୨୭ ଜିଲାରେ ଚାଲିଛି ଧାନ କିଣା, ଅନ୍ୟ ଜିଲାରେ ଖୁବଶୀଘ୍ର
ଭୁବନେଶ୍ୱର:ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଏହି ଧାନ କିଣା ବ୍ୟବସ୍ଥା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କେଉଁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ, ସୁବର୍ଣ୍ଣପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ଓ ସୁନ୍ଦରଗଡ଼ ସମେତ ରାଜ୍ୟର ୨୭ଟି ଜିଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି । ଅନ୍ୟ ଜିଲାରେ ଖୁବଶୀଘ୍ର ଏହି ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ଜିଲା ଗୁଡିକରେ ୨୪୯୨ଟି ମଣ୍ଡିରେ ଧାନ କିଣା ଜାରି ରହିଛି ।
ସମ୍ପୃକ୍ତ ଜିଲା ଗୁଡିକରେ ଧାନ କିଣା ପାଇଁ ଚାଷୀ ମାନଙ୍କୁ ଆଗୁଆ ଟୋକନ ପ୍ରଦାନ ସହ ସରକାରୀ ବ୍ୟବସ୍ଥାରେ ଧାନ ବିକିବା ପାଇଁ ପଞ୍ଜିକୃତ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଧାନ କିଣା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏହି ଅଧିକାରୀ ମାନେ ଧାନ କିଣା ପ୍ରକ୍ରିୟା ଉପରେ ନଜର ରଖିବା ସହ ଧାନ ସଂଗ୍ରହ ପ୍ରକିୟାକୁ ଯାଞ୍ଚ କରୁଛନ୍ତି । ବାହାର ରାଜ୍ୟର ଧାନ ଗାଡି ଉପରେ କଡା ନଜର ରଖାଯାଇଛି । ଏଥିନିମନ୍ତେ ଏହି ସବୁ ଜିଲାରେ ୨୧୭ ଜଣ ଇନଫୋର୍ସମେଣ୍ଟ ଅଧିକାରୀ ନିଯୁକ୍ତ ଅଛନ୍ତି । ଏଥିନିମନ୍ତେ ଜିଲାସ୍ତରରେ ସମ୍ପୃକ୍ତ ଅଧିକାରୀମାନେ ସଜାଗ ରହି କାର୍ଯ୍ୟ ତୁଲାଉଛନ୍ତି । ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ରାଶି ସହ ଇନପୁଟ ସହାୟତା ପ୍ରଦାନ କରାଯାଉଛି । ଏଥି ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଧାନ ବିକ୍ରୟ ଅର୍ଥ ରାଶି ସଂକ୍ରାନ୍ତୀୟ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଆଯାଉଛି ।
Comments are closed.