ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ
ନୟାଗଡ଼: ୨ଦିନ ଧରି ଲଗାଣ ବର୍ଷା ଫଳରେ ଜିଲାର ଏକର ଏକର ଜମିର ପାଚିଲା ଧାନ ପାଣିରେ ଭାସୁଛି। ଝାଳବୁହା ପରିଶ୍ରମ ତଥା ଧାରକରଜକୁ ଟଙ୍କା ଆଣି ଧାନ ଚାଷ କରିଥିବା ଚାଷୀ ଆଖୁ ଆଗରେ ଅମଳ ଫସଲ ନଷ୍ଟ ହୋଇଯାଉଥିବା ଦେଖ୍ ହତାସ ହୋଇପଡ଼ିଛନ୍ତି। ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ଅଧିକାଂଶ ଅଞ୍ଚଳରେ ବିଲରେ ଧାନ କଟା ହୋଇ ପଡ଼ିଥିଲା। ଲଗାଣ ବର୍ଷା ଫଳରେ ସେଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ଆଣିବା ସମ୍ଭବ ହୋଇନାହିଁ। ଏବେ ସେଗୁଡ଼ିକରୁ ଆଉ ଧାନ ଅଦାୟ ହେବା ଆଶା ଚାଷୀ ଛାଡ଼ି ଦେଇଛନ୍ତି । ସେଗୁଡ଼ିକ ଗଜା ହୋଇଯିବା ସମ୍ଭାବନା ଦେଖାଦେଇଛି। ଆଗରୁ ଚାଷୀ ଶଗଡ଼ ଦ୍ବାରା ଜମିରୁ ଫସଲ ଆଣି ଖଳାରେ ରଖୁଥିଲେ । ବର୍ତ୍ତମାନ ସମସ୍ତ ଚାଷୀ ଟ୍ରାକ୍ଟର ଉପରେ ନିର୍ଭରଶୀଳ ।
ଜମିକୁ ଏହି ପାଗରେ ଟ୍ରାକ୍ଟର ଯିବା ଅସମ୍ଭବ ହୋଇପଡ଼ିଛି । କ’ଣ କରିବେ କ’ଣ ନକରିବେ ସେହି ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଅନ୍ୟପଟେ ଫଳ ଓ ପନିପରିବା ଚାଷୀ ମଧ୍ଯ ଏହି ପାଗରେ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି । ନୟାଗଡ଼ ବ୍ଲକର ସଫଳ ଚାଷୀ ପ୍ରଦିପ୍ତ କୁମାର ମୁଦୁଲି କହିଛନ୍ତି, ଦୁଇଦିନ ଧରି ଲଗାଣ ବର୍ଷା ଓ କୋହଲା ପାଗ ଯୋଗୁଁ ଜମିରୁ ଧାନ ଆଣିବା କଷ୍ଟକର ହୋଇପଡ଼ିଛି। ସେଗୁଡ଼ିକ ନଷ୍ଟ ହେବା ନିଶ୍ଚିତ ହୋଇଯାଇଛି। ବିଭାଗୀୟ ଅଧିକାରୀ ଏବଂ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି ।
Comments are closed.