୍ ବାହାରେ ଥିବା ଏକ ପଥରରୁ ମିଳିଥିବା ଏକ ପ୍ରାଚୀନ ସଂସ୍କୃତ ଶିଳାଲେଖକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଡିକୋଡ୍ କରିଛି। ଅଧିକାରୀମାନେ କହିଛନ୍ତି ଯେ ଏହି ଲେଖାଟି ପ୍ରାୟ ଚତୁର୍ଥ ଶତାବ୍ଦୀର ବ୍ରାହ୍ମୀ ଲିପିରେ ଲେଖାଯାଇଛି। ଏହି ଶିଳାଲେଖରେ “ମହେଶ୍ୱରଲିଙ୍ଗ” ପ୍ରତିଷ୍ଠା ବିଷୟରେ ଉଲ୍ଲେଖ ରହିଛି।
ଏଏସଆଇ ଏପିଗ୍ରାଫି ନିର୍ଦ୍ଦେଶକ କେ ମୁନିରତ୍ନମ୍ ରେଡ୍ଡୀ କହିଛନ୍ତି, ପୁଷ୍ପସିଂହ ତାଙ୍କ ଗୁରୁଙ୍କ ପାଇଁ ଏକ ମହେଶ୍ୱରଲିଙ୍ଗ ସ୍ଥାପନ କରିଥିଲେ। ରାଜସ୍ଥାନର ଶିବ ପ୍ରତାପ ସିଂହ ଏହାର ଏକ ଫଟୋ ଏଏସଆଇକୁ ଶେୟାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଏବଂ ଭାରତର ଭୌଗୋଳିକ ଇତିହାସକୁ ଦୃଷ୍ଟିରେ ରଖି ଅତୀତରେ ଅନେକ ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ପଡ଼ୋଶୀ ଦେଶରେ ସଂସ୍କୃତ ଶିଳାଲେଖ ମିଳିଥିଲା। ମାତ୍ର ୫ ମାସ ତଳେ ଭାରତୀୟ ପ୍ରତ୍ନତତ୍ତ୍ୱବିତ୍ମାନେ ପାକିସ୍ତାନର ପେଶାୱାରରୁ ପଠାଯାଇଥିବା ଆଉ ଏକ ସଂସ୍କୃତ ଶିଳାଲେଖକୁ ଡିକୋଡ୍ କରିଥିଲେ।
ସେମାନଙ୍କ କହିବା ଅନୁଯାୟୀ, ପେଶାୱରଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ ଏହି ଖଣ୍ଡବିଖଣ୍ଡିତ ଶିଳାଲେଖ ଦେଖିବାକୁ ମିଳିଥିଲା। କେ ମୁନିରତ୍ନମ୍ ରେଡ୍ଡୀ ଦାବି କରିଛନ୍ତି ଯେ ଏହି ଶିଳାଲେଖ ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀର ସଂସ୍କୃତ ଏବଂ ଶାରଦା ଲିପିରେ ଲେଖାଯାଇଥିଲା। ଯଦିଓ ଏହା କିଛି ଅଂଶରେ ନଷ୍ଟ ହୋଇଛି, ତଥାପି ଏହା ବୌଦ୍ଧ ଧରଣୀ ବା ଜପକୁ ବୁଝାଏ। ଷଷ୍ଠ ଧାଡ଼ିରେ ଥିବା ଶିଳାଲେଖରେ ଦ (ଧ)ରିଣୀ ବିଷୟରେ ଉଲ୍ଲେଖ ରହିଛି ବୋଲି ବିଶେଷଜ୍ଞ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିଳାଲେଖର ଅନ୍ୟାନ୍ୟ ବିବରଣୀ ସ୍ପଷ୍ଟ ହୋଇନାହିଁ, କିନ୍ତୁ ସେମାନେ ଜାଣିବାକୁ ଚେଷ୍ଟା କରିବେ।
ଇତିହାସକୁ ଗଭୀର ଭାବରେ ଅନୁଧ୍ୟାନ କଲେ ଏହା ଉଲ୍ଲେଖଯୋଗ୍ୟ ଯେ ସ୍ୱାତ ଉପତ୍ୟକା ଅନେକ ବୌଦ୍ଧ ପଥର ଶିଳାଲେଖ ରହିଛି। ସେଗୁଡ଼ିକ ନାଗରୀ ଲିପି ବ୍ୟବହାର କରି ସଂସ୍କୃତରେ ଲେଖାଯାଇଥିଲା, ଯାହା ଗୁପ୍ତ ସାମ୍ରାଜ୍ୟ (ପ୍ରାୟ ୨୪୦-୫୫୦ ଖ୍ରୀଷ୍ଟାବ୍ଦ) ସହିତ ଜଡିତ ଗୁପ୍ତ ଲିପିର ଏକ ରୂପ ଥିଲା। ବିଶେଷଜ୍ଞଙ୍କ ମତରେ ଏହି ଶିଳାଲେଖଗୁଡ଼ିକ ଗ୍ରାନାଇଟରେ ଲିପିବଦ୍ଧ ହୋଇଥିଲା। ଏହି ଶିଳାଲେଖଗୁଡ଼ିକରେ ବୌଦ୍ଧ ଗ୍ରନ୍ଥଗୁଡ଼ିକର ଶବ୍ଦ ଅନ୍ତର୍ଭୁକ୍ତ, ଯାହା ବୌଦ୍ଧ ଶିକ୍ଷା ଏବଂ ଅଭ୍ୟାସର କେନ୍ଦ୍ର ଭାବରେ ଉପତ୍ୟକାର ଐତିହାସିକ ମହତ୍ତ୍ୱ ଉପରେ ଆଲୋକପାତ କରେ।



