ବେଦାନ୍ତକୁ କଞ୍ଚାମାଲ ଯୋଗାଇବା ଦାବି ତେଜିଲା

ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ୨୦୦୩ ମସିହାରୁ ଲାଞ୍ଜିଗଡ଼ଠାରେ ରିଫାଇନେରୀ ସ୍ଥାପନ ସହିତ ୨୦୦୭ରୁ ଆଲୁମିନା ଉତ୍ପାଦନ ଆରମ୍ଭ କରିଥିଲା ସତ, କିନ୍ତୁ ପ୍ରାୟ ୨୨ ବର୍ଷ ପୁରିବାକୁ ବସିଥିବାବେଳେ କମ୍ପାନୀକୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଖଣି ଓ କଞ୍ଚାମାଲ ମିଳିନାହିଁ। ଯାହା ଫଳରେ କଂପାନୀ ବାହାରୁ କଞ୍ଚାମାଲ ଆଣି ଲାଞ୍ଜିଗଡ଼ରେ ରିଫାଇନେରୀ ଚଳାଇଥିବାବେଳେ ଇତିମଧ୍ୟରେ ପ୍ରକଳ୍ପର ସଂପ୍ରସାରଣ ମଧ୍ୟ କରିସାରିଛି। ତେବେ ବାହାରୁ କଞ୍ଚାମାଲ ଆଣି କମ୍ପାନୀ ଚଳାଇବା ଦିନକୁ ଦିନ ମୁସ୍କିଲ ହୋଇ ପଡ଼ୁଥିବାବେଳେ ଏବେ କମ୍ପାନୀ ହାତ ଟେକିଦେବାକୁ ବସିଛି। ଏପରିକି କଞ୍ଚାମାଲ ଅଭାବ ଓ ଉତ୍ପାଦନ ଅପେକ୍ଷା ବ୍ୟୟଭାର ବୃଦ୍ଧି ପାଇଥିବାବେଳେ ଏଥିଯୋଗୁଁ କମ୍ପାନୀ ଉପରେ ଆର୍ଥିକ ବୋଝ ବଢ଼ିଚାଲିଛି। ଆସନ୍ତା ମାର୍ଚ୍ଚ ମାସସୁଦ୍ଧା କମ୍ପାନୀର କଞ୍ଚାମାଲ ଶେଷ ହୋଇଯିବ ବୋଲି ସୂଚନା ମିଳିଛି। ଏହାପରେ କମ୍ପାନୀ ଚାଲିବା ମୁସ୍କିଲ ହୋଇପଡ଼ିବ। ଏହାଦ୍ୱାରା କମ୍ପାନୀ ଉପରେ ନିର୍ଭର କରି ବଞ୍ଚୁଥିବା ଛୋଟମୋଟ ଦୋକାନୀ, ବ୍ୟବସାୟୀ, କମ୍ପାନୀରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ। ଅନେକଙ୍କ ଘରେ ଦୁଇ ଓଳି ଚୁଲି ଜଳିବା କାଠିକର ପାଠ ହୋଇଯିବ। ଏହି ପରିପ୍ରେକ୍ଷୀରେ କମ୍ପାନୀ ଉପରେ ନିର୍ଭର କରୁଥିବା ଲାଞ୍ଜିଗଡ଼ ବ୍ଲକର ୨୬ଗୋଟି ପଞ୍ଚାୟତ ତଥା ରାୟଗଡ଼ା ଜିଲ୍ଲା ମୁନିଗୁଡା, ଅମ୍ବାଦଳା ଅଞ୍ଚଳର ହଜାର ହଜାର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ ନିଜର ଜୀବନ ଜୀବିକା ବିପନ୍ନ ହେବା ଆଶଙ୍କାରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଲାଞ୍ଜିଗଡ଼ ହାଇସ୍କୁଲ ପଡ଼ିଆରୁ ୪ ହଜାରରୁ ଅଧିକ ଲୋକେ ସମାବେତ ହେବା ସହିତ ଏକ ବିଶାଳ ଶୋଭାଯାତ୍ରାରେ ବିଶ୍ବନାଥପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ଲାଞ୍ଜିଗଡ଼ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କମ୍ପାନୀକୁ ସ୍ଥାୟୀ ଖଣି କିମ୍ବା କଞ୍ଚାମାଲ ଯୋଗାଇଦେଲେ କମ୍ପାନୀ ପୂର୍ବବତ୍ କାର୍ଯ୍ୟକ୍ଷମ ରହିବ ଏବଂ କମ୍ପାନୀ ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ ଉପକୃତ ହେବେ ବୋଲି ସେମାନେ ଦର୍ଶାଇଛନ୍ତି।

prayash

ସେହିପରି ସ୍ଥାନୀୟ ବକ୍ସାଇଟ ଖଣି ପାଇଁ ଗ୍ରାମସଭାର ପୁନଃବିଚାର ପାଇଁ ଦାବି କରିଛନ୍ତି। ଏଥିରେ ଲାଞ୍ଜିଗଡ଼ ଶ୍ରମିକ ସଂଘ, ଲାଞ୍ଜିଗଡ଼଼ ବଣିକ ସଂଘ, ଲାଞ୍ଜିଗଡ଼ ଡ୍ରାଇଭର ସଂଘ, ମୋଟର ଗାଡ଼ି ମାଲିକ ସଂଘ ତଥା କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନର ଚାରିହଜାରରୁ ଊର୍ଦ୍ଧ୍ବ ଲୋକେ ସ୍ବତଃ ପ୍ରବୃତ୍ତ ଭାବେ ଆଜିର ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ବିଡିଓ ଶଶାଙ୍କ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଲାଞ୍ଜିଗଡ଼ ଅଞ୍ଚଳ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ଅବିଭକ୍ତ କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଚନ୍ଦ୍ରଶେଖର ବେହେରା, ଏମ.ଡି ଆୟୁବଙ୍କ ସମେତ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାରି ହଜାରରୁ ଊର୍ଦ୍ଧ୍ବ ଲୋକେ ସାମିଲ ହୋଇଥିଲେ।

Comments are closed.