କେନ୍ଦୁଝରଗଡ଼: କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି-୨୦୨୦ର ସଫଳ ରୂପାୟନ ପାଇଁ ଧରଣୀଧର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ନେଇ ମଙ୍ଗଳବାର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ବିକାଶ ପରିଷଦର ନିର୍ଦ୍ଦେଶକ ଡ.ଦାମୋଦର ସାହୁ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରଭୁପ୍ରସାଦ ଦାସ ନୂତନ ଶିକ୍ଷାନୀତିର ସଫଳ ରୂପାୟନ ନେଇ ବିଭିନ୍ନ ଦିଗ ଉପରେ ବିଶ୍ଳେଷଣ କରିଥିଲେ। କୁଳପତି ପ୍ରଫେସର ମହାନ୍ତି ନିଜ ଅଭିଭାଷଣରେ ନୂତନ ଶିକ୍ଷାନୀତିର ରୂପରେଖ, ଗବେଷଣାର ପରିସର ଓ କ୍ଷେତ୍ର ଅଧ୍ୟୟନ ସମ୍ପର୍କିତ ଦୃଷ୍ଟିକୋଣ ପାୱାରପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ପଣ୍ଡା ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



