www.samajalive.in
Thursday, December 11, 2025
18.1 C
Bhubaneswar

ରାମ ଜନ୍ମଭୂମି ବାବ୍ରି ମସଜିଦ ମାମଲା: ସୁପ୍ରିମକୋର୍ଟଙ୍କ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ : ଅଯୋଧ୍ୟାର ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ପୁଣି ଥରେ ସ୍ଥଗିତ ରଖିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ୫ଜଣିଆ ବିଚାରପତି ପୀଠ ଜାନୁଆରୀ ୨୯ (ମଙ୍ଗଳବାର) ମାମଲାର ଶୁଣାଣି ଆରମ୍ଭ କରିବାକୁ ଥିବାବେଳେ ଏହା ସ୍ଥଗିତ ରଖାଯାଇଛି। ରବିବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି ଯେ ପୀଠର ବିଚାରପତି ଏସ୍ ଏ ବୋବଡେ ଉକ୍ତ ଦିନ ଉପସ୍ଥିତ ରହୁ ନଥିବାରୁ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଛି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି କେବେ ହେବ ତାଙ୍କ ନୋଟିସରେ ଉଲ୍ଲେଖ କରାଯାଇ ନାହିଁ।
ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ମାମଲାର ଶୁଣାଣି ପାଇଁ ଶୁକ୍ରବାର ପ୍ରଧାନ ବିଚାରପତି ନୂଆ ପୀଠ ଗଠନ କରିଥିଲେ। ପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏ ଅବଦୁଲ ନଜିର ଓ ଜଷ୍ଟିସ ଏସଏ ବୋବଡେ ରହିଛନ୍ତି। ଏହି ବିବାଦୀୟ ମାମଲା ଉପରେ ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବରରେ ଶୁଣାଣି କରିବାକୁ ଥିବାବେଳେ ଏହା ବିଳମ୍ବିତ ହୋଇଚାଲିଛି। ଜାନୁଆରୀ ୪ରେ ଗଠିତ ନୂଆ ପୀଠ ମାମଲାର ଶୁଣାଣି କରିବାକୁ ଥିବାବେଳେ ଜାନୁଆରୀ ୧୦ରେ ଜଷ୍ଟିସ ୟୁୟୁ ଲଳିତ ଶୁଣାଣିରୁ ଓହରି ଯାଇଥିଲେ। ଜଷ୍ଟିସ ଲଳିତ ଏହି ମାମଲାର ଗୋଟିଏ ପକ୍ଷ ପାଇଁ ଅତୀତରେ ଓକିଲାତି କରିଥିବାରୁ ସେ ଏଥିରୁ ଓହରି ଯାଇଥିଲେ। ଅନ୍ୟତମ ବିଚାରପତି ଜଷ୍ଟିସ ଏନ ଭି ରମଣଙ୍କ ନାମକୁ ମଧ୍ୟ ନୂଆ ପୀଠରୁ ବାଦ ଦିଆଯାଇଛି।
ଅଯୋଧ୍ୟା ମାମଲାକୁ ପ୍ରାଥମିକତା ଭିତ୍ତିରେ ଶୁଣାଣି କରିବା ଲାଗି ହିନ୍ଦୁ ସଂଗଠନଗୁଡିକ ଦାବି କରିଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଫଳରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବା ଲାଗି ହିନ୍ଦୁ ସଂଗଠନଗୁଡିକ ସରକାରଙ୍କ ଉପରେ ଚାପ ପକାଇଛନ୍ତି। ତେବେ ଏପରି ଚାପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗ୍ରାହ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଯୋଧ୍ୟା ମାମଲାର ନ୍ୟାୟିକ ବିଚାର ଶେଷ ପରେ ସରକାର ଯାହା କିଛି ପଦକ୍ଷେପ ନେବେ। ଅଯୋଧ୍ୟାର ଏହି ବିବାଦୀୟ ସ୍ଥାନକୁ ରାମଙ୍କର ଜନ୍ମସ୍ଥାନ ବୋଲି ହିନ୍ଦୁ ସଂଗଠନଗୁଡିକ ଦାବି କରିଆସୁଛନ୍ତି। ଷୋଡଶ ଶତାବ୍ଦୀରେ ମୋଗଲ ସମ୍ରାଟ ଏହି ମନ୍ଦିରକୁ ଭାଙ୍ଗି ମସଜିଦ ତିଆରି କରିଥିଲେ। ତେବେ ୧୯୯୨ରେ ହିନ୍ଦୁ କରସେବକମାନେ ଏହି ମସଜିଦକୁ ଭାଙ୍ଗିଦେଇଥିଲେ। ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ଅଯୋଧ୍ୟାର ଏହି ବିବାଦୀୟ ୨.୭୭ ଏକର ଜମିକୁ ରାମଲାଲା, ନି‌େର୍ମାହି ଆଖଡା ଏବଂ ସୁନ୍ନି ୱାକଫ ବୋର୍ଡ ମଧ୍ୟରେ ତିନି ଭାଗ କରି ବାଣ୍ଟିବାକୁ ନିର୍ଦେଶ ଦେଇଥିଲେ। ୨୦୧୧ରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିବାବେଳେ ଏହା ସେବେଠାରୁ ବିଚାରାଧୀନ ରହିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories