ଓ୍ବାର୍ଲଡ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରବାସୀ ଓଡ଼ିଆ ଦିବସ ପାଳିତ, ସମ୍ମାନିତ ହେଲେ ବହୁ ପ୍ରରଣାଦାୟୀ ବ୍ୟକ୍ତିତ୍ବ
ଭୁବନେଶ୍ୱର: ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ପକ୍ଷରୁ ପ୍ରବାସୀ ଓଡିଆ ଦିବସ ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି।ଓ୍ବାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କ ଅଧ୍ୟକ୍ଷ୍ୟତାରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ, ପଶୁପାଳନ, ପ୍ରାଣୀ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ଛତିଶଗଡ ପୁରନ୍ଦର ମିଶ୍ର, ଯାଜପୁର ସାଂସଦ ଡଃ ରବିନ୍ଦ୍ର ନାରାୟଣ ବେହେରା,ଅଜୟ ଅଗ୍ରୱାଲ (ସୋସାଇଟିର ପୃଷ୍ଠପୋଷକ), ସ୍ବାମୀ ମୁକୁଳାନନ୍ଦ ଜୀ , ବ୍ରହ୍ମା ମିଶ୍ର, ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରସାଦ ହରିଚନ୍ଦନ, ପୂର୍ବତନ ସଂସାଦ ପ୍ରଶନ୍ନ ପାଟ୍ଟଶାଣୀ, ଓ୍ବାଓସାେ ପ୍ରତିଷ୍ଠାତ୍ରୀ ଡ. ଅରୁନ୍ଧତି ଦେବୀ, ଉପଦେଷ୍ଠା ଧିରେନ୍ଦ୍ର କର,ଓ୍ବାଓସୋ ଭାରତ ଅଧ୍ୟାୟ ସଭାପତି ଡ. ବିପିନ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ।
ଏହି ସମାରୋହକୁ ପ୍ରବାସୀ ଓଡ଼ିଆ ଦିବସ ନାମରେ ନାମିତ କରାଯାଇଛି। ଏହି ଅବସରରେ ‘ଉତ୍କଳ ଉତ୍ସବ’ ନାମରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇଛି। ମହୋତ୍ସବର ଅନ୍ୟତମ ଆକର୍ଷଣ ଭାବରେ ‘ରାଇଜିଂ ଓଡ଼ିଶା ସମିଟ’ ଆୟୋଜନ କରାଯାଇଛି। ଏହି ମସ୍ତିଷ୍କ ମନ୍ଥନ ଅଧିବେଶନ ଅବସରରେ ‘ଓଡ଼ିଶା : ଇନଭେଷ୍ଟରସ ପାରାଡାଇଜ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ପ୍ରବାସୀ ଓଡ଼ିଆ ଦିବସରେ ଶତାଧିକ ୱାଓସୋର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶା ପ୍ରେମୀ ଜନସାଧାରଣ ଉଭୟ ବାସ୍ତବିକ ଓ ଆଭାସୀ ଢଙ୍ଗରେ ଯୋଗ ଦେଇଛନ୍ତି ।
ପ୍ରବାସୀ ଓଡ଼ିଆଙ୍କର ଏହି ମହାକୁମ୍ଭରେ ଓଡ଼ିଶାର ମାନ, ସମ୍ମାନ ଓ ସମୃଦ୍ଧି ବର୍ଦ୍ଧନ ପାଇଁ ବିଶେଷ ଯୋଗଦାନ ଦେଇଥିବା ବିଶିଷ୍ଟ ଓଡ଼ିଆମାନଙ୍କୁ ‘ପ୍ରଥମ ପ୍ରବାସୀ ଓଡ଼ିଆ ସମ୍ମାନ’ ଏବଂ ରତ୍ନଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମାବେଶରେ ଏକ ସ୍ମରଣୀକା ମଧ୍ୟ ଉନ୍ମୋଚନ କରାଯାଇଛି। ଛତିଶଗଡ଼ର ଏକମାତ୍ର ଓଡ଼ିଆ ବିଧାୟକ, ୩୫ ଲକ୍ଷ ଛତିଶଗଡ଼ ନିବାସୀ ଓଡ଼ିଆଙ୍କୁ ନେଇ ଗଠିତ ବୃହତ୍ ଓଡ଼ିଆ ସମାଜର ସଭାପତି ଏବଂ ରାୟପୁର ଠାରେ ଛତିଶଗଡ଼ ରାଜ୍ଯର ସର୍ବୋଚ୍ଚ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ରଙ୍କୁ ପ୍ରଥମ ‘ପ୍ରବାସୀ ଓଡ଼ିଆ ସମ୍ମାନ’ରେ ଭୂଷିତ କରାଯିବା ପାଇଁ ମନୋନୟନ କରାଯାଇଛି।
ଏହି ଅବସରରରେ ବହୁ ପ୍ରବାସୀ ଓଡିଆଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଓ୍ବାଓସୋ ଉପାଧ୍ୟକ୍ଷ ଡ. ନଳିନୀ ପତି,ଉପ ସଭାପତି ପ୍ରଦୀପ କୁମାର ରଥ, ଶିବ ରଞ୍ଜନ ବିଶ୍ବାଳ( ସାଧାରଣ ସଂମ୍ପାଦକ , ଓ୍ବାଓସୋ),ଉମାକାନ୍ତ ଜେନା(ସାଧାରଣ ସଂମ୍ପାଦକ,ଓ୍ବାଓସୋ), ଓ୍ବାଓସୋ ଓଡିଶା ସଭାପତି ସନତ ମିଶ୍ର, ସଭାପତି ସୁନନ୍ଦା ମିଶ୍ର ପଣ୍ଡା,ସାଧାରଣ ସଂମ୍ପାଦକ ପୁସ୍ପାଞ୍ଜଳୀ ବାରିକ୍, ମହିଳା ଶାଖା ଉପ ସଭାପତି ରୀତା ପାତ୍ର,କଳା ବିଭାଗ ସାଧାରଣ ସଂମ୍ପାଦିକା କବେରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଓାର୍ଲଡ ଓଡ଼ିଶା ସୋସାଇଟି ( ୱାଓସୋ) ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବୋଚ୍ଚ ସଙ୍ଗଠନ ଅଟେ। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧି, ପ୍ରମୁଖ ପ୍ରବାସୀ ଓଡ଼ିଆ, ଓଡ଼ିଶା କୈନ୍ଦ୍ରିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ତୁଙ୍ଗ ନେତୃବର୍ଗ ଏବଂ ଓଡ଼ିଶା ପ୍ରେମୀମାନେ, ଏହି ସଂସ୍ଥାରେ ଅନ୍ତର୍ଭୁକ୍ତ ଅଛନ୍ତି। ଓଡ଼ିଶା ବାହାରେ ବସବାସ କରୁଥିବା ପ୍ରାୟ ଦେଢ଼ କୋଟି ଓଡ଼ିଆଙ୍କର ସର୍ବାଙ୍ଗୀନ କଲ୍ୟାଣ ଓ ସମୂହ ସ୍ବାର୍ଥ ସାଧନ ଉଦ୍ଦେଶ୍ୟରେ ଏହି ସଙ୍ଗଠନ ସମର୍ପିତ।
ଏହି ବୈଶିକ ଅନୁଷ୍ଠାନ ଆନ୍ତର୍ଜାତିକ ଦରବାରରେ ଓଡ଼ିଶାର କଳା, ସଂସ୍କୃତି, ଇତିହାସ, ଐତିହ୍ୟ, ସାହିତ୍ୟ, ଭାଷା, ପର୍ଯ୍ୟଟନ, ପରିପାଟି, ଭାସ୍କର୍ଯ୍ୟ ଏବଂ ବ୍ୟଞ୍ଜନର ପ୍ରଚାର ପ୍ରସାର ପାଇଁ ଅହରହ ଉଦ୍ୟମ କରି ଆସୁଛି ।ଓ୍ବାଓସୋର ପ୍ରମୁଖ ଲକ୍ଷ୍ୟ ହେଲା ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଏକ ମଞ୍ଚରେ ଏକଜୁଟ କରି ସେମାନଙ୍କର ଭୌତିକ ଓ ବୌଦ୍ଧିକ ସମ୍ବଳକୁ ମାତୃ ପ୍ରଦେଶ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନୟନ ସକାଶେ ବିନିଯୋଗ କରିବା।
ୱାଓସୋର ସ୍ଵପ୍ନ ଓ ସଙ୍କଳ୍ପ ହେଉଛି, ୨୦୩୬ ମସିହାରେ ଓଡ଼ିଶା ଯେତେବେଳେ ଭାଷା ଭିତ୍ତିକ ସ୍ଵତନ୍ତ୍ର ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ ସେ ସମୟରେ ଆମେ ଏକ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା, ସ୍ଵର୍ଣ୍ଣପ୍ରସୂ ସମୃଦ୍ଧ ଓଡ଼ିଶା ଦେଖିବାକୁ ସକ୍ଷମ ହେବା। ୱାଓସୋର ପ୍ରତିଷ୍ଠା ୨୦୨୧ ମସିହାର ପବିତ୍ର ମକର ସଂକ୍ରାନ୍ତି ତିଥିରେ ହୋଇଥିଲା। ବର୍ତ୍ତମାନ ଚାରି ବର୍ଷ ଅତିକ୍ରାନ୍ତ କରିବା ପରେ ୱାଓସୋ ସାରା ପୃଥିବୀରେ ଏହାର ଉପସ୍ଥିତିକୁ ବହୁ ମାତ୍ରାରେ ବଢ଼ାଇ ପାରିଛି। ଆରମ୍ଭ ସମୟରେ ଏହା ମାତ୍ର ୨୦ ଟି ରାଷ୍ଟ୍ରକୁ ନେଇ ଗଠିତ ହୋଇଥିବା ବେଳେ ଏହି ସଙ୍ଗଠନରେ ବର୍ତ୍ତମାନ ୭୨ଟି ରାଷ୍ଟ୍ର ସାମିଲ ହୋଇଛନ୍ତି ।
Comments are closed.